ଓଡ଼ିଆ ବିଶ୍ୱବିଦ୍ୟାଳୟ ନିର୍ମାଣର କ୍ଷେତ୍ରସ୍ତରୀୟ କାର୍ଯ୍ୟ ତ୍ୱାରାନ୍ୱିତ ନିର୍ଦ୍ଦେଶ

ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ପ୍ରକଳ୍ପ ରୂପରେଖ କମିଟି ଗଠନ

ଭୁବନେଶ୍ୱର: ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିର ବିକାଶ ଉପରେ ଗୁରୁତ୍ୱାରୋପ କରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଐତିହ୍ୟ କ୍ୟାବିନେଟ୍‌ଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଗୁଡ଼ିକର କାର୍ଯ୍ୟାନ୍ୱୟନ ବିଷୟ ସମୀକ୍ଷା କରିଛନ୍ତି । ରାଜ୍ୟ ଲୋକସେବା ଭବନରୁ ଭର୍ଚୁଆଲ ମୋ୍‌ଡରେ ଅନୁଷ୍ଠିତ ଏହି ବୈଠକରେ ବିଭାଗୀୟ ସଚିବ ଡଃ ସୁରେଶ ଚନ୍ଦ୍ର ଦଳାଇ କାର୍ଯ୍ୟାନ୍ୱୟନ ସମ୍ବନ୍ଧିତ ଆର୍ଥିକ ଓ ପ୍ରଶାସନିକ ବିଷୟ ଆଲୋଚନା ନିମସ୍ତେ ଉପସ୍ଥାପନ କରିଥିଲେ ।

ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଅଗ୍ରଗତିର ସମୀକ୍ଷା କରି ଓଡ଼ିଆ ଭାଷା, ସଂସ୍କୃତିର ସମୃଦ୍ଧି ଓ ପ୍ରସାର ନିମନ୍ତେ ବିଭିନ୍ନ ବିଭାଗକୁ ସଂଯୋଜିତ କରି ଏକ ସମନ୍ୱିତ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଏଥି ପାଇଁ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ ସବ୍‌-କମିଟି ଗଠନ କରାଯାଇଥିଲା । ଓଡ଼ିଆ ଭାଷାରେ ଉଚ୍ଚଶିକ୍ଷା ନିମନ୍ତେ ଗୁଣାତ୍ମକ ପୁସ୍ତକ, ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର, ନୂଆ ଯୁବ ପିଢ଼ୀଙ୍କୁ ଓଡ଼ିଆ ଭାଷା ଆଡ଼କୁ ଆକର୍ଷଣ ଆଦି ବିଷୟରେ ବୈଠକରେ ବିଶେଷ ଆଲୋଚନା ହୋଇଥିଲା ।

ସୁଆଣ୍ଡୋ ଗ୍ରାମରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠର ବିକାଶ ଓ ସୌନ୍ଦର୍ଯ୍ୟକରଣ କରି ଏହାକୁ ଏକ ପର୍ଯ୍ୟଟକ ଆକର୍ଷଣ ସ୍ଥାନରେ ପରିଣତ କରିବା ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଗୁରୁତ୍ୱାରୋପ କରିଥିଲେ । ବିଭାଗୀୟ ନିର୍ଦ୍ଦେଶକ ରଂଜନ କୁମାର ଦାଶ ଜଣାଇଥିଲେ ଯେ, ସୁଆଣ୍ଡୋଠାରେ ଉତ୍କଳମଣିଙ୍କ ସଂଗ୍ରହାଳୟ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଛି । ସେଠାରେ ଥିବା ପୁରୁଣା ମନ୍ଦିରର ନବୀକରଣ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି । ଇତି ମଧ୍ୟରେ ଜାତୀୟ ରାଜପଥରୁ ସୁଆଣ୍ଡୋ ଗ୍ରାମକୁ ୫କିମି ଲମ୍ବ ପ୍ରଶସ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ପ୍ରାୟ ସରିଛି । ଗୋପବନ୍ଧୁଙ୍କ ପୈତୃକ ବାସଭବନର ବିକାଶ ନିମନ୍ତେ କାର୍ଯ୍ୟ ଆରମ୍ଭ କରାଯାଇଛି । ଜନ୍ମପୀଠରେ ଥିବା ବଡ଼ ପୋଖରୀର ପୁନର୍ବିନ୍ୟାଶ କାମ ପ୍ରାୟ ସରିଛି । ଏହି ପୋଖରୀରେ ନୌକା ବିହାର ବ୍ୟବସ୍ଥା ସହ ଜନ୍ମପୀଠରେ ପରିକ୍ରମା ରାସ୍ତା, ବସିବା ସ୍ଥାନ, ଓଡ଼ିଆ ସଂସ୍କୃତି ସଂପନ୍ନ କାର୍ଯ୍ୟକ୍ରମ ଏବଂ ଓଡ଼ିଆ ଖାଦ୍ୟ ନିମନ୍ତେ ରେସ୍ତୋରାଁ ଆଦି ସ୍ଥାପନ ନିମନ୍ତେ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।

ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ନିମନ୍ତେ ଇତି ମଧ୍ୟରେ ଜମି ଅଧିଗ୍ରହଣ ଓ କ୍ରୟ କାର୍ଯ୍ୟ ସରିଛି ଏବଂ ବିଶ୍ୱବିଦ୍ୟାଳୟ ନିର୍ମାଣ ପ୍ରାୟ ୬୨ କୋଟି ଟଙ୍କାର ଖର୍ଚ୍ଚ ଅଟକଳ କରାଯାଇଛି ବୋଲି ପୂର୍ତ୍ତ ସଚିବ କ୍ରିଶନ କୁମାର ଜଣାଇଥିଲେ । ପ୍ରଶାସନିକ ଓ ଆର୍ଥିକ ଅନୁମୋଦନ ଏବଂ ଟେଣ୍ଡରିଂ ପ୍ରକ୍ରିୟା ଆଦି ଶେଷକରି ୩ ମାସ ମଧ୍ୟରେ କ୍ଷେତ୍ରସ୍ତରୀୟ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।

ସମ୍ବନ୍ଧିତ ଖବର