ଓଡ଼ିଆ ବିଶ୍ୱବିଦ୍ୟାଳୟ ନୂତନ ସୌଧ ଲୋକାର୍ପିତ: ‘ଓଡ଼ିଶା ସଂସ୍କୃତି ଓ ପରମ୍ପରାର ନେତୃତ୍ବ ନେବ’

ସାମାଜିକ ଗଣମାଧ୍ୟମରେ ଓଡ଼ିଆର ବହୁଳ ବ୍ୟବହାର ଜରୁରି

ପୁରୀ/ସାକ୍ଷୀଗୋପାଳ: ଭାଷା ଗୋଟିଏ ଜାତିର ଅସ୍ମିତାର ପରିଚୟ। ଭାଷାର ବ୍ୟବହାର ବଢ଼ିଲେ ଏହା ସମୃଦ୍ଧ ହୋଇଥାଏ ଓ ଜାତିର ଗୌରବ ବୃଦ୍ଧି କରିଥାଏ। ଓଡ଼ିଶା ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ। ଓଡ଼ିଆ ଭାଷା ଏକ ପ୍ରାଚୀନ ଭାଷା ଭାବେ ସ୍ବତନ୍ତ୍ର ମାନ୍ୟତା ପାଇଛି। ତେବେ ଆମ ଭାଷା ପ୍ରତି ଯୁବପିଢିଙ୍କ ଆଗ୍ରହ ସୃଷ୍ଟି ସହ ସାମାଜିକ ଗଣମାଧ୍ୟମରେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର ହେବା ଆବଶ୍ୟକ। ଆମ ସଂସ୍କୃତି, ଆମ ଜୀବନଧାରା ଓ ପରମ୍ପରାକୁ ଭିତ୍ତି କରି ସାହିତ୍ୟ ସୃଷ୍ଟି କରାଯିବ ଦରକାର। ଓଡ଼ିଆ ବିଶ୍ବବିଦ୍ୟାଳୟ ଏ ଦିଗରେ ନେତୃତ୍ବ ନେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି।

ଆଜି ପୁରୀ ଜିଲ୍ଲା ସତ୍ୟବାଦୀ ପଞ୍ଚସଖାଙ୍କ ମାଟିରେ ଓଡ଼ିଆ ବିଶ୍ବବିଦ୍ୟାଳୟର ନବନିର୍ମିତ ସୌଧ ଓ ପରିସରକୁ ଆଭାସୀ ମାଧ୍ୟମରେ ଲୋକାର୍ପଣ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ସତ୍ୟବାଦୀ ବକୁଳବନର ଛୁରିଆନା ଭିତରେ ଗୋପବନ୍ଧୁ ଦାସଙ୍କ ସହ ପଞ୍ଚସଖାଙ୍କ ପ୍ରଚେଷ୍ଟା ବଳରେ ଶିକ୍ଷାର ଯେଉଁ ଭିତ୍ତି ପଡ଼ିଥିଲା, ତାହା ଆଜି ଓଡ଼ିଶା ବିଶ୍ବବିଦ୍ୟାଳୟର ରୂପ ନେଇ ଓଡ଼ିଆଙ୍କ ଅସ୍ମିତା ଓ ଗୌରବର ପ୍ରତୀକ ଭାବେ ମୁଣ୍ଡ ଟେକିଛି। ତେଣୁ ସତ୍ୟବାଦୀ ଓଡ଼ିଆ ନବଜାଗରଣର ପୀଠ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଦି କବି ସାରଳା ଦାସଙ୍କ ସହ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ସଂଗ୍ରାମ କରିଥିବା ବରପୁତ୍ରମାନଙ୍କୁ ଭକ୍ତିଅର୍ଘ୍ୟ ଅର୍ପଣ କରିଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବର୍ତ୍ତମାନ ସମୟ ହେଉଛି ଓଡ଼ିଆ ଜାତି ପାଇଁ ଏକ ଗୌରବମୟ ସମୟ। ନିକଟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟିତ ହୋଇଛି। ଆଜି ଓଡ଼ିଆ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ ଉଦ୍‌ଘାଟିତ ହେଲା। ୨୭ ତାରିଖରେ ସମଲେଇ ପ୍ରକଳ୍ପ ଲୋକାର୍ପିତ ହେବ। ଫେବ୍ରୁ୍ଆରି ୩ ତାରିଖରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ହେବ।

ସତ୍ୟବାଦୀ ବକୁଳବନ ନିକଟ ପଞ୍ଚସଖା ଖେଳପଡ଼ିଆରେ ଆଜି ପୂର୍ବାହ୍ନରେ ଆୟୋଜିତ କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗଦେଇ କହିଲେ ଯେ, ୧୯୦୯ ମସିହାରେ ଆରମ୍ଭ ହୋଇଥିବା ବକୁଳବନ ଆଜି ବିଶ୍ବବିଦ୍ୟାଳୟରେ ପରିଣତ ହୋଇଛି। ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ପୂର୍ବରୁ ଓଡ଼ିଆ ଭାଷା ଓ ଅସ୍ମିତାର ସୁରକ୍ଷା ପାଇଁ ଓଡ଼ିଆ ବିଶ୍ବବିଦ୍ୟାଳୟ ଲୋକାର୍ପଣ ମୁଖ୍ୟମନ୍ତ୍ରୀଙ୍କ ଏକ ବଡ଼ ପଦକ୍ଷେପ। ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ କହିଲେ, ସୁଆଣ୍ଡୋ ପ୍ରକଳ୍ପ ପରେ ସତ୍ୟବାଦୀ ମାଟିରେ ଓଡ଼ିଆ ବିଶ୍ବବିଦ୍ୟାଳୟ ଆରମ୍ଭ ହେବା ଗୌରବର କଥା। ଶୀଘ୍ର ସାକ୍ଷୀ ଗୋପୀନାଥଙ୍କ ମନ୍ଦିର ବି ନୂଆ ରୂପ ପାଇବାକୁ ଯାଉଛି ବୋଲି ଶ୍ରୀ ସାମନ୍ତରାୟ କହିଥିଲେ। ଓଡ଼ିଆ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ପ୍ରଧାନ କହିଲେ ଯେ ଓଡ଼ିଆ ବିଶ୍ବବିଦ୍ୟାଳୟ ହେଉଛି ଓଡ଼ିଆ ଅସ୍ମିତାର ନିଦର୍ଶନ। ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ ସ୍ବାଗତ ଭାଷଣ ଓ କୁଳସଚିବ ରଶ୍ମୀରେଖା ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଆଭାସୀ ମାଧ୍ୟମରେ ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।
୯.୬୦ ଏକର ଜମିରେ ନବନିର୍ମିତ ଏହି ବିଶ୍ବବିଦ୍ୟାଳୟ ପରିସରରେ ଅତ୍ୟାଧୁନିକ ପରିପାଟ୍ଟୀ ସମ୍ବଳିତ ଶିକ୍ଷଣ ଭିତ୍ତିଭୂମି ସହିତ ଛାତ୍ରଛାତ୍ରୀ ଓ ଗବେଷକଙ୍କ ପାଇଁ ଉନ୍ନତ ଛାତ୍ରାବାସ ଓ ଗ୍ରନ୍ଥାଗାର ରହିଛି। ବିଶ୍ବବିଦ୍ୟାଳୟ ପରିସରରେ ଥିବା ରାଧାକୁଣ୍ଡ ପୁଷ୍କରିଣୀ, କାଫେଟେରିଆ, ଫାଉଣ୍ଟେନ୍ ଇତ୍ୟାଦି ବିଶ୍ବବିଦ୍ୟାଳୟର ସୌନ୍ଦର୍ଯ୍ୟ ବୃଦ୍ଧି କରୁଛି। ଏସବୁ ସହିତ ମୁକ୍ତ ପରିବେଶରେ ପାଠ ପଢ଼ାର ବ୍ୟବସ୍ଥା ରହିଛି। ଗତ ବର୍ଷ ସେପ୍ଟେମ୍ବର ୫ରେ ବିଶ୍ବବିଦ୍ୟାଳୟରେ ନାମ ଲେଖାଯାଇ ଅସ୍ଥାୟୀ ଶ୍ରେଣୀଗୃହରେ ପାଠପଢ଼ା ଆରମ୍ଭ ହୋଇଥିଲା ବିଶ୍ୱବିଦ୍ୟାଳୟରେ ଏବେ ତିନିଟି ବିଭାଗରେ ମୋଟ ୬୦ରୁ ଅଧିକ ବିଦ୍ୟାର୍ଥୀ ଅଧ୍ୟୟନ କରୁଛନ୍ତି।

ସମ୍ବନ୍ଧିତ ଖବର