ସୀମାନ୍ତରେ ଗର୍ଭ ଯନ୍ତ୍ରଣା: ମିଳିଲାନି ଓଡିଶା ଆମ୍ବୁଲାନ୍ସ, ଆନ୍ଧ୍ର ମେଡିକାଲରେ ପ୍ରସବ କଲେ ମହିଳା

କୋରାପୁଟ: ସୀମାନ୍ତ ଗାଁରେ ମୋବାଇଲ ନେଟୱର୍କ ନଥିବାରୁ ନାହିଁ ନଥିବା ହଇରାଣ ହୋଇଛନ୍ତି ଲୋକେ। ସୀମାନ୍ତରେ ଥିବା ଲଙ୍ଗଲବେଡା ପଂଚାୟତର ଦଳେଇପେଟା ଗ୍ରାମର ସିଦାରପୁ ସୋମୁଲୁଙ୍କ ସ୍ତ୍ରୀ ଗର୍ଭବେଦନା ହେତୁ ଚିକିତ୍ସା କରିବା ପାଇଁ ୧୦୮ କି ୧୦୨ ଆମ୍ବୁଲାନ୍ସ ଆସିପାରିଲାନି। ଏହି ଗାଁ ସୀମାନ୍ତରେ ଥିବାରୁ ଓଡ଼ିଶାରୁ ମେଡିକାଲ୍ ସୁବିଧା ନପାଇ ପାରିବାରୁ ବାଧ୍ୟ ହୋଇ ଆନ୍ଧ୍ର ପ୍ରଦେଶର ବିଜୟନଗରମ ଜିଲ୍ଲାର ପାର୍ବତୀପୁରମ ସରକାରୀ ମେଡିକାଲରେ ପ୍ରସବ କରେଇଥିଲେ ପରିବାର ଲୋକେ।

ମିଳିଥିବା ସୂଚନା ମୁତାବକ କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ଆନ୍ଧ୍ର ସୀମାନ୍ତରେ ଥିବା ଲଙ୍ଗଲବେଡା ପଂଚାୟତର ଦଳେଇପେଟା ଗ୍ରାମର ସିଦାରପୁ ସୋମୁଲୁଙ୍କ ସ୍ତ୍ରୀ ଗର୍ଭ ଯନ୍ତ୍ରଣା ଅନୁଭବ କରିଥିଲେ । ଗାଁ ଆଶା ଦିଦି ମାଣ୍ଡିଙ୍ଗି ସିଙ୍ଗାରି ଓ କାସପାବାଲସା ଅଙ୍ଗନବାଡ଼ି ଦିଦି ରତ୍ନାଲୁ ଶୁଶିଲା ନାରାୟଣପାଟଣା ମେଡିକାଲକୁ ଆମ୍ବୁଲାନ୍ସ ପାଇଁ ଯୋଗାଯୋଗ କରିଥିଲେ । ସେଠାରେ ମୋବାଇଲ ନେଟୱର୍କ ନଥିବାରୁ ଗାଁ ହାଇସ୍କୁଲର ପ୍ରଧାନ ଶକ୍ଷକ ରାମକୃଷ୍ଣ ପଣ୍ଡାଙ୍କୁ ଜଣାଇଥିଲେ। ଏହାପରେ କିଛି ସ୍ବେଚ୍ଛାସେବୀଙ୍କ ସହାୟତାରେ ତାଙ୍କୁ ସେଠାକୁ ନିଆଯାଇଥିଲାବେଳେ ‌ଏବେ ମା ଓ ଶିଶୁ ସୁସ୍ଥ ରହିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର