ଦାଦନ ଖଟିବାକୁ ଯାଇଥିବା ଓଡ଼ିଆ ଯୁବତୀଙ୍କୁ ତାମିଲନାଡୁରେ ଦୁଷ୍କର୍ମ ପରେ ବ୍ଲାକମେଲିଂ ଅଭିଯୋଗ

ଡ଼ାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳର ଜଣେ ଯୁବତୀ ତାମିଲନାଡୁର ତିରପୁର ଦାଦନ ଖଟିବାକୁ ଯାଇଥିବା ବେଳେ ସେଠାରେ ଜଣେ ଯୁବକ ତାଙ୍କର ଅଶ୍ଳୀଳ ଫଟୋ ଉତ୍ତୋଳନ କରି ୩୦ ହଜାର ଟଙ୍କା ନେବା ସହ ବ୍ଲାକ ମେଲିଂ କରିବା ନେଇ ଅଭିଯୋଗ ହୋଇଛି।ପୀଡ଼ିତାଙ୍କ ଭାଇ ଡାବୁଗାଁ ଥାନାରେ ସଂପୃକ୍ତ ଅଭିଯୁକ୍ତ ଯୁବକ ବିରୁଦ୍ଧରେ ଏତଲା ଦେଇଛନ୍ତି। ଯୁବତୀ ଜଣକ ବର୍ତ୍ତମାନ ସୁଦ୍ଧା ତାମିଲନାଡୁ ରାଜ୍ୟର ତ୍ରିପୁରରେ ଥିବା ବେଳେ ତାର ଜୀବନ ପ୍ରତି ବିପଦ ରହିଥିବା ଦର୍ଶାଇ ଡାବୁଗାଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସମ୍ବେଦଶୀଳ ଥିବାରୁ ଡାବୁଗାଁ ପୁଲିସ ଏ ନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ ୫ ମାସ ତଳେ ପରିବାର ଲୋକଙ୍କ ଅଜାଣତରେ ପାପଡାହାଣ୍ଡି ଥାନା ଅନ୍ତର୍ଗତ ବରଦେଇ ଗାଁର ବରୁଣ ହରିଜନ ନାମକ ଯୁବକ ଡାବୁଗାଁ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ତାମିଲନାଡୁର ତିରପୁରକୁ ସିଲେଇ ଶିଖିବା ନିମନ୍ତେ ନେଇଥିଲା। ସେଠାରେ ଏକ ଗାର୍ମେଣ୍ଟ କମ୍ପାନିରେ କାମ ଦେଖାଇ ଛାଡ଼ି ଚାଲି ଆସିଥିଲା। ସେଠାରେ ଯୁବତୀ ଜଣଙ୍କ ଏକ ସିଲେଇ କମ୍ପାନିରେ କାମ କରି ରହୁଥିଲେ । ସେଠାରେ କୋଡ଼ିଙ୍ଗା ଥାନା ଅଧିନ ଡଙ୍ଗାଚୁଆଁ ଗାଁର ଜଣେ ଯୁବକ କାମ କରୁଥିଲେ। କୌଶଳ କ୍ରମେ ଯୁବତୀ ଜଣଙ୍କୁ ଫସାଇ ନିକଟତର ହେବା ସହ ଅଶ୍ଳୀଳ ଫଟୋ ଉଠାଇଥିଲେ। ପରେ ଏହାକୁ ଭାଇରାଲ କରିଦେବାର ଧମକ ଦେଇ ଯୁବତୀ ଠାରୁ ୩୦ ହଜାର ଟଙ୍କା ନେଇଥିଲେ। ଟଙ୍କା ନେବା ପରେ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ । ଏ ସମ୍ପର୍କରେ କାହାରିକୁ କିଛି କହିଲେ ଜୀବନରେ ମାରି ଦେବାକୁ ମଧ୍ୟ ଧମକ ଦେଇଥିଲେ। ଏହି ବିଷୟରେ ୧୦ ଦିନ ତଳେ ପୀଡ଼ିତା ଯୁବତୀ ଜଣଙ୍କ ତାଙ୍କ ଭାଇକୁ ପୂରା ଘଟଣା ସଂପର୍କରେ ଫୋନ୍‌ରେ ଜଣାଇଥିଲେ।

ଏହାପରେ ବ୍ଲାକମେଲିଂ କରୁଥିବା ଯୁବକ ଯୁବତୀଙ୍କ ଗାଁର ଜଣେ ଯୁବକଙ୍କ ଫୋନ୍‌କୁ ଉକ୍ତ ଅଶ୍ଳୀଳ ଫଟୋ ଭାଇରାଲ କରିଥିଲା। ଯୁବତୀର ଭାଇ ଏହା ଜାଣିବା ପରେ ଆଜି ଏ ସଂପର୍କରେ ଡାବୁଗାଁ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ପୀଡ଼ିତା ଯୁବତୀର ଗ୍ରାମକୁ ଯାଇ ତଦନ୍ତ ଆରମ୍ଭ କରିଛି। ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ପୁଲିସ ତଦନ୍ତ ସମ୍ପର୍କରେ କିଛି ପ୍ରକାଶ କରି ନାହିଁ। ଉଭୟ ଯୁବତୀ ଓ ଆସାମୀ ଯୁବକ ତାମିଲନାଡୁର ତିରୁପୁରା ରେ ଥିବାରୁ ପୁଲିସ ତଦନ୍ତ ରେ ବାଧା ସୃଷ୍ଟି ହୋଇଛି। ଡାବୁଗାଁ ଥାନା ଅଧିକାରୀ ପ୍ରମୋଦ କୁମାର ନାୟକ ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର