ଓଡ଼ିଆ ଶବ୍ଦର ଚକ୍ରବ୍ୟୂହ : ଶବ୍ଦରସ

ଭୁବନେଶ୍ବର: ଖେଳରେ ଖେଳରେ ୱେବ୍‌ସାଇଟ୍‌ରୁ ଭ‌ାଷା ଶିକ୍ଷା କରିବାକୁ ଚାହୁଁଥିଲେ ଆପଣ https://sr.soumendrak.comରେ କ୍ଲିକ୍‌ କରନ୍ତୁ। ଏହାକୁ କ୍ଲିକ୍‌ କରିବା ମାତ୍ରେ ଆପଣଙ୍କ ସାମ୍ନାକୁ ଆସିଯିବ ‘ଶବ୍ଦରସ’- ଓଡ଼ିଆ ଶବ୍ଦର ଚକ୍ରବ୍ୟୂହ। ଆଗକୁ ଏହା କେବଳ https://ଶବ୍ଦରସ.comରେ ଉପଲବ୍ଧ ହେବ। ଏଥିରେ ପ୍ରତିଦିନ ଆପଣ କିଛି ଶବ୍ଦ ମନେ ପକେଇ ପାରିବେ। ଖେଳିବା ସମୟରେ ଆପଣଙ୍କର ମନେହେବ ଯେ ଆପଣ ଶବ୍ଦର ଚକ୍ରବ୍ୟୂହ ଭିତରେ ପଶିଯାଇଛନ୍ତି, ଆଉ ସେଥିରୁ ମୁକୁଳିବା ପାଇଁ ଠିକ୍‌ ଶବ୍ଦର ପ୍ରୟୋଗ କରିବାକୁ ହେବ। ଖେଳରେ ବିଜୟୀ ହେଲେ ଆପଣଙ୍କୁ ଖୁସି ମିଳିବ, ଆଉ ହାରିଗଲେ ଆପଣଙ୍କୁ ମିଳିବ ଆପଣ ଖୋଜି ପାଇ ନ ଥିବା ଶବ୍ଦଟିଏ। ଅନେକ ଶବ୍ଦର ମଜା ପାଇବେ ଏହି ‘ଶବ୍ଦରସ’ରେ। ଏଥିରେ ଖେଳର ନିୟମ ଉଲ୍ଲେଖ ରହିଛି।

କିପରି ଖେଳିବେ
ଏଥିରେ ଖେଳାଳିମାନଙ୍କୁ ପ୍ରତିଦିନ ଗୋଟିଏ ଶବ୍ଦ ଖେଳିବାକୁ ଦିଆଯାଇଥାଏ। ଏଥିପାଇଁ ସାତଥର ସୁଯୋଗ ମିଳିଥାଏ। ପ୍ରତିଥର ଖେଳାଳିଙ୍କ ଅନୁମାନ ଅନୁଯାୟୀ ଅକ୍ଷରଗୁଡ଼ିକର ରଙ୍ଗ ପରିବର୍ତ୍ତନ ହେବ। ଏହି ରଙ୍ଗ, ଆପଣ ସେହିଦିନର ଉତ୍ତରଠାରୁ କେତେ ନିକଟରେ ଅନୁମାନ କରୁଛନ୍ତି ଦର୍ଶାଇବ। ତିନି ଅକ୍ଷରଯୁକ୍ତ ଶବ୍ଦର ଏହି ଖେଳ ହୋଇଥିବାରୁ ତିନିଘରକୁ ସବୁଜ ରଙ୍ଗ କରିପାରିଲେ ଖେଳାଳି ବିଜୟୀ ହେବ।

ଖେଳିବା ସମୟରେ ଆପଣ କେଉଁ ରଙ୍ଗ ପ୍ରତି କିପରି ଧ୍ୟାନ ଦେବେ:

ସବୁଜ ରଙ୍ଗ: ତିନିଅକ୍ଷର ଯୁକ୍ତ ଶବ୍ଦଟିଏ ଆପଣ ଲେଖିବା ପରେ ସେଥିରୁ ଗୋଟିଏ ଅକ୍ଷର ଯଦି ସବୁଜ ଦିଶେ ତେବେ ସେହି ଅକ୍ଷରଟି ଯେଉଁ ସ୍ଥାନରେ ଥିବ ସେ ସ୍ଥାନଟି ତା’ପାଇଁ ଠିକ୍‌। ତେଣୁ ପରବର୍ତ୍ତୀ ଶବ୍ଦରେ ଅନ୍ୟ ଦୁଇଟି ଅକ୍ଷରକୁ ପରିବର୍ତ୍ତନ କରି ଅନ୍ୟଏକ ଶବ୍ଦ ଲେଖିବେ।

ହଳଦିଆ ରଙ୍ଗ: ହଳଦିଆ ଚିହ୍ନିତ ଅକ୍ଷର ଦେଖିଲେ ଅକ୍ଷରଟି ଠିକ୍‌ ଅଛି, ମାତ୍ର ତାହା ଭୁଲ୍‌ ସ୍ଥାନରେ ଥିବା ଜାଣିବାକୁ ହେବ। ପରବର୍ତ୍ତୀ ଶବ୍ଦରେ ତାକୁ ଠିକ୍‌