ୱେଷ୍ଟର୍ଣ୍ଣ ବର୍ଡରରେ ପହଞ୍ଚିବାକୁ ଲାଗିବ ୨୦ଘଣ୍ଟା
ହଷ୍ଟେଲ ବଙ୍କର, ମେଟ୍ରୋରେ ରହୁଛନ୍ତି ଲୋକ
ଭୁବନେଶ୍ବର : ୟୁକ୍ରେନ୍ ଉପରେ ଋଷ ଆକ୍ରମଣ କରିବା ପରେ ସେଠାରେ ଶତାଧିକ ଓଡ଼ିଆ ଛାତ୍ରଛାତ୍ରୀ ଫସି ରହିଛନ୍ତି। ବୋମା, ରକେଟ୍ ମାଡ଼ ଚାଲିଥିବା ବେଳେ ଛାତ୍ରଛାତ୍ରୀଭାବେ ଭୟଭୀତ ହୋଇ ରହିଛନ୍ତି। ଏଭଳି ପରିସ୍ଥିତିରେ ଖାର୍କିଭ୍ ସହରରେ ରହୁଥିବା ଛାତ୍ରଛାତ୍ରୀମାନେ ହଷ୍ଟେଲରେ ରାତିରେ ପାଳି କରି ଶୋଉଛନ୍ତି। କେନ୍ଦ୍ର ସରକାର ୟୁକ୍ରେନ୍ର ପଶ୍ଚିମ ସୀମାରୁ ଭାରତୀୟମାନଙ୍କୁ ଉଦ୍ଧାର କରୁଥିବା ବେଳେ ସର୍ବାଧିକ ସଂଖ୍ୟକ ଓଡ଼ିଆ ରହିଥିବା ଖାର୍କିଭ୍ ଓ ରାଜଧାନୀ କିଭ୍ରୁ ଏହାର ଦୂରତା ୨୦ଘଣ୍ଟା। ଏହାସହ ୟୁକ୍ରେନ୍ରେ ସାଧାରଣ ସେବା ଏକପ୍ରକାର ବନ୍ଦ ହୋଇ ଯାଇଥିବାରୁ ଛାତ୍ରଛାତ୍ରୀମାନେ ସୀମାରେ କିଭଳି ପହଞ୍ଚିବେ ତାହା ଚିନ୍ତା କରିପାରୁ ନାହାନ୍ତି।
ଖାର୍କିଭ୍ ମେଡିକାଲ ବିଶ୍ବବିଦ୍ୟାଳୟର ଛାତ୍ର ଦିନେଶ ‘ସମ୍ବାଦ’କୁ କହିଛନ୍ତି, ଖାର୍କିଭ୍ରେ ଥିବା ହଷ୍ଟେଲରେ ହଜାର ହଜାର ଭାରତୀୟ ଛାତ୍ର ଅଛନ୍ତି। ବହୁ ସଂଖ୍ୟାରେ ଓଡ଼ିଆ ଛାତ୍ର ମଧ୍ୟ ରହିଛନ୍ତି। ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ରାତିରେ ପାଳି କରି ଶୋଇବା ଲାଗି ଓଡ଼ିଆ ପିଲାଙ୍କ ହଷ୍ଟେଲ ଦାୟିତ୍ବରେ ରହିଥିବା କର୍ମଚାରୀ କହିଛନ୍ତି। କିଛି ହଷ୍ଟେଲ ଓ କିଛି ମୋଟ୍ରୋରେ ଆଶ୍ରୟ ନେଉଛନ୍ତି। ଅନେକ ଓଡ଼ିଆ ଛାତ୍ର ରାଜଧାନୀ କିଭ୍କୁ ଯାଇଥିବା ବେଳେ ବିମାନ ଚଳାଚଳ ନ ଥିବାରୁ ସେଠାରେ ଅଟକି ରହିଛନ୍ତି। କେନ୍ଦ୍ର ସରକାର ପଶ୍ଚିମ ସୀମାରୁ ଭାରତୀୟଙ୍କୁ ଉଦ୍ଧାର କରୁଥିବା ସୂଚନା ମିଳିଛି। ହେଲେ ସେଠାର ଦୂରତା ପ୍ରାୟ ୧୨ଶହ କି.ମି.। ଗାଡ଼ି ଚଳାଚଳ ମଧ୍ୟ ନାହିଁ। ପୂର୍ବ ସୀମାରୁ ଭାରତୀୟଙ୍କୁ ଉଦ୍ଧାର କରିବା ଲାଗି ଭାରତୀୟ ଦୂତାବାସ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ସୂଚନା ଆସିନାହିଁ। ଛାତ୍ରଛାତ୍ରୀମାନେ ଏହି ସୂଚନାକୁ ଅପେକ୍ଷା କରି ରହିଥିବା ଦିନେଶ ସୂଚନା ଦେଇଛନ୍ତି।
ସେହିପରି କିଭ୍ରେ ଅଟକି ରହିଥିବା ପଟିଆ ଅଞ୍ଚଳର ନୃସିଂହ ସାହୁ କହିଛନ୍ତି, ରାଜଧାନୀର ବୋଗୋମୋଲେଟ୍ସ୍ଥିତ ଏକ ମେଡିକାଲ ବିଶ୍ବବିଦ୍ୟାଳୟର ହଷ୍ଟେଲ୍ ବଙ୍କରରେ ରହିବାକୁ ପଡ଼ୁଛି। ନିୟମିତ ବ୍ୟବଧାନରେ ବୋମା ମାଡ଼ର ଶବ୍ଦ ଶୁଣିବାକୁ ମିଳୁଛି। ଖାଦ୍ୟ ପଦାର୍ଥର ବ୍ୟବସ୍ଥା କରିବା ଲାଗି କନସଲଟାନ୍ସି ସଂସ୍ଥାକୁ କୁହାଯାଇଛି। ସେମାନେ ବ୍ୟବସ୍ଥା କରିବେ ବୋଲି ସୂଚନା ଦେଇଛନ୍ତି। ଯେହେତୁ ଭୁବନେଶ୍ବରରେ ପରିବାର ଲୋକ ବ୍ୟସ୍ତ ହେଉଛନ୍ତି ସେମାନଙ୍କ ସହିତ ନିୟମିତ ଭିଡିଓ କଲ୍ରେ ଯୋଗାଯୋଗରେ ରହିବାକୁ ପଡ଼ୁଛି। ବର୍ତମାନ ପରିସ୍ଥିତିରେ ପଶ୍ଚିମ ସୀମାରେ ପହଞ୍ଚିବା ସମ୍ଭବ ନୁହେଁ। ତେଣୁ ଯେ ପର୍ଯ୍ୟନ୍ତ କିଛି ବ୍ୟବସ୍ଥା ନ ହୋଇଛି ଏଠାରେ ରହିବାକୁ ପଡ଼ିବ। ମାତ୍ର ଏଠାରେ ଯେଉଁଭଳି ସ୍ଥିତି ରହିଛି ପ୍ରତି ମୁହୂର୍ତରେ ଭୟ ଲାଗୁଛି। ଋଷ ସେନା ଏ ପର୍ଯ୍ୟନ୍ତ ରାଜଧାନୀ କିଭ୍ ଅଞ୍ଚଳକୁ ଆସି ନ ଥିବା ନୃସିଂହ ‘ସମ୍ବାଦ’କୁ ସୂଚନା ଦେଇଛନ୍ତି।