ମା’ର କୋଳ ପ୍ରତିଟି ଛୁଆ ପାଇଁ କେତେ ଗୁରୁତ୍ୱ ରଖେ ହୁଏତ ତାହାକୁ ଶବ୍ଦରେ କେହି ଲେଖିପାରିବେନି, କେବଳ ଅନୁଭବ ହିଁ କରିହେବ | ଉଷୁମ ପରସ ସାଙ୍ଗକୁ ଅନାବିଳ ସ୍ନେହ ଛୁଆଟିକୁ ଜୀବନର ନୂଆ ଆଶା ଦେଇଥାଏ, କିନ୍ତୁ ଏବେ ହଜିଯାଇଛି ଏମିତି କିଛି ଛୁଆଙ୍କ ପାଇଁ ମାର କୋଳ | ନିଆଁରେ ମା ଜଳିଯାଇଛି, ଆଉ ଅନାଥ ହୋଇ ବଞ୍ଚିବାର ସଂଘର୍ଷ କରୁଛନ୍ତି ହଜାର ହଜାର କଙ୍ଗାରୁ ଛୁଆ | ଡିସେମ୍ବର-ଜାନୁୟାରୀ ମାସରେ କଙ୍ଗାରୁଙ୍କ ସ୍ୱର୍ଗ କୁହାଯାଉଥିବା ଅଷ୍ଟ୍ରେଲିଆରେ ଲାଗିଥିଲା ଜଙ୍ଗଲ ନିଆଁ, ଯାହାଫଳରେ ଲକ୍ଷାଧିକ କଙ୍ଗାରୁଙ୍କର ଜୀବନ ଚାଲିଯାଇଥିଲା | ଏହି ନିଆଁରେ ପାଖାପାଖି ୫୦ କୋଟି ଜୀବଜନ୍ତୁ ମଧ୍ୟ ନିଆଁରେ ପାଉଁଶ ହୋଇଯାଇଥିଲେ | ନିଆଁ ଲିଭିଯାଇଛି ସତ କିନ୍ତୁ ମା ବିନା ଏବେ ଅନାଥ ହୋଇପଡିଛନ୍ତି ଶହ ଶହ କଙ୍ଗାରୁ ଛୁଆ | ବିଶ୍ୱର ପଶୁପ୍ରେମୀ ଏବେ ଏହି କଙ୍ଗାରୁ ଛୁଆଙ୍କ ଜୀବନ ବଞ୍ଚାଇବାକୁ ଚେଷ୍ଟା ଆରମ୍ଭ କରିଥିବାବେଳେ ଏଥିରେ ନିଜକୁ ସାମିଲ କରିଛନ୍ତି ଜଣେ ଓଡ଼ିଆ ବୋହୂ |

Advertisment

publive-imageଯୁକ୍ତରାଜ୍ୟର ଲଣ୍ଡନ | ଏଠାରେ ରୁହନ୍ତି ଡ. ଜୟଶ୍ରୀ ନନ୍ଦ | ପେସାରେ ଜଣେ ଶିକ୍ଷାବିତ ହେଲେ ବି ସମାଜସେବାରେ ରୁଚି ରଖୁଥିବା ଜୟଶ୍ରୀ ଆରମ୍ଭ କରିଛନ୍ତି ଭିନ୍ନ ପ୍ରୟାସ | ଲଣ୍ଡନର ପ୍ରାୟ ୨୦ ଜଣ ମହିଳାଙ୍କ ସହ ମିଶି ପ୍ରସ୍ତୁତ କରିଛନ୍ତି କଙ୍ଗାରୁ ଶାବକଙ୍କ ପାଇଁ ମୁଣି (କଙ୍ଗାରୁ ମା ପେଟରେ ଥିବା ଏହି ମୁଣି ହିଁ କଙ୍ଗାରୁ ଛୁଆଙ୍କ ପାଇଁ ସବୁ କିଛି ହୋଇଥାଏ )| ପାଖାପାଖି ୧୦୦ଟି ମୁଣି ବୁଣାଯାଇ ଅଷ୍ଟ୍ରେଲିଆ ପଠାଯାଇଥିବାବେଳେ ଏବେ ବି ବୁଣିବାରେ ସମସ୍ତେ ବ୍ୟସ୍ତ ଅଛନ୍ତି | ୨୪ ସେଣ୍ଟିମିଟରରୁ ୩୦ ସେଣ୍ଟିମିଟରର ଏହି ମୁଣିକୁ ମେସିନ ବୁଣିପାରିନଥାଏ | ହାତରେ ଉଲ ଓ ଛୁଞ୍ଚି ଧରି ଏହି ମୁଣିକୁ ବୁଣାଯାଇଥାଏ | ବିଶ୍ୱର କିଛି ସ୍ବେଛାସେବୀ ଏବେ ଏହି ମୁଣି ବୁଣିବାରେ ଲାଗିପଡିଥିବାବେଳେ ଲଣ୍ଡନର ନିଟ ଆଣ୍ଡ ନାଟର ନାମକ ସ୍ବେଛାସେବୀ ସଂଗଠନର ମହିଳାମାନେ ନିଜକୁ ଏବେ ସାମିଲ କରିଛନ୍ତି | ଏହି ସଂଗଠନ କୁନି କୁନି ଅନାଥ ଶିଶୁଙ୍କ ପାଇଁ ଟୋପି, ସ୍ଵେଟର ବୁଣିବା ସହ ସାରା ବିଶ୍ୱକୁ ପଠାଇଥାନ୍ତି | ଏ ବାବଦରେ ଜାଣିବା ପରେ ଜୟଶ୍ରୀ ଯାଇ ସେଠାରେ ପ୍ରଥମେ ଦେଖିଥିଲେ | ଏହା ପରେ ତାଙ୍କ ସହ ସାମିଲ ହୋଇ ଜୟଶ୍ରୀ ମଧ୍ୟ କଙ୍ଗାରୁଙ୍କ ପାଇଁ ମୁଣି ବୁଣିଥିଲେ |

ଜୟଶ୍ରୀଙ୍କ କହିବା ମୁତାବକ ଦିନଯାକର ଘର କାମ ସାରିବା ପରେ ସମସ୍ତେ ଗୋଟିଏ ସ୍ଥାନରେ ଏକତ୍ର ହୁଅନ୍ତି, ଆଉ ହାତରେ ବୁଣି ଚାଲନ୍ତି ମୁଣି | ପରିବାରର ସଦସ୍ୟଙ୍କ ପାଇଁ ଘରର ମହିଳାମାନେ ଅବସର ସମୟରେ ଉଲରେ ସ୍ଵେଟର ଓ ଟୋପି ବୁଣିଥାନ୍ତି | କିନ୍ତୁ ନିରୀହ କଙ୍ଗାରୁ ଛୁଆଙ୍କ ପାଇଁ ଏବେ ଉଲରେ ମୁଣି ବୁଣୁଛନ୍ତି ଜୟଶ୍ରୀ ଓ ତାଙ୍କ ସହଯୋଗୀ |

publive-image

ଜୟଶ୍ରୀ ବୁଣୁଥିବା ଉଲର ମୁଣି ମଧ୍ୟରୁ ୮୦ଟି ଅଷ୍ଟ୍ରେଲିଆକୁ ଯାଇଥିବାବେଳେ ଏବେ ବି ମୁଣି ବୁଣିବାରେ ସେ ଲାଗିପଡିଛନ୍ତି | ଜୟଶ୍ରୀ ଓ ତାଙ୍କ ସହଯୋଗୀଙ୍କ ମୁଣି ଏବେ କିଛି ଅନାଥ କଙ୍ଗାରୁ ଛୁଆଙ୍କ ପାଇଁ ଆଶ୍ରୟର ସାହାରା ପାଲଟିଯାଇଥିବାବେଳେ ମା ଛେଉଣ୍ଡଙ୍କ ପାଇଁ ଏବେ ଯଶୋଦା ସାଜିଛନ୍ତି ଏହି ଓଡ଼ିଆ ବୋହୂ |