ଓଡ଼ିଆ ଭାଷା ପ୍ରତି ଆନ୍ତରିକତା ଏମିତି : ଶିଳାନ୍ୟାସ କରି ବିଶ୍ୱବିଦ୍ୟାଳୟକୁ ଭୁଲିଗଲେ

୨୦ ମାସ ପ‌ରେ ବି ଜମି କିଣାରେ ସବୁକିଛି ଅଟକିଛି
ଇଟା ଖଣ୍ଡେ ପଡ଼ିନି କି ଅସ୍ଥାୟୀ କ୍ୟାମ୍ପସ ପାଇଁ ପ୍ରସ୍ତୁତି ନାହିଁ
ଭୋଟ ପାଇଁ ଭାଷାର ବ୍ୟବହାର ହୋଇଛି: ପ୍ରସାଦ ହରିଚନ୍ଦନ
ବିଳମ୍ବ ହୋଇଛି, କିନ୍ତୁ ଖୁବଶୀଘ୍ର ହେବ ଟେଣ୍ଡର: ବିଧାୟକ

ପୁରୀ : ବହୁ ପ୍ରତୀକ୍ଷିତ ସତ୍ୟବାଦୀ ବକୁଳବନରେ ପ୍ରସ୍ତାବିତ ଓଡ଼ିଆ ବିଶ୍ବବିଦ୍ୟାଳୟର ଭାଗ୍ୟ, ଭବିଷ୍ୟତ ଅନ୍ଧାରରେ। ଏହି ପ୍ରକଳ୍ପ ବାସ୍ତବ ରୂପ ନେବ କି ନାହିଁ, ତାହାକୁ ନେଇ ସ୍ଥାନୀୟ ଲୋକଙ୍କଠାରୁ ଆରମ୍ଭ କରି ଭାଷାବିତ୍‌ଙ୍କ ପର୍ଯ୍ୟନ୍ତ ସବୁ ମହଲରେ ଆଶା ଆଶଙ୍କା ବଢ଼ିବାରେ ଲାଗିଛି। ଏଇଥିପାଇଁ ଯେ ଶିଳାନ୍ୟାସର ୨୦ ମାସ ପରେ ଅର୍ଥାତ୍ ୬୬୫ଦିନ ଭିତରେ ସରକାର କେବଳ ଏହି ପ୍ରକଳ୍ପ ପାଇଁ ଜମି କିଣିବାକୁ ସମର୍ଥ ହୋଇଛନ୍ତି। ସରକାରଙ୍କ ଗୋଟିଏ ବିଭାଗରୁ ଆଉ ଗୋଟିଏ ବିଭାଗକୁ ଜମି ଆସିଛି। ପ୍ରକଳ୍ପ ସ୍ଥାନ‌ରେ ଇଟା ଖଣ୍ଡେ ଏଯାଏ ପଡ଼ିନାହିଁ। କେବଳ ସେତିକି ନୁହେଁ, ଓଡ଼ିଆ ବିଶ୍ବବିଦ୍ୟା​ଳୟ ଲାଗି ନା ଅସ୍ଥାୟୀ କ୍ୟାମ୍ପସ ହୋଇଛି ନା ନିଯୁକ୍ତି, ପାଠ୍ୟକ୍ରମ ଆଦି ନେଇ କୌଣସି ପଦକ୍ଷେପ ନିଆଯାଇଛି। ସରକାର ବଜେଟରେ ୧୫ କୋଟି ଟଙ୍କା ମଞ୍ଜୁର କରି ସମ୍ଭବତଃ ଅଟକି ଯାଇଛନ୍ତି।

Odisha Sun Times

ବହୁ ବାଦବିବାଦ ପରେ ୨୦୧୮ ମସିହା ଅକ୍ଟୋବର ୯ ତାରିଖ ଉତ୍କଳମଣି ଗୋପବନ୍ଧୁଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସତ୍ୟବାଦୀର ବକୁଳବନରେ ଓଡ଼ିଆ ବିଶ୍ବବିଦ୍ୟାଳୟର ଶିଳାନ୍ୟାସ କରିଥିଲେ। ବହୁଆଡ଼ମ୍ବରରେ ଏହି ଶିଳାନ୍ୟାସ କରାଯାଇଥିଲା। ସତ୍ୟବାଦୀ ଗୋପୀନାଥ ଦେବଙ୍କ ଜମିରେ ଏହି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଯୋଜନା ହୋଇଥିଲା। ସତ୍ୟବାଦୀ ତହସିଲ ଅନ୍ତର୍ଗତ ଫୁଲଅଳସା ମୌଜାର ୨୯ ଏକର ଜମି ବିଶ୍ବବିଦ୍ୟାଳୟ ପାଇଁ ଚିହ୍ନଟ ହୋଇଥିଲା। ଏହି ଜମିର ମାଲିକ ସତ୍ୟବାଦୀ ଗୋପୀନାଥ ଦେବ ହୋଇଥିବା ଦୃଷ୍ଟିରୁ ରାଜ୍ୟ ସରକାର ଏ ଜାଗା କିଣିବାକୁ ଦେବୋତ୍ତର କମିସିନଙ୍କୁ ଆବେଦନ କରିଥିଲେ। ଓଡ଼ିଶା ହିନ୍ଦୁ ଦେବୋତ୍ତର ଆଇନର ଧାରା-୧୯ ମୁତାବକ, ସରକାର ବିଶ୍ବବିଦ୍ୟାଳୟ ପାଇଁ ପ୍ରସ୍ତାବିତ ଏହି ଜମି କିଣିବାକୁ ଆବେଦନ କରିଥିଲେ। ଦେବୋତ୍ତର କମିସନ ଏହାର ବିଚାର କରି ମୋଟ ଜମିର ବଜାର ଦରରେ ଜମିର ମୂଲ୍ୟ ୩୫କୋଟି ଟଙ୍କା ଧାର୍ଯ୍ୟ କରିଥିଲେ। ଜମିର ଦର ଧାର୍ଯ୍ୟ ହେବା ପରେ ଦେବୋତ୍ତର କମିସନର ଜମି ବିକ୍ରି ପାଇଁ ଗୋପୀନାଥ ଦେବ ଏଣ୍ଡାମେଣ୍ଟ୍ ଟ୍ରଷ୍ଟ ବୋର୍ଡକୁ ଅନୁମତି ଦେଇଥିଲେ। ମାତ୍ର ପରବର୍ତ୍ତୀ ସମୟରେ ପ୍ରସ୍ତାବିତ ୨୯ ଏକର ମଧ୍ୟରୁ ବକୁଳବନ ଥିବା ୧୯ ଏକର ୧୪ ଡେସିମିଲ ଜମିକୁ ବାଦ ଦିଆଯାଇ ଅବଶିଷ୍ଟ ଜମି କିଣାଯାଇଛି।

