ପ୍ରସ୍ତୁତ ହେଲା ଓଡ଼ିଆ ବିଶ୍ୱବିଦ୍ୟାଳୟର ରୂପରେଖ, ଖୋଲିବ ୫ଟି ସ୍କୁଲ

୧୦ ହଜାର ୫୦୦ ବର୍ଗଫୁଟ୍‌ ଜମିରେ ହେବ ପ୍ରଶାସନିକ କୋଠା, କ୍ୟାମ୍ପସରେ ରହିବ କାଫେଟେରିଆ, ପ୍ରେକ୍ଷାଳୟ, ୩ଟି ହଷ୍ଟେଲ

ଭୁବନେଶ୍ୱର : ୯.୬୦ ଏକର ଜମି କିଣିବା ପରେ ଆଉ ପାଦେ ଆଗେଇଛି ଓଡ଼ିଆ ବିଶ୍ବବିଦ୍ୟାଳୟ। ପୁରୀ ଜିଲ୍ଲା ସତ୍ୟବାଦୀରେ ପ୍ରତିଷ୍ଠା ହେବାକୁ ଥିବା ଏହି ବିଶ୍ବବିଦ୍ୟାଳୟର ରୂପରେଖ ପ୍ରସ୍ତୁତ କରିଛି ଉଚ୍ଚଶିକ୍ଷା ବିଭାଗ। ୧୦ ହଜାର ୫୦୦ ବର୍ଗ ଫୁଟ୍‌ ଜମିରେ ପ୍ରଶାସନିକ କୋଠା ନିର୍ମାଣ ହେବ। ଏଥିସହ କ୍ୟାମ୍ପସରେ ୧୫ ହଜାର ବର୍ଗ ଫୁଟ୍‌ ଅଞ୍ଚଳରେ ବିଶାଳ ପ୍ରେକ୍ଷାଳୟ ନିର୍ମାଣ କରିବାକୁ ପ୍ରସ୍ତାବ ରହିଛି। ୩ ହଜାର ବର୍ଗ ଫୁଟ୍‌ରେ କାଫେଟେରିଆ, ୧୦୦ ଶର୍ଯ୍ୟା ବିଶିଷ୍ଟ ଗୋଟିଏ ଲେଖାଏ ଛାତ୍ରାବାସ ଓ ଛାତ୍ରୀନିବାସ, ଗବେଷଣାରତ ଛାତ୍ରଛାତ୍ରୀଙ୍କ ପାଇଁ ୬୦ ଶଯ୍ୟା ବିଶିଷ୍ଟ ଏକ ହଷ୍ଟେଲ କରିବାକୁ ନିଷ୍ପତ୍ତି ହୋଇଛି।

ସବୁଠାରୁ ବଡ଼ ପଦକ୍ଷେପ ସ୍ବରୂପ ବିଶ୍ବବିଦ୍ୟାଳୟରେ ୫ଟି ବିଭାଗ ତଥା ସ୍କୁଲ ଖୋଲିବ। ସମସ୍ତ ସ୍କୁଲ ପାଇଁ ଅଲଗା ଅଲଗା କୋଠା ନିର୍ମାଣ ହେବ। ୧୯ ହଜାର ୯୨୦ ବର୍ଗ ଫୁଟ୍‌ରେ ପ୍ରତି ବିଲଡିଂ ନିର୍ମାଣ ହେବ। ଏହିପରି ଭା‌ବେ ୯୯ ହଜାର ୬୦୦ ବର୍ଗ ଫୁଟ୍‌ ଜାଗାରେ ୫ଟି ସ୍କୁଲ ନିର୍ମାଣ କରିବାକୁ ଯୋଜନା ରଖାଯାଇଛି। ‌ଗୋଟିଏ ସ୍କୁଲରେ ୨ଟି ବଡ଼ କ୍ଲାସ ରୁମ୍‌(୨୫୦୦ ବର୍ଗଫୁଟ୍‌), ୩ଟି ଛୋଟ କ୍ଲାସରୁମ୍‌(୨୨୫୦ ବର୍ଗଫୁଟ୍‌), ଗୋଟିଏ ଡିନ୍‌ ରୁମ୍‌ ଓ ୩ଟି ହେଡ୍‌ ରୁମ୍‌ ସହ ମୋଟ ୧୨ଟି ଅଧ୍ୟାପକ ରୁମ୍‌, ଗୋଟିଏ ସେମିନାର ରୁମ୍‌, ଛାତ୍ର ଓ ଛାତ୍ରୀଙ୍କ ପାଇଁ ଗୋଟିଏ ଲେଖାଏ କମନ୍‌ ରୁମ୍‌, ପାଠଗାର ଓ କମ୍ପ୍ୟୁଟର ଲ୍ୟାବ୍‌, ଅଫିସ୍‌ ଓ ଷ୍ଟୋର, ସମ୍ମିଳନୀ ରୁମ୍‌, ୪ଟି କମନ୍‌ ୱାସ୍‌ରୁମ୍‌ ଓ ୪ଟି ପର୍ସନାଲ ୱାସ୍‌ରୁମ୍‌ ରହିଛି। ଏହାବ୍ୟତୀତ ପ୍ରତି ସ୍କୁଲ ଲାଗି କମନ୍‌ ଏରିଆ, କରିଡର, ଶୌଚାଳୟ ଆଦି ସୁବିଧା ବି ରହିବ। ‌

ସେହିପରି ପ୍ରଶାସନିକ କୋଠାରେ କୁଳପତି, କୁଳସଚିବଙ୍କ କାର୍ଯ୍ୟଳୟ ସମେତ ସେମାନଙ୍କ ପିଏ ଓ ପିଏସ୍‌ଙ୍କ କାର୍ଯ୍ୟାଳୟ ରହିବ। ଏଥିସହ ବିତ୍ତ ନିୟନ୍ତ୍ରକ, ପରୀକ୍ଷା ନିୟନ୍ତ୍ରକ, ଉପ ପରୀକ୍ଷା ନିୟନ୍ତ୍ରକ, ଉପ-କୁଳସଚିବ, ଷ୍ଟୋର୍‌ ରୁମ୍‌, ପ୍ରଶାସନିକ ହଲ୍‌-୧, ପରୀକ୍ଷା ହଲ୍‌-୨, ସମ୍ମିଳନୀ କକ୍ଷ, କୁଳପତିଙ୍କ ପାଇଁ ସ୍ବତନ୍ତ୍ର ଭାବେ ଛୋଟ ସମ୍ମିଳନୀ କକ୍ଷ, ମହିଳା ଓ ପୁରୁଷଙ୍କ ପାଇଁ ୪ଟି ଲେଖାଏ ୱାସ୍‌ ରୁମ୍‌ ଆଦି ରହିବ।

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଶ୍ବବିଦ୍ୟାଳୟ କ୍ୟାମ୍ପସର ବ୍ଲପ୍ରିଣ୍ଟ ପ୍ରସ୍ତୁତ କରାଯିବା ପରେ ନିର୍ମାଣ ଶୈଳୀ ପ୍ରସ୍ତୁତ କରିବାକୁ ପୂର୍ତ ବିଭାଗର ମୁଖ୍ୟଯନ୍ତ୍ରୀ(କୋଠା)ଙ୍କୁ କୁହାଯାଇଛି। ନିର୍ମାଣ ଶୈଳୀ ପ୍ରସ୍ତୁତ କରିବା ସମୟରେ କିଛି ବିଷୟ ଉପରେ ଧ୍ୟାନ ହେବାକୁ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ବତ ମିଶ୍ର ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ନିର୍ମାଣ ଶୈଳୀ ପ୍ରସ୍ତୁତ ସମୟରେ ଆବଶ୍ୟକତାଠାରୁ ଅଧିକ ଜମି ବ୍ୟବହାର ନ କରିବା ଉପରେ ଧ୍ୟାନ ଦେବେ। କ୍ୟାମ୍ପସରେ ଜମି ଖାଲି ରହିଲେ ସେଥିରେ ଆଗକୁ ସମ୍ପ୍ରସାରଣ କରାଯିବ। ସବୁଜ କ୍ୟାମ୍ପସ କରିବା ଉପରେ ସଚିବ ଗୁରୁତ୍ବାରୋପ କରିଛନ୍ତି। ସମ୍ପୂର୍ଣ୍ଣ କ୍ୟାମ୍ପସରେ ଓଡ଼ିଶାର ସ୍ଥାପତ୍ୟ ସ୍ଥାନ ପାଇବ। ନିର୍ମାଣରେ ପାରମ୍ପରିକ ସାମଗ୍ରୀ ବ୍ୟବହାର କରିବା, ବହୁ ମହଲା କୋଠା ନିର୍ମାଣ ନ କରିବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର