ଭିତ୍ତିପ୍ରସ୍ତରରେ ଅଟକିଛି ଓଡ଼ିଆ ବିଶ୍ବବିଦ୍ୟାଳୟ ଭାଗ୍ୟ

ଭୁବନେଶ୍ବର : ବର୍ଷେ ପୂର୍ବରୁ ଐତିହ୍ୟ କ୍ୟାବିନେଟ୍‌ରେ ଅନୁମୋଦନ ହେଲା। ଐତିହ୍ୟସମ୍ପନ୍ନ ପଞ୍ଚସଖାଙ୍କ କର୍ମପୀଠ ‘ବକୁଳବନ’ରେ ଜମି ଚିହ୍ନଟ ହେଲା। ୮ ମାସ ପୂର୍ବେ ଆଡ଼ମ୍ବର ସହକାରେ ଭିତ୍ତିପ୍ରସ୍ତର ପର୍ବ ବି ଆୟୋଜନ ହେଲା। ପ୍ରାରମ୍ଭିକ କାର୍ଯ୍ୟ ପାଇଁ ୧୦ କୋଟି ଟଙ୍କା ମଂଜୁର ସହ ଓଏସ୍‌ଡି( ଅଫିସର୍ସ ଇନ୍‌ ସ୍ପେସାଲ୍‌ ଡ୍ୟୁଟି)ଙ୍କୁ ନିଯୁକ୍ତି ଦିଆଗଲା। ଅଥଚ ଏତେ ବଡ଼ ମହତ୍‌ ପରିକଳ୍ପନା ସେତିକିରେ ଅଟକିଗଲା। ଶିଳାନ୍ୟାସ ବେଳେ ଫଳକରେ ନାଁ ଖୋଦି ବାଃ ବାଃ ନେବା ପରେ ଯେମିତି ବିଶ୍ବବିଦ୍ୟାଳୟ କଥା ପାସୋରି ଦେଲେ। ଏଯାଏଁ ଇଟା ଖଣ୍ଡେ ବି ପକାଇଲେ ନାହିଁ।

ଗୋପବନ୍ଧୁଙ୍କ ଜୟନ୍ତୀ ଅବସରରେ ଅକ୍ଟୋବର ୯ ତାରିଖରେ ଓଡ଼ିଆ ବିଶ୍ବବିଦ୍ୟାଳୟର ଭିତ୍ତି ପଡ଼ିଥିଲା। ବକୁଳବନ ଓ ଏହାର ନିକଟବର୍ତୀ ଅଞ୍ଚଳରୁ ସାକ୍ଷୀଗୋପାଳ ଜିଉଙ୍କର ୨୯ଏକର ଜମି ସରକାର କିଣିଥିଲେ। ୨ ବର୍ଷ ମଧ୍ୟରେ କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ସରକାରଙ୍କର ଏହି ଧାର୍ଯ୍ୟ ସମୟରୁ ବୁଝାପଡ଼ୁଥିଲା ଅନ୍ତତଃ ୩ ବର୍ଷ ମଧ୍ୟରେ ଓଡ଼ିଆ ଭାଷାରେ ଉଚ୍ଚଶିକ୍ଷା ସହ ଗବେଷଣା ପାଇଁ ସୁଯୋଗ ସୃଷ୍ଟି ହେବ। ଓଡ଼ିଆ ବିଶ୍ବବିଦ୍ୟାଳୟର ଲକ୍ଷ୍ୟ ସାଧିତ ହେବ। ମାତ୍ର ୮ ମାସ ବିତି ଯାଇଥିଲେ ସୁଦ୍ଧା ଏଯାଏଁ ନିର୍ମାଣର ମୂଳଦୁଆ ପଡ଼ି ପାରିନାହିଁ। ତେଣୁ ଧାର୍ଯ୍ୟ ଲକ୍ଷ୍ୟକୁ ନେଇ ସରକାର ଯେଉଁ ସ୍ବପ୍ନ ଦେଖାଇଥିଲେ, ତାହା ‌କେବେ ପୂର୍ଣ୍ଣାଙ୍ଗ ରୂପ ନେବ, ତାହା ଏବେ ପ୍ରଶ୍ନବାଚୀ। ‌ଏପରି ସ୍ଥିତି ଦେଖିବା ପରେ କିଛି ଓଡ଼ିଆ ପ୍ରିୟ ବ୍ୟକ୍ତି କହୁଛନ୍ତି, ବୋଧେ ସରକାର ଶିଳାନ୍ୟାସ ପରେ ଏ ବାବଦରେ ଭୁଲି ଯାଇଛନ୍ତି।

ବାସ୍ତବରେ ‘ଓଡ଼ିଆ ବିଶ୍ବବିଦ୍ୟାଳୟ’ର ପରିକଳ୍ପନା ୧୦ବର୍ଷ ତଳେ ଜନ୍ମ ନେଇଥିଲା। ଓଡ଼ିଆ ଭ‌ାଷା, ସାହିତ୍ୟ ଓ ଦର୍ଶନକୁ ବିଶ୍ବବିଦିତ କରିବା‌ ଉଦ୍ଦେଶ୍ୟ ନେଇ ୨୦୦୮-୦୯ ମସିହା‌ରେ କିଛି ଚିନ୍ତକ ଓ ସାହିତ୍ୟିକ ଏକାଠି ହୋଇ ୨ଟି କାର୍ଯ୍ୟକ୍ରମ ହାତକୁ ନେଇଥିଲେ। ପ୍ରଥମତଃ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଏବଂ ଦ୍ବିତୀୟ ଉଦ୍ଦେଶ୍ୟ ଥିଲା ଓଡ଼ିଆ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା। କୃଷ୍ଣ ବେହେରା, ନଟବର ଶତପଥୀ, ପଞ୍ଚାନନ କାନୁନ୍‌ଗୋ, ସୁବ୍ରତ ପୃଷ୍ଟି ଓ ଶୁଭକାନ୍ତ ବେହେରା ମିଳିତ ଭାବେ ଏହି ଉଦ୍ୟମ ଆରମ୍ଭ କରିଥିଲେ। ପରବର୍ତୀ ସମୟରେ ଭାଷାବିତ୍‌ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଓ ଅନ୍ୟମାନେ ଯୋଡ଼ି ହୋଇଥିଲେ। ଅରବିନ୍ଦ ପାଢ଼ୀ ଆର୍‌ଡିସି ଥିବା ସମୟରେ ବାଙ୍କି ଡମପଡ଼ା ଅଞ୍ଚଳରେ ଫକୀରମୋହନଙ୍କ ୬ମାଣ ଆଠ ଗୁଣ୍ଠ ଜମି ସମେତ ବିଶ୍ବବିଦ୍ୟାଳୟ ପାଇଁ ଜମି ଚିହ୍ନଟ ହୋଇଥିଲା। ଶହେ ଏକର ପରିମିତ ଜମିରେ ଓଡ଼ିଆ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ନେଇ ଲକ୍ଷ୍ୟ ରଖାଯାଇଥିଲା। ସରକାରୀ ଓ ବେସରକାରୀ ତଥା ପିପିପି ମୋଡ୍‌ରେ ଏହି ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ ରୂପ ଦେବାକୁ ଅଣ୍ଟା ଭିଡ଼ିଥିଲେ। ମାତ୍ର ୨୦୧୪ ମସିହା‌ ଇସ୍ତାହାର ମୁତାବକ ସରକାରୀ ସ୍ତରରେ ଏହି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ନେଇ ପ୍ରକ୍ରିୟା ଆରମ୍ଭ ହେଲା।

ଏନେଇ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ କହିଛନ୍ତି, ଓଡ଼ିଆ ଭାଷାରେ ବିଭିନ୍ନ ବୈଷୟିକ ଶିକ୍ଷା ସହ ଓଡ଼ିଆ ଭାଷା ପ୍ରତି ଆଗ୍ରହ ବୃଦ୍ଧି କରିବା, ଅନେକ ଓଡ଼ିଆ ପ୍ରାଚୀନ ଗ୍ରନ୍ଥ ଉଦ୍ଧାର କରି ତାକୁ ଭାଷାନ୍ତର କରିବା, ବିଭିନ୍ନ ସମୟର ଓଡ଼ିଆ ଦାର୍ଶନିକମାନଙ୍କ ବିଚାରକୁ ସମସାମୟିକ ଦର୍ଶନ ଶାସ୍ତ୍ର ସହ ବିଶ୍ଳେଷଣାତ୍ମକ ଗବେଷଣା କରିବା ଦିଗରେ ଓଡ଼ିଆ ବିଶ୍ବବିଦ୍ୟାଳୟର ଭୂମିକା ରହିବ। ମୂଳରୁ ଏହି ପରିକଳ୍ପନା ସହିତ ଆମେ ଜଡ଼ିତ ଥିବାରୁ ଆମ ଭିତରୁ ଅନ୍ତତଃ ଜଣଙ୍କୁ ଏହି ପ୍ରକଳ୍ପ ତ୍ବରାନ୍ବିତ କାର୍ଯ୍ୟରେ ସଂଶ୍ଳିଷ୍ଟ କରାଯାଉ ବୋଲି ସେ କହିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଓଡ଼ିଆ ବିଶ୍ବବିଦ୍ୟାଳୟ ପ୍ରାଥମିକ କାର୍ଯ୍ୟ ପରିଚାଳନା ପାଇଁ ପୁରୀ ଜିଲ୍ଲାପାଳଙ୍କୁ ଦାୟିତ୍ବ ଦିଆଯାଇଥିଲା। ଖୁବ୍‌ଶୀଘ୍ର କୁଳପତି, କୁଳସଚିବ ନିଯୁକ୍ତି ନେଇ ପଦକ୍ଷେପ ମଧ୍ୟ ନିଆଯାଇଥିଲା। ତୋଷାଳି ପ୍ଲାଜାରେ ଅସ୍ଥାୟୀ କ୍ୟାମ୍ପସ ଖୋଲିବାକୁ ନିଷ୍ପତ୍ତି ହୋଇଥିଲା। ମାତ୍ର ଏହାକୁ ବି ଏଯାଏଁ ସାକାର ରୂପ ଦିଆଯାଇ ପାରିଲା ନାହିଁ।

ସମ୍ବନ୍ଧିତ ଖବର