ଚାରି ଦିନ ହେଲାଣି ଚିପ୍ସ, ବିସ୍କୁଟ୍‌ ଖାଇ ୟୁକ୍ରେନ୍‌ରେ ରହିଛନ୍ତି ଛାତ୍ରଛାତ୍ରୀ; ଲୁଟ୍‌ର ଶିକାର ହେଉଛନ୍ତି ଭାରତୀୟ

ସ୍ବତନ୍ତ୍ର ସହାୟତା ସେଲ୍‌କୁ ଯୋଗାଯୋଗ କଲେଣି ୪୯ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଋଷ-ୟୁକ୍ରେନ୍‌ ଯୁଦ୍ଧ ଧୀରେ ଧୀରେ ଗମ୍ଭୀର ହେଉଥିବା ବେଳେ ୟୁକ୍ରେନ୍‌ରେ ଫସି ରହିଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ସୁପରମାର୍କେଟ୍‌ ପ୍ରତ୍ୟେକ ଦିନକ ପରେ ଖୋଲୁଥିବାରୁ ଖାଇବା ପିଇବା ସମସ୍ୟା ବଢ଼ିବାରେ ଲାଗିଛି। ଅନ୍ୟ କିଛି ବିକଳ୍ପ ବ୍ୟବସ୍ଥା ନ ଥିବାରୁ ରାଜଧାନୀ କିଭ୍‌ରେ ଫସି ରହିଥିବା ଛାତ୍ରଛାତ୍ରୀ ଗତ ୪ଦିନ ହେବ କେବଳ ଚିପ୍ସ, ବିସ୍କୁଟ୍‌ ଖାଇ ରହିଛନ୍ତି। ଋଷ ସେନା କିଭ୍‌ ଆଡ଼କୁ ମାଡ଼ି ଆସୁଥିବାରୁ ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ଭୟର ବାତାବରଣ ଭିତରେ ରହିଥିବା ସୂଚନା ଦେଇଛନ୍ତି। ବିଶେଷକରି ୟୁକ୍ରେନ୍‌ରେ ଥିବା ଭାରତୀୟ ଦୂତାବାସ ତରଫରୁ ବିଶେଷ ସହାୟତା ମିଳୁ ନ ଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି।

ଅପରପକ୍ଷରେ ୟୁକ୍ରେନ୍‌ରେ ଫସି ରହିଥିବା ଛାତ୍ରଛାତ୍ରୀ ଓ ଶ୍ରମିକଙ୍କୁ ଫେରାଇ ଆଣିବା ଲାଗି ଉଦ୍ୟମ ଜାରି ରହିଛି। ୟୁକ୍ରେନ୍‌ରେ ଫସି ରହିଥିବା ଛାତ୍ରଛାତ୍ରୀ ଓ ଶ୍ରମିକଙ୍କ ତାଲିକା ଓ ଠିକଣା ପାଇଁ ରାଜ୍ୟ ସରକାର ଗତକାଲି ଏକ ସ୍ବତନ୍ତ୍ର ସହାୟତା ସେଲ୍‌ ଖୋଲିଛନ୍ତି। ‌ସଂଧ୍ୟା ସୁଦ୍ଧା ରାଜ୍ୟରୁ ୪୯ରୁ ଅଧିକ ଛାତ୍ରଛାତ୍ରୀଙ୍କ ତଥ୍ୟ ମିଳିପାରିଛି। ନୂଆଦିଲ୍ଲୀର ଆବାସିକ ରିଲିଫ୍‌ କମିସନରଙ୍କ କାର୍ଯ୍ୟାଳୟରେ ଚାଲିଥିବା ସେଲ୍‌କୁ ୫ଶହରୁ ଅଧିକ ଓଡ଼ିଆଙ୍କ ତାଲିକା ପହଞ୍ଚିଥିବା ସୂଚନା ମିଳିଛି। ଆଗକୁ ଏହି ସଂଖ୍ୟା ଆହୁରି ବଢ଼ିବ
ବୋଲି ଅନୁମାନ କରାଯାଉଛି।

କିଭ୍‌ରେ ଫସି ରହିଥିବା ଭୁବନେଶ୍ବର ପଟିଆ ଅଞ୍ଚଳର ନୃସିଂହ ‘ସମ୍ବାଦ’କୁ କହିଛନ୍ତି, ହଷ୍ଟେଲ୍‌ ସମ୍ମୁଖରେ ୟୁକ୍ରେନ୍‌ ସେନାର ଏକ କ୍ୟାମ୍ପ୍ ଲଗାଯାଇଛି। ତେଣୁ ଆଉ କିଛି ଘଣ୍ଟା ଭିତରେ ୟୁକ୍ରେନ୍‌-ଋଷ ସେନା ଭିତରେ ଘମାଘୋଟ ଲଢ଼େଇ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ତେଣୁ ସ୍ଥିତି କ’ଣ ହେବ କିଛି ଚିନ୍ତା କରି ହେଉନାହିଁ। ଘରକୁ ଫେରିବା ପାଇଁ କିଛି ଛାତ୍ରଛାତ୍ରୀଙ୍କ ସମେତ ସେ ଖାର୍କିଭ୍‌ରୁ କିଭ୍‌ରେ ପହଞ୍ଚିଥିବା ବେଳେ ବିମାନ ଚଳାଳଚ ବନ୍ଦ ରହିବା କାରଣରୁ ସେଠାରେ ଏକ ମେଡିକାଲ କଲେଜର ହଷ୍ଟେଲ ବଙ୍କରରେ ରହିବାକୁ ପଡ଼ୁଛି। ତଥାପି ଅନେକ ଛାତ୍ରଙ୍କୁ ମଧ୍ୟ ଏହି ସୁବିଧା ମିଳିପାରି ନାହିଁ। ଏପରିକି ବିଭିନ୍ନ ସ୍ଥାନକୁ ଚାଲି ଚାଲି ଯାଉଥିବା ଭାରତୀୟଙ୍କଠାରୁ ଲୁଟ୍‌ କରାଯାଉଛି। ଏହାସହ ସ୍ଥାନୀୟ ସରକାର କର୍ଫୁ ଅବଧିକୁ ବଢ଼ାଇ ଦେଇଥିବାରୁ ବାହାରୁ କିଛି କିଣିବାରେ ସମସ୍ୟା ହେଉଛି। ଗତ କିଛିଦିନ ହେବ ଖାଲି ଚିପ୍ସ, ବିସ୍କୁଟ ଖାଇ ରହିବାକୁ ପଡ଼ୁଛି ବୋଲି ନୃସିଂହ କହିଛନ୍ତି।

ସେହିପରି ୩/୪ଦିନ ତଳେ ଖାର୍କିଭ୍‌ରୁ ଭାରତକୁ ଫେରିଥିବା ପ୍ରତୀକ୍ କହିଛନ୍ତି, ୟୁକ୍ରେନ୍‌ରେ ରହୁଥିବା ଛାତ୍ରଛାତ୍ରୀଙ୍କ ସହ ଯୋଗାଯୋଗ କରାଯାଉଛି। ଖାର୍କିଭ୍‌ରେ ହଷ୍ଟେଲ୍‌ ଚାଲୁଥିବାରୁ ସେଠାରେ ରହୁଥିବା ଓଡ଼ିଆଙ୍କ ପାଇଁ ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯାଇଛି। ମାତ୍ର ଯେଉଁଠାରେ ହଷ୍ଟେଲ୍‌ ଚାଲୁନାହିଁ ଛାତ୍ରଛାତ୍ରୀମାନେ ବିଭିନ୍ନ ଆପାର୍ଟମେଣ୍ଟ କିମ୍ବା ଅନ୍ୟ ସ୍ଥାନରେ ଆଶ୍ରୟ ନେଇଛନ୍ତି ସେମାନଙ୍କ କ୍ଷେତ୍ରରେ ଖାଇବା ପିଇବାର ସମସ୍ୟା ହୋଇପାରେ। ସାଙ୍ଗସାଥୀଙ୍କ ସହିତ ନିୟମିତ ଯୋଗାଯୋଗ କରାଯାଉଥିବା ପ୍ରତୀକ୍ କହିଛନ୍ତି।

ଅପରପକ୍ଷରେ ଓଡ଼ିଶାରୁ ଏ ପର୍ଯ୍ୟନ୍ତ ୪୯ଜଣ ଅଭିଭାବକ/ସଂପର୍କୀୟ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ସେଲ୍‌କୁ ଯୋଗାଯୋଗ କରିଛନ୍ତି। ୟୁକ୍ରେନ୍‌ରେ ରହୁଥିବା ଛାତ୍ରଛାତ୍ରୀଙ୍କ ଠିକଣା, ଇ-ମେଲ ଓ ପାସପୋର୍ଟ ନମ୍ବରକୁ ସଂଗ୍ରହ କରାଯାଇ ଦିଲ୍ଲୀସ୍ଥିତ ରିଲିଫ୍ କମିସନରଙ୍କ ଆବାସିକ କାର୍ଯ୍ୟାଳୟକୁ ପଠାଯାଇଛି। ଭୁବନେଶ୍ବର, ଖୋର୍ଧା, ସୁନ୍ଦରଗଡ଼ ଓ ବିଭିନ୍ନ ଜିଲ୍ଲାରୁ ଲୋକମାନେ ଯୋଗାଯୋଗ କରିଥିବା ରାଜ୍ୟ ସରକାରଙ୍କ ଜନୈକ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ନୂଆଦିଲ୍ଲୀସ୍ଥିତ କାର୍ଯ୍ୟାଳୟକୁ ୫ଶହରୁ ଅଧିକ ଓଡ଼ିଆ ଛାତ୍ରଛାତ୍ରୀଙ୍କ ଠିକଣା ମିଳିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର