କୋଟାରେ ଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କ ପାଇଁ ବଢ଼ିଲା ଚାପ : ଫେରାଇ ଆଣିବାକୁ ସରକାରୀ ନିଷ୍ପତ୍ତି

ବିଦେଶରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଶିକ୍ଷାବିତ୍‌

ସରକାରଙ୍କ କଥା ଓ କାର୍ଯ୍ୟ ଏକ ହେବା ଦରକାର: ନରସିଂହ
କେତେଦିନ ଛାତ୍ରଛାତ୍ରୀ ବିନା ଖାଦ୍ୟ ଓ ଅସ୍ଥିରତାରେ ରହିବେ: ବିଜୟ

ଭୁବନେଶ୍ବର : ତାଲାବନ୍ଦ ପରଠାରୁ ରାଜସ୍ଥାନର କୋଟାରେ ଫସିଛନ୍ତି ମେଡିକାଲ୍‌ ପାଠ ପଢ଼ୁଥିବା ଶତାଧିକ ଓଡ଼ିଆ ଛାତ୍ରଛାତ୍ରୀ। ନିଜ ରାଜ୍ୟକୁ ଫେରିବାକୁ ସେମାନେ ସୋସିଆଲ୍‌ ମିଡିଆ ଜରିଆରେ ବହୁବାର ଅନୁରୋଧ କରୁଛନ୍ତି। ସର୍ବନିମ୍ନ ମୌଳିକ ସୁବିଧା ମିଳୁନଥିବାରୁ ସେମାନେ ସେଠାରେ ବହୁ ଅସୁବିଧାରେ ଦିନ କାଟୁଛନ୍ତି। ମାନସିକ ସନ୍ତୁଳନ ସେମାନଙ୍କର ବିଗିଡ଼ିଗଲାଣି। ଏ ନେଇ ଗତକାଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ସରକାର ତତ୍ପର ହୋଇଛନ୍ତି। ରାଜସ୍ଥାନ କୋଟାରେ ଫସି ରହିଥିବା ଛାତ୍ରଛାତ୍ରୀଙ୍କୁ ଆଣିବା ଲାଗି ରାଜ୍ୟ ସରକାର ସଂପୃକ୍ତ ରାଜ୍ୟ ସହ କଥା ହେବେ। ଏଥିପାଇଁ ଦୁଇଜଣ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। କିନ୍ତୁ ସେମାନେ ନିଜ ଖର୍ଚ୍ଚରେ ହିଁ ଆସିବେ। ଖୁବଶୀଘ୍ର ଏ ନେଇ ରାଜସ୍ଥାନ ସରକାରଙ୍କ ସହ ଆଲୋଚନା ହେବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

କୋଟାରେ ଓଡ଼ିଶା ପିଲାଙ୍କ ଦ ଦେଖି ଆଜି ସୁଦୂର ଲେବାନନ୍‌ରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି, ଶିକ୍ଷାବିତ୍‌ ପ୍ରଫେସର୍‌ ଦିଗମ୍ବର ପାତ୍ର। ଶ୍ରୀ ପାତ୍ର ଦର୍ଶାଇଛନ୍ତି, କୋଟାରେ ମେଡିକାଲ କୋଚିଂ ନେଉଥିବା ଛାତ୍ରଛାତ୍ରୀମାନଙ୍କର ବୟସ ୧୭ରୁ ୧୯ ବର୍ଷ। ଅସ୍ବାଭାବିକ ପରିସ୍ଥିତିରେ ଏହି ବୟସର ପିଲାମାନଙ୍କର ଶୀଘ୍ର ମାନସିକ ଅସ୍ଥିରତା ଆସିଥାଏ। ବିଦେଶରେ ଥିବା ବିଶ୍ବବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀଙ୍କୁ ମାନସିକ ଚାପରୁ ମୁକ୍ତ କରିବା ପାଇଁ ମନସ୍ତତ୍ତ୍ବବିତ୍‌ମାନଙ୍କର ସାହାଯ୍ୟ ନିଆଯାଏ। କିନ୍ତୁ ଭାରତର ଶିକ୍ଷାନୁଷ୍ଠାନମାନଙ୍କରେ ଏପରି ବ୍ୟବସ୍ଥା ଖୁବ୍‌ କମ୍‌ ଦେଖିବାକୁ ମିଳିଥାଏ। ଏଭଳି ସ୍ଥିତିରେ ସେମାନେ ଅଧିକ ଦିନ ଚାପଗ୍ରସ୍ତ ହୋଇ ରହିଲେ, କିଛି ବି ଅଘଟଣ ଘଟିପାରେ। କୋଟା ଛାତ୍ରଛାତ୍ରୀଙ୍କ ଅବସ୍ଥା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ସରକାର ତୁରନ୍ତ ସେମାନଙ୍କ ପିଲାମାନଙ୍କୁ ଫେରେଇ ନେଲେ। ଏପରିକି ୨୦୦୦ କିଲୋମିଟର ଦୂରରେ ଥିବା ଆସାମ ସରକାର ବି ଛାତ୍ରଛାତ୍ରୀଙ୍କୁ ଫେରେଇ ନେଲେଣି। ଓଡ଼ିଶା ସରକାର ଏପର୍ଯ୍ୟନ୍ତ କାହିଁକି ଚୁପ୍‌ ବସିଛନ୍ତି ବୋଲି ଶ୍ରୀ ପାତ୍ର ପ୍ରଶ୍ନ ଉଠାଇଛନ୍ତି। ସୁରତରୁ ଶ୍ରମିକମାନଙ୍କୁ ଫେରେଇଆଣିବା ଭଳି ଯଥାଶୀଘ୍ର ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଆଣିବା ବ୍ୟବସ୍ଥା କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ବିଜେପି ନେତା ବିଜୟ ମହାପାତ୍ର ଟ୍ବିଟ୍ କରି କହିଛନ୍ତି, ଅଟକି ରହିଥିବା ଛାତ୍ରଛାତ୍ରୀଙ୍କୁ ନେଇ ଅନେକ ରାଜ୍ୟ ଇତିମଧ୍ୟରେ ଉଦ୍‌ବେଗ ପ୍ରକାଶ କରିଛନ୍ତି। କେତେଦିନ ସେମାନେ ବିନା ଖାଦ୍ୟ ଓ ମାନସିକ ଅସ୍ଥିରତା ଭିତରେ ରହିବେ?ରାଜ୍ୟ ସରକାର ଏ ନେଇ ତୁରନ୍ତ ପଦକ୍ଷେପ ନେବା ଲାଗି ସେ ଦାବି କରିଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର କହିଥିଲେ, ପାଣି ପାଇଁ ସେଠାରେ ଥିବା ଓଡ଼ିଆ ପିଲା ଡହଳ ବିକଳ ହେଉଛନ୍ତି। ଏ ନେଇ ସେ ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ସହ ରାଜସ୍ଥାନ ପାଇଁ ନୋଡାଲ ଅଧିକାରୀ ଦାୟିତ୍ବରେ ଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ସହ କଥା ହୋଇଥିଲେ। କଠିନ ପରିସ୍ଥିତିରେ ସମସ୍ତଙ୍କ ସମସ୍ୟା ସମାଧାନ କରୁଥିବା କଥା ଖାଲି ଭାଷଣରେ କହିଲେ ହେବନି। ସରକାରଙ୍କ କଥା, କାର୍ଯ୍ୟରେ ପରିଣତ ହେବା ଉଚିତ୍‌। ଆସନ୍ତା ୩ ତାରିଖ ପରେ ତାଲାବନ୍ଦ ପ୍ରତ୍ୟାହାର ହେଉ କି ନ ହେଉ, କୋଟାରେ ଥିବା ପିଲାମାନଙ୍କୁ ଅବିଳମ୍ବେ ଫେରେଇ ଆଣିବାକୁ ଶ୍ରୀ ମିଶ୍ର ଦାବି କରିଥିଲେ।

ସମ୍ବନ୍ଧିତ ଖବର