ରାଜ୍ୟ ସରକାର ଗତବର୍ଷ ଶ୍ରୀ ଗୋପୀନାଥ ଦେବ ଟ୍ରଷ୍ଟ ବୋର୍ଡଠାରୁ ୯ ଏକର ୬୦ ଡେସିମିଲ ଜମି କିଣିଥିଲେ। ଏଥିପାଇଁ ସତ୍ୟବାଦୀ ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଚୁକ୍ତପତ୍ର ସମ୍ପନ୍ନ ହୋଇଥିଲା। ସରକାର ଜମିର ମୂଲ୍ୟ ବାବଦକୁ ୧୧ ‌କୋଟି ୩୩ଲକ୍ଷ ୫୮ ହଜାର ଟଙ୍କା ଗୋପୀନାଥ ଦେବ ଟ୍ରଷ୍ଟଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ଜମା କରିଥିଲେ। ମାତ୍ର ବର୍ଷକ ତଳୁ ଜମି ଚୁକ୍ତିପତ୍ର ସ୍ବାକ୍ଷର ହୋଇଥିଲେ ହେଁ ଏହି ପ୍ରକଳ୍ପକୁ ‌ନେଇ ଜିଲ୍ଲା ପ୍ରଶାସନ କିମ୍ବା ସରକାର କୌଣସି ଆନ୍ତରିକତା ଦେଖାଇନାହାନ୍ତି। କେବଳ ଜମି କିଣାରେ ଏହି ପ୍ରକଳ୍ପ ଅଟିକଥିବାରୁ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି କି, ସରକାରଙ୍କ ସତ୍ୟବାଦୀରେ ଓଡ଼ିଆ ବଶ୍ବବିଦ୍ୟାଳୟକୁ ସବୁ ମହଲରେ ସ୍ବାଗତ କରାଯାଇଥିଲା। ତେବେ ଦେଢ଼ ବର୍ଷରୁ ଅଧିକ ସମୟ ବିତିଥିଲେ ମଧ୍ୟ ସରକାର ଭାଷ‌ା,ସଂସ୍କୃତି ବିଭାଗ ଦେବୋତ୍ତର ବିଭାଗରୁ କେବଳ ଜମି କିଣିବା ଛଡ଼ା ଅନ୍ୟ କୌଣସି ଠୋସ୍‌ ପଦକ୍ଷେପ ନେଇନାହାନ୍ତି। ଏଥିରୁ ବୁଝା ପଡ଼ୁଛି, ଭୋଟ ପାଇଁ ଭାଷାକୁ ବ୍ୟବହାର କରାଯାଇଥିଲା। ଯଦି ସରକାର ବିଶ୍ବବିଦ୍ୟାଳୟକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ କରିବା ପାଇଁ ତୁରନ୍ତ ପଦକ୍ଷେପ ନ ନିଅନ୍ତି, ତାହାଲେ ବୁଝାଯିବ ଯେ, ପୁଣି ଆଗାମୀ ଭୋଟ ପୂର୍ବରୁ ଓଡ଼ିଆ ଲୋକଙ୍କ ଭାବନାକୁ ଛୁଇଁବା ପାଇଁ ଲୋକ ଦେଖାଣିଆ ପଦକ୍ଷେପ ନେବା ଲାଗି ସରକାର ଅପେକ୍ଷା କରିଛନ୍ତି।

ଏ ସମ୍ପର୍କରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କୁ ପଚାରିବାରୁ ସେ ମଧ୍ୟ ପ୍ରକଳ୍ପରେ ବିଶେଷ ଅଗ୍ରଗତି ହୋଇନଥିବା ସ୍ବୀକାର କରିଛନ୍ତି। କେବଳ ଜମି କିଣାରେ ପ୍ରକଳ୍ପ ଅଟକିଛି। ତେବେ ସରକାର ଏଥିପାଇଁ ପଦକ୍ଷେପ ନେଉଛନ୍ତି। ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ। ପ୍ରକଳ୍ପ ଏବେ ଟେଣ୍ଡର ପ୍ରକ୍ରିୟାକୁ ଯାଇଥିବା ଶ୍ରୀ ସାମନ୍ତରାୟ କହିଛନ୍ତି।

ସମ୍ବନ୍ଧିତ ଖବର