ମୁଖ୍ୟମନ୍ତ୍ରୀ ନେଲେ ନିଷ୍ପତ୍ତି: ପଞ୍ଚସଖାଙ୍କ କର୍ମଭୂମି ସତ୍ୟବାଦୀର ବକୁଳ ବନରେ ଖୋଲିବ ଓଡ଼ିଆ ବିଶ୍ୱବିଦ୍ୟାଳୟ

ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ଏକ ବୈଠକରେ ପଞ୍ଚାସଖାଙ୍କ  କର୍ମଭୂମି ସତ୍ୟବାଦୀର ବକୁଳ ବନ ନିକଟରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବା ନେଇ ନିଷ୍ପତ୍ତି ହୋଇଛି। ଏହା ମୁଖ୍ୟମନ୍ତ୍ରୀ ନବୀନଙ୍କର ଏକ ଐତିହାସିକ ପଦକ୍ଷେପ।

ପରିବେଶ ଓ ଐତିହ୍ୟ ଉଭୟକୁ ଦୃଷ୍ଟିରେ ରଖାଯାଇ ଏହି ବିଶ୍ୱବିଦ୍ୟାଳୟ ନିର୍ମାଣ କାର୍ଯ୍ୟ କରାଯିବ। ବାଲିପଥରରେ ଏକ ମହଲା ବିଶିଷ୍ଠ କୋଠା ନିର୍ମାଣ କରାଯିବ ବୋଲି ସ୍ଥିର ହୋଇଛି। ଏଥିରେ ଉପାଧ୍ୟୁତ୍ତର ଶିକ୍ଷାଠାରୁ ଆରମ୍ଭ କରି ଓଡ଼ିଆରେ ଏମ୍‌ଫିଲ୍‌ ଓ ପିଏଚ୍‌ଡି ପର୍ଯ୍ୟନ୍ତ ରହିବ। ଖୁବ୍‌ ଶୀଘ୍ର ଏହି ବିଶ୍ୱବିଦ୍ୟାଳୟ ପାଇଁ ଜଣେ ଓଏସ୍‌ଡିଙ୍କୁ ନିଯୁକ୍ତି ଦିଆଯିବ। ଅସ୍ଥାୟୀ ଭାବେ କାର୍ଯ୍ୟାଳୟ ସତ୍ୟବାଦୀ ପାନ୍ଥନିବାସରେ ରହିବ।

ଚଳିତବର୍ଷ ଏହି ବିଶ୍ୱବିଦ୍ୟାଳୟ ସକାଶେ ଦଶ କୋଟି ଟଙ୍କାର ବଜେଟ ବ୍ୟୟ ବରାଦ କରାଯାଇଥିବା ବେଳେ କୁଳପତି, ରେଜିଷ୍ଟାର୍‌ ଆଦି ପଦବୀଗୁଡ଼ିକ ମଧ୍ୟ ସୃଷ୍ଟି କରାଯାଇଛି। ପୂର୍ବରୁ ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ଉତ୍କଳମଣି ଗୋପବନ୍ଧୁ, ଆଚାର୍ଯ୍ୟ ହରିହର, ପଣ୍ଡିତ୍‌ ନୀଳକଣ୍ଠ, ପଣ୍ଡିତ୍‌ ଗୋଦାବରୀଶ ଓ ପଣ୍ଡିତ୍‌ କୃପାସିନ୍ଧୁ ପଞ୍ଚସଖାଙ୍କ ଆଦର୍ଶର ପ୍ରଚାର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶ୍ୱବିଦ୍ୟାଳୟ ନିର୍ମାଣ ସକାଶେ ବକୁଳ ବନରୁ ଗୋଟିଏ ହେଲେ ଗଛ ଯେପରି କଟାଯିବ ନାହିଁ ବୋଲି ନିର୍ଦ୍ଦେଶ ହୋଇଛି।

ସମ୍ବନ୍ଧିତ ଖବର