ପୁରୀ/ସାକ୍ଷୀଗୋପାଳ: ସତ୍ୟବାଦୀ ପ୍ରେରଣାର ମାଟି। ଉତ୍କଳମଣି ଗୋପବନ୍ଧୁଙ୍କ ପବିତ୍ର କର୍ମଭୂମି। ପଞ୍ଚସଖାଙ୍କ ଏହି ସାଧନା ପୀଠରେ ପ୍ରତିଷ୍ଠିତ ହେବାକୁ ଯାଉଥିବା ଓଡ଼ିଆ ବିଶ୍ବବିଦ୍ୟାଳୟ ଓଡ଼ିଆ ନବଜାଗରଣର ବାର୍ତ୍ତାବହ ହେବ। ଓଡ଼ିଆ ଭାଷା, ସଂସ୍କୃତିର ପ୍ରଚାର ଓ ପ୍ରସାରରେ ସହାୟକ ହେବ ବୋଲି ଆଜି ସତ୍ୟବାଦୀ ବକୁଳବନରେ ଆୟୋଜିତ ଓଡ଼ିଆ ବିଶ୍ବବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଗୋପବନ୍ଧୁଙ୍କ ୧୪୧ତମ ପୂଣ୍ୟ ଜୟନ୍ତୀ ଅବସରରେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ, ଗୋପବନ୍ଧୁ ହେଉଛନ୍ତି ମାନବ ସେବାର ମୂର୍ତ୍ତିମନ୍ତ ପ୍ରତୀକ। ଏକଦା ଏହି ମାଟି ଥିଲା ଗୋପବନ୍ଧୁଙ୍କ ଜାତି ପ୍ରୀତିର ପ୍ରେରଣା ଭୂମି। ଆଜିର ଦିନଟି ଓଡ଼ିଶା ଇତିହାସରେ ଏକ ଗୌରବମୟ ଦିନ। ଏହି ମାଟିରେ ଓଡ଼ିଆ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଆଗାମୀ ଦିନରେ ଓଡ଼ିଆ ଭାଷା ଓ ସଂସ୍କୃତିର ପ୍ରଚାର, ପ୍ରସାରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ। ଏଭଳି ଏକ ପବିତ୍ର ଭୂମିରେ ଓଡ଼ିଆ ବିଶ୍ବବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରି ସେ ନିଜକୁ ଗୌରବାନ୍ବିତ ମେନ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀ ବକୁଳବନଠାରେ ପହଞ୍ଚିବା ପରେ ପ୍ରଥମେ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ଅବସରରେ ୩୦ଟି ଜିଲ୍ଲାରୁ ଆସିଥିବା ପବିତ୍ର ଜଳ ଓ ମାଟିରେ ବକୁଳବନରେ ବୃକ୍ଷରୋପଣ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ଓଡ଼ିଆ
ବିଶ୍ବବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ବିଶ୍ବବିଦ୍ୟାଳୟର ଫଳକ ଉନ୍ମୋଚନ କରିଥିଲେ। ପୁରୀ ଜିଲ୍ଲାପାଳ ଜ୍ୟୋତିିପ୍ରକାଶ ଦାସଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ କୁଳପତି, ରେଜିଷ୍ଟ୍ରାର ଓ ଅନ୍ୟାନ୍ୟ ପଦବି ସୃଷ୍ଟିି କରାଯାଇଥିବା କହିଥିଲେ। ଅତିରିକ୍ତ ସଚିବ ପାହ୍ୟାର ଜଣେ ଅଫିସରଙ୍କୁ ବିଶ୍ବବିଦ୍ୟାଳୟର ଓଏସ୍ଡି ଭାବେ ନିଯୁକ୍ତ କରାଯାଇଛି। ବକୁଳବନ ବିଦ୍ୟାଳୟ ପାଇଁ ପଞ୍ଚସଖା ଏକଦା େଯଉଁ ଦୀପ ଜାଳିଥିଲେ ତାହା ଆଜି ବିଶ୍ବବିଦ୍ୟାଳୟର ରୂପ ନେଇଛି ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ।
ଉତ୍ସବରେ ଯୋଗ ଦେଇ ରାଜସ୍ବ ମନ୍ତ୍ରୀ ମହେଶ୍ବର ମହାନ୍ତି କହିଥିଲେ, ଆଜିକୁ ୧୦୯ ବର୍ଷ ତଳେ ପଞ୍ଚସଖା ଯେଉଁ ମୁକ୍ତ ବିଶ୍ବବିଦ୍ୟାଳୟର ସ୍ବପ୍ନ ଦେଖିଥିଲେ ତାହା ଆଜି ସଫଳ ହୋଇଛି। ମୁଖ୍ୟମନ୍ତ୍ରୀ ପୁରୀକୁ ସର୍ବଦା ଗୁରୁତ୍ବ ଦେଇ ଆସିଛନ୍ତି। ସେଥିପାଇଁ ପୁରୀବାସୀ ତାଙ୍କ ପ୍ରତି କୃତଜ୍ଞ। ଶିଳାନ୍ୟାସ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ, ପୁରୀ ସାଂସଦ ପିନାକୀ ମିଶ୍ର, ବ୍ରହ୍ମଗିରି ବିଧାୟକ ସଂଜୟ ଦାସବର୍ମା, ନିମାପଡା ବିଧାୟକ ସମୀର ରଂଜନ ଦାଶ, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିସନର ଆର.ବାଲକ୍ରିଷ୍ଣନ୍, ଉଚ୍ଚଶିକ୍ଷା ବିଭାଗ ସଚିବ ବିଷ୍ଣୁପଦ ସେଠୀ ପ୍ରମୁଖ ମଂଚାସୀନ ହୋଇଥିଲେ। ଏଥି ସହିତ ବହୁ ଶିକ୍ଷାବିତ, ବୁଦ୍ଧିଜୀବୀ, ସାହିତ୍ୟ ଏକାଡେମୀର କର୍ମକର୍ତ୍ତାଙ୍କ ସମେତ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୩୦ ହଜାରରୁ ଅଧିକ ଲୋକ ଏହି ସମାବେଶରେ ଯୋଗ ଦେଇଥିଲେ। ସତ୍ୟବାଦୀର ବକୁଳବନସ୍ଥିତ ଫୁଲ ଅଳସା ମୌଜାର ୨୮.୭୪ ଏକର ପରିମିତ ଜାଗାରେ ଓଡ଼ିଆ ବିଶ୍ବବିଦ୍ୟାଳୟ ନିର୍ମାଣ କରାଯିବ। ଏଥି ପାଇଁ ରାଜ୍ୟ ଦେବୋତ୍ତର ବିଭାଗ ଜମି ବିକ୍ରି ପାଇଁ ଅନୁମତି ଦେଇସାରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/6-1.jpg)