ଓଡ଼ିଆ ବିଶ୍ବବିଦ୍ୟାଳୟ ଭିତ୍ତିପ୍ରସ୍ତର ପ୍ରସଙ୍ଗ, କଟାକ୍ଷ କଲେ ବିରୋଧୀ

ନବୀନ ସେଠାରେ ନାମ ଲେଖାନ୍ତୁ : ନିରଞ୍ଜନ,

ଭୁବନେଶ୍ବର: ସାକ୍ଷୀଗୋପାଳରେ ବହୁ ପ୍ରତୀକ୍ଷିତ ଓଡ଼ିଆ ବିଶ୍ବବିଦ୍ୟାଳୟର ଆଜି ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲା ବେଳେ ବିରୋଧୀ ଏହାକୁ ତାଛଲ୍ୟ କରିଛନ୍ତି। ବିଶେଷ କରି ମୁଖ୍ୟମନ୍ତ୍ରୀ ଓଡ଼ିଆ ଶିଖି ନ ଥିବାକୁ ପ୍ରସଙ୍ଗ କରି ଏହାକୁ ଲୋକଦେଖାଣିଆ ଓଡ଼ିଆ ପ୍ରେମ ଭାବେ ବିଜେପି ଅଭିହିତ କରିଛି। କଂଗ୍ରେସ ଆଉ ପାଦେ ଆଗେଇ ଯାଇ ନିଜେ ନବୀନ ବାବୁ ଓଡ଼ିଆ ଶିଖିବା ପାଇଁ ସେଠାରେ ନାମ ଲେଖାଇବାକୁ ପରାମର୍ଶ ଦେଇଛି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେପି ନେତା ବିଶ୍ବଭୂଷଣ ହରିଚନ୍ଦନ କହିଲେ, ମୁଖ୍ୟମନ୍ତ୍ରୀ ଓଡ଼ିଆ ବିଶ୍ବବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସ୍ବାଗତଯୋଗ୍ୟ। ସାଧାରଣ ନିର୍ବାଚନ ନିକଟ ହୋଇଯିବାରୁ ଲୋକମତକୁ ପ୍ରଭାବିତ କରିବାକୁ ଅସଂଖ୍ୟ ଯୋଜନା ଓ ତା’ର ଶିଳାନ୍ୟାସ କଲା ଭଳି ମୁଖ୍ୟମନ୍ତ୍ରୀ ଓଡ଼ିଆ ବିଶ୍ବବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ମାଧ୍ୟମରେ ନିଜର ଓଡ଼ିଆ ପ୍ରେମ ପ୍ରଦର୍ଶନ କରିବାକୁ ଚେଷ୍ଟା କରିଛନ୍ତି। ଏଥି ପ୍ରତି ମୁଖ୍ୟମନ୍ତ୍ରୀଙ୍କର କ’ଣ ପ୍ରକୃତ ନିଷ୍ଠା ଓ ଆନ୍ତରିକତା ଅଛି ନା ଏହା ତାଙ୍କର ନିର୍ବାଚନ ରଣକୌଶଳ ? ଦୀର୍ଘ ୧୮ ବର୍ଷ କାଳ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିବା ସ‌େତ୍ତ୍ବ ନବୀନ ବାବୁ ଏ ପର୍ଯ୍ୟନ୍ତ ଓଡ଼ିଆ ଜାଣି ନ ଥିବା, ଓଡ଼ିଆରେ କଥା କହୁ ନ ଥିବା କ’ଣ ତାଙ୍କ ଓଡ଼ିଆ ପ୍ରେମ ଓ ଓଡ଼ିଆତ୍ବର ନମୁନା ? ଦେଶରେ ଏପରି କୌଣସି ରାଜ୍ୟ ନାହିଁ, ଯେଉଁଠାରେ ତା’ର ମୁଖ୍ୟମନ୍ତ୍ରୀ ବା ଶାସକ ଶାସିତର ଭାଷା ଜ‌ାଣେ ନାହିଁ। ଅନ୍ୟ ସବୁ ରାଜ୍ୟରେ ସେମାନଙ୍କ ମାତୃଭାଷା ସରକାରୀ ଭାଷା ଭାବେ ପ୍ରଚଳିତ ଥିବା ବେଳେ ଓଡ଼ିଶାରେ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଆନ୍ତରିକତା ଅଭାବରୁ ଏଠି ଓଡ଼ିଆ ସରକାରୀ ଭାଷା ଭାବେ ସରକାରୀ ଦପ୍ତରମାନଙ୍କରେ ପ୍ରଚଳିତ ହୋଇପାରିନି। ବରୁଣେଇରେ ପ୍ରସ୍ତାବିତ ପାଇକ ବିଦ୍ରୋହ କଥା ଉଠାଇ ଶ୍ରୀ ହରିଚନ୍ଦନ କହିଲେ, ପାଇକ ବିଦ୍ରୋହର କେନ୍ଦ୍ର ସ୍ଥଳୀ ବରୁଣେଇ ପାହାଡ଼ ପାଖରେ ୫୦ ଏକର ଜମି ଦେଲେ ସେଠାରେ ପାଇକ ବିଦ୍ରୋହର ଏକ ମହାନ ସ୍ମାରକୀ ସ୍ଥାପନ କରିବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଇଓସିଏଲ୍ ଟ୍ରଷ୍ଟ ଫଣ୍ଡ୍‌ରୁ ଏଥି ପାଇଁ ୬୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଜମି ପାଇଁ ଉଭୟ ସଂସ୍କୃତି ମନ୍ତ୍ରୀ ଓ ପେଟ୍ରୋଲିୟମ୍ ମନ୍ତ୍ରୀ ସରକାରଙ୍କୁ ଚିଠି ଲେଖିଛନ୍ତି। ଏହି ପ୍ରକଳ୍ପଟି ଓଡ଼ିଆ ଜାତିର ଗର୍ବ ଓ ଗୌରବର ଗାଥା କହିବ। ଏଥି ପାଇଁ ଜମି ନ ଦେଇ ଦରଖାସ୍ତକୁ ପକାଇ ରଖିବା କ’ଣ ମୁଖ୍ୟମନ୍ତ୍ରୀଙ୍କର ଓଡ଼ିଆତ୍ବ ଓ ଓଡ଼ିଆ ପ୍ରେମର ପରିଚାୟକ ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି। ଏହି ଜମି ତୁରନ୍ତ ପ୍ରଦାନ କରିବା ସହ ମୁଖ୍ୟମନ୍ତ୍ରୀ ଆଜି ଠାରୁ ଓଡ଼ିଆରେ ଅନ୍ତତଃ ଓଡ଼ିଆ ଲୋକଙ୍କ ସାଥିରେ କଥା ହେବା ପାଇଁ ଓ ଓଡ଼ିଆ ଭାଷାକୁ ସରକାରୀ ଦପ୍ତରମାନଙ୍କରେ କଡ଼ାକଡ଼ି ଭାବେ ପ୍ରଚଳନ କରିବାକୁ ସେ ଦାବି କରିଛନ୍ତି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଟ୍ବିଟ୍ କରି କହିଛନ୍ତି, ମୁଖ୍ୟମନ୍ତ୍ରୀ ଓଡ଼ିଆ ବିଶ୍ବବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବାରୁ ଧନ୍ୟବାଦ। ଏହା ଦ୍ବାରା ଓଡ଼ିଆ ଭାଷାର ପ୍ରଚାର, ପ୍ରସାର ସହିତ ଏହା ଉପରେ ଅଧିକ ଗବେଷଣା ସମ୍ଭବ ହୋଇପାରିବ। ତେବେ ଓଡ଼ିଆ ଭା‌ଷାର ସୁରକ୍ଷା ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ୧୯ ବର୍ଷର ଶାସନ କାଳରେ ଏ ଦିଗରେ କ’ଣ କରୁଥିଲେ ? ନିର୍ବାଚନ ପାଖେଇ ଆସୁଥିଲା ବେଳେ ନବୀନ ବାବୁ ଏପରି କରି ଓଡ଼ିଆ ଜନସାଧାରଣଙ୍କ ନିକଟତର ହେବାକୁ ଉଦ୍ୟମ କରୁଛନ୍ତି। ଅଥଚ ଜଣେ ଓଡ଼ଆ ହୋଇ ନବୀନ ବାବୁ ଏ ଯାଏ ଓଡ଼ିଆ ଭାଷା କହିପାରିଲେ ନାହିଁ। ଯେଉଁଠି ଅଧାଭଙ୍ଗା ଓଡ଼ିଆ କହୁଛନ୍ତି, ତାହା ଇଂରାଜୀ ଅକ୍ଷରରେ ଲେଖାଯାଉଛି ଓ ତାହାକୁ ନବୀନ ବାବୁ ପଢ଼ୁଛନ୍ତି। ଓଡ଼ିଆ ଭାଷାର ପ୍ରଚାର, ପ୍ରସାର ନିମନ୍ତେ ସରକାରୀ ସ୍ତରରେ ‌ଯଥେଷ୍ଟ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଥିବା ବେଳେ ବିଜେଡି ସରକାର ସେଥିରେ ଚରମ ଅବହେଳା ପ୍ରଦର୍ଶନ କରିଛନ୍ତି। ତେଣୁ କେବଳ ଲୋକଦେଖାଣିଆ ଭାବେ ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଦେଇ ଦାୟିତ୍ବ ସାରିଦେଲେ ହେବନି। ତାହାକୁ କେତେଦୂର ଆନ୍ତରିକତାର ସହ କାର୍ଯ୍ୟକାରୀ କରାଯିବ ଦେଖିବାକୁ ବାକି ରହିଲା ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା କଟାକ୍ଷ କରି କହିଛନ୍ତି, ଓଡ଼ିଆ ଭାଷା ଶିଖିବା ପାଇଁ ପ୍ରଥମ ଛାତ୍ର ଭାବେ ମୁଖ୍ୟମନ୍ତ୍ରୀ ସେଠାରେ ନାମ ଲେଖାନ୍ତୁ। ଏହି ବିଶ୍ବବିଦ୍ୟାଳୟ ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଆ ଭାଷା ସମ୍ପର୍କରେ ଜାଣିବା ପାଇଁ ସୁଯୋଗ ଦେବ। ଓଡ଼ିଆ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠାରେ କାହାର ଆପତ୍ତି ନାହିଁ। କିନ୍ତୁ ଓଡ଼ିଆ ଭାଷାର ପ୍ରଚାର ଠିକ୍ ଭାବେ ହେଉନି। ଆମ ଅଫିସର୍‌ମାନେ ଓଡ଼ିଆ ଭାଷାରେ ଚିଠି ‌େଲଖୁ ନାହାନ୍ତି। ଏପରିକି କିଛି ଅଣଓଡ଼ିଆ ଅଫିସର୍ ଓଡ଼ିଆ ଭାଷା ଜାଣୁ ନାହାନ୍ତି କି ଓଡ଼ିଆରେ କଥା‌ ହେଉ ନାହାନ୍ତି। ଯଦି ବାସ୍ତବରେ ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷାର ବିକାଶ ଚାହୁଁଛନ୍ତି, ତାହା ହେଲେ ଭାଷାବିତ୍‌ମାନଙ୍କ ସହ ଆଲୋଚନା କରି ଠିକ୍ ନିଷ୍ପତ୍ତି ନିଅନ୍ତୁ। ଯଦି କେବଳ ରାଜନୈତିକ ଦୃଷ୍ଟିକୋଣରୁ ଏହି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି, ତେବେ କିଛି କହିବାର ନାହିଁ।

ସମ୍ବନ୍ଧିତ ଖବର