ଭୁବନେଶ୍ୱର : ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି। ଏ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟର କାର୍ଯ୍ୟାଳୟ ଖୋଲି ନାହିଁ କି କାମ ଆରମ୍ଭ ହୋଇ ନାହିଁ। କେବେ ଠାରୁ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ଷମ ହେବ ଓ ତା’ର ରୂପରେଖ କିପରି ହେବ, ତାହା ବି ଜଣାପଡ଼ିନି। କିନ୍ତୁ ଗୋଟିଏ ମାସ ବ୍ୟବଧାନରେ ଦୁଇ ଦୁଇ ଜଣ ଓଏସ୍ଡି ନିଯୁକ୍ତି ହୋଇସାରିଲେଣି। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।
ବର୍ତ୍ତମାନ ଧନ୍ଦାମୂଳକ ଶିକ୍ଷାର ଉପନିର୍ଦ୍ଦେଶକ ଥିବା ହରିହର କାନୁନ୍ଗୋଙ୍କୁ ଗତ ଜୁନ୍ ମାସ ୨୯ ତାରିଖରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ଓଏଏସ୍ଡି ଭାବେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଯୁକ୍ତି ଦିଆଯାଇଥିଲା। ଦୁଇଟି ଯାକ ଦାୟିତ୍ୱ ସେ ତୁଲାଇବେ ବୋଲି କୁହାଗଲା। ରାଜଭବନ ପକ୍ଷରୁ ଜୁଲାଇ ୧୧ ତାରିଖରେ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଥିଲା। ଶ୍ରୀ କାନୁନ୍ଗୋ ରାଜଭବନ ଯାଇ ରାଜ୍ୟପାଳ ତଥା କୁଳାଧିପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ରାଜ୍ୟପାଳ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ବିଭିନ୍ନ ପରାମର୍ଶ ବି ଦେଇଥିଲେ। ଏହା ପରେ ଶ୍ରୀ କାନୁନ୍ଗୋ କାର୍ଯ୍ୟ ଆରମ୍ଭ କରିଦେଇଥିଲେ।
କିନ୍ତୁ ଜୁଲାଇ ୨୦ ତାରିଖରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଶ୍ରୀ କାନୁନ୍ଗୋଙ୍କ ନିଯୁକ୍ତି ରଦ୍ଦ କରାଗଲା। ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଶାନ୍ତ ଦାସଙ୍କୁ ବିଶ୍ୱବିଦ୍ୟାଳୟର ଓଏଏସ୍ଡି ଭାବେ ନିଯୁକ୍ତି ଦିଆଗଲା। ଡକ୍ଟର୍ କାନୁନ୍ଗୋଙ୍କ ନିଯୁକ୍ତି ଓ ପୁଣି ତାହାକୁ ରଦ୍ଦ କରାଯିବାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ଜୋର୍ ଧରିଛି। ଏ ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗର ସଚିବ ବିଷ୍ଣୁପଦ ସେଠୀଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି, ଫକୀର ମୋହନ ସ୍ୱୟଂଶାସିତ କଲେଜରେ ଅଧ୍ୟାପକ ଥିବା ସମୟରେ ହରିହର କାନୁନ୍ଗୋଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ଆସିଥିଲା। ତାଙ୍କ ନିଯୁକ୍ତି ସମୟରେ ଏହା ଜାଣି ହୋଇ ନ ଥିଲା। ପରେ ଜଣାପଡ଼ିବାରୁ ତାଙ୍କ ନିଯୁକ୍ତିକୁ ବାତିଲ୍ କରି ପ୍ରଶାନ୍ତ ଦାସଙ୍କୁ ଓଏଏସ୍ଡି ଭାବେ ନିଯୁକ୍ତି ଦିଆଯାଇଛି।
ତେବେ ନିଯୁକ୍ତି ପୂର୍ବରୁ ଶ୍ରୀ କାନୁନ୍ଗୋଙ୍କ ବିରୋଧରେ ଥିବା ଅଭିଯୋଗ ସମ୍ପର୍କରେ କିପରି ବିଭାଗ ଅବଗତ ହୋଇପାରି ନ ଥିଲା, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଦି ଅଭିଯୋଗ ଥାଇ ନିଯୁକ୍ତି ଦିଆଯାଇପାରିବ ନାହିଁ, ତେବେ ତାଙ୍କୁ ଧନ୍ଦାମୂଳକ ଶିକ୍ଷାର ଉପନିର୍ଦ୍ଦେଶକ ଭାବେ କିପରି ନିଯୁକ୍ତି ମିଳିଛି ? କାହା ଚାପରେ ଶ୍ରୀ କାନୁନ୍ଗୋଙ୍କୁ ନିଯୁକ୍ତି ଦିଆଯାଇଥିଲା ଓ ପୁଣି କାହା ଚାପରେ ନିଯୁକ୍ତିକୁ ରଦ୍ଦ କରାଗଲା, ତାହା ଏବେ ଆଲୋଚନାର ବିଷୟ ହୋଇଛି।