ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ ପାଦେ ଆଗେଇଲେ ସରକାର : ଶିଳାନ୍ୟାସର ଠିକ୍ ବର୍ଷକ ପ‌ରେ ହେଲା ଜମି କିଣା, ୯ ଏକର ୬୦ ଡେସିମିଲ ଜମି ପାଇଁ ଦେଲେ ୧୧କୋଟି ୩୩ଲକ୍ଷ

ପୁରୀ/ସାକ୍ଷୀଗୋପାଳ : ସତ୍ୟବାଦୀ ବକୁଳବନରେ ପ୍ରସ୍ତାବିତ ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ ସରକାର ଗୋଟିଏ ପାଦ ଆଗେଇଛନ୍ତି। ବିଶ୍ବବିଦ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥା‌ପନର ଠିକ୍ ବର୍ଷକ ପ‌ରେ ବିଶ୍ବବିଦ୍ୟାଳୟ ପାଇଁ ରାଜ୍ୟ ସରକାର ଶ୍ରୀଗୋପୀନାଥ ଦେବ ଟ୍ରଷ୍ଟ ବୋର୍ଡଠାରୁ ୯ ଏକର ୬୦ ଡେସିମିଲ ଜମି କିଣିଛନ୍ତି। ଫଳରେ ବିଳମ୍ବ‌ରେ ହେଲେ ବି ଓଡ଼ିଆ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଓ ଏହାର ଅଗ୍ରଗତିକୁ ନେଇ ଯଉଁ ଆଶଙ୍କା ରହିଥିଲା ତାହା ଦୂର ହୋଇଛି। ଖୁବଶୀଘ୍ର ବିଶ୍ବବିଦ୍ୟାଳୟ ଭିତ୍ତିଭୂମି ପ୍ରତିଷ୍ଠା କାମ ଆରମ୍ଭ ହେବ ବୋଲି ଜଣାପଡିଛି।

ଆଜି ସତ୍ୟବାଦୀ ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣା ନେଇ ଚୁକ୍ତିପତ୍ର ସଂପନ୍ନ ହୋଇଛି। ସରକାର ଜମିର ମୂଲ୍ୟ ବାବଦକୁ ୧୧ ‌କୋଟି ୩୩ଲକ୍ଷ ୫୮ ହଜାର ଟଙ୍କା ଗୋପୀନାଥଙ୍କ ଦେବ ଟ୍ରଷ୍ଟଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ଜମା କରିଛନ୍ତି। ମନ୍ଦିର ଟ୍ରଷ୍ଟବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ମିଶ୍ର ଓ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ଶାସନ ସଚିବ ତଥା ଓଡ଼ିଆ‌ ବିଶ୍ବବିଦ୍ୟାଳୟର ଓଏସ୍‌ଡି ଜୟନ୍ତ ନାରାୟଣ ଷଡ଼ଙ୍ଗୀ ଉପସ୍ଥିତ ରହି ଉପନିବନ୍ଧକ ସନ୍ତୋଷ କୁମାର ପତିଙ୍କ କାର୍ଯ୍ୟାଳୟରେ ପ୍ରସ୍ତୁତ ହୋଇଥିବା କ୍ରୟ ବିକ୍ରୟ ଦଲିଲ‌ରେ ସ୍ବାକ୍ଷର କରିଛନ୍ତି। ଜମି କ୍ରୟ ବିକ୍ରୟ ନିୟମ ଅନୁଯାୟୀ ଜମିର କ୍ରେତା ଓଡ଼ିଆ ବିଶ୍ବବିଦ୍ୟାଳୟ ଓଏସ୍‌ଡିଙ୍କ ତରଫରୁ ସତ୍ୟବାଦୀ ତହସିଲଦାର କସ୍ତୁରୀ ପ୍ରଧାନ ଓ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ତରଫରୁ ମନ୍ଦିର ସୁପରଭାଇଜର ବିଶ୍ବନାଥ ମହାପାତ୍ର ଏହି ଦେଣ-ନେଣ ପ୍ରକ୍ରିୟାରେ ସାକ୍ଷୀ ପଡ଼ିଥିଲେ। ଫୁଲ ଅଳସା ମୌଜାର ଖାତା ନଂ ୧୧ରେ ଏହି ସବୁ ଜମି ରହିଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ ଯେ, ଗତ ୨୦୧୮ ଅକ୍ଟୋବର ୯ ତାରିଖ ଗୋପବନ୍ଧୁ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସତ୍ୟବାଦୀର ବକୁଳବନରେ ଓଡ଼ିଆ ବିଶ୍ବବିଦ୍ୟାଳୟର ଶିଳାନ୍ୟାସ କରିଥିଲେ। ସତ୍ୟବାଦୀ ଗୋପୀନାଥ ଦେବଙ୍କ ଜମିରେ ଏହି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଯୋଜନା ହୋଇଥିଲା। ସତ୍ୟବାଦୀ ତହସିଲ ଅନ୍ତର୍ଗତ ଫୁଲ ଅଳସା ମୌଜାର ୨୯ ଏକର ଜମିରେ ବିଶ୍ବବିଦ୍ୟାଳୟ ପାଇଁ ଜମି ଚିହ୍ନଟ ହୋଇଥିଲା। ତେବେ ଏହି ଜମିର ମାଲିକ ସତ୍ୟବାଦୀ ଗୋପୀନାଥ ଦେବ ହୋଇଥିବା ଦୃଷ୍ଟିରୁ ରାଜ୍ୟ ସରକାର ଏ ଜାଗା କିଣିବାକୁ ଦେବୋତ୍ତର କମିସିନଙ୍କୁ ଆବେଦନ କରିଥିଲେ। ଓଡ଼ିଶା ହିନ୍ଦୁ ଦେବୋତ୍ତର ଆଇନର ଧାରା-୧୯ ମୁତାବକ ସରକାର ଜମିକୁ କିଣିବାକୁ ଆବେଦନ କରିଥିଲେ। ଦେବୋତ୍ତର କମିସନ ମଧ୍ୟ ଏହାର ବିଚାର କରି ବଜାର ଦରରେ ଜମିର ମୂଲ୍ୟ ୩୫କୋଟି ଟଙ୍କା ଧାର୍ଯ୍ୟ କରିଥିଲେ। ଜମିର ଦର ଧାର୍ଯ୍ୟ ହେବା ପରେ ଦେବୋତ୍ତର କମିସନର ଜମି ବିକ୍ରି ପାଇଁ ଗତବର୍ଷ ଅକ୍ଟୋବର ୬ ତାରିଖରେ ଗୋପୀନାଥ ଦେବ ଏଣ୍ଡାମେଣ୍ଟ୍ ଟ୍ରଷ୍ଟ ବୋର୍ଡକୁ ଅନୁମତି ଦେଇଥିଲେ। ତେବେ ୬ ମାସ ଭିତରେ ଅର୍ଥ ପୈଠ କରିବାକୁ କୁହାଯାଇଥିଲା। ସରକାର ମଧ୍ୟ ଏ ପ୍ରସ୍ତାବରେ ରାଜି ହୋଇଥିଲେ। ବିକ୍ରି ଲବ୍ଧ ଅର୍ଥରେ ଏକ କର୍ପସ ପାଣ୍ଠି ଗଠନ କରାଯିବ। ଏହି ଟଙ୍କା ସେହି ପାଣ୍ଠିରେ ରହିବ। ଲବ୍ଧ ଅର୍ଥରେ ମନ୍ଦିରର ଉନ୍ନୟନ କରାଯିବ ବୋଲି ଯୋଜନା ହୋଇଥିଲା। ତେବେ ବଜେ‌ଟରେ ବ୍ୟୟ ବରାଦ ନ ଥିବାରୁ ଜମି କିଣାରେ ଅଗ୍ରଗତି ଘଟିନଥିଲା। ଗତ ବଜେଟରେ ସରକାର ଓଡ଼ିଶା ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ୧୫ କୋଟି ଟଙ୍କା ବ୍ୟୟ ବରାଦ କରିଥିଲେ। ଫନି ପରେ ଏ ନେଇ ମୁଖ୍ୟ ଶାସନ ସଚିବ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପ୍ରକ୍ରିୟାକୁ ତ୍ବରାନିତ୍ବ କରିବାକୁ ତାଗିଦ କରିଥିଲେ। ଜମି ମିଳିନଥିବାରୁ ଓଡ଼ିଆ ବିଶ୍ବବିଦ୍ୟାଳୟ ପ୍ରତି ଆନ୍ତରିକତାକୁ ନେଇ ‘ସମ୍ବାଦ’ରେ ଲଗାତର ଖବର ପରିବେଷଣ କରାଯାଇଥିଲା। ଏ ନେଇ ବିଧାନସଭାରେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ପ୍ରଶ୍ନ ଉଠାଇଥିଲେ। ଏବେ ପ୍ରସ୍ତାବିତ ୨୯ ଏକର ମଧ୍ୟରୁ ବକୁଳବନ ଥିବା ୧୯ ଏକର ୧୪ ଡେସିମିଲ ଜମିକୁ ବାଦ ଦିଆଯାଇ ଅବଶିଷ୍ଟ ଜମି କିଣାଯାଇଛି।

ସମ୍ବନ୍ଧିତ ଖବର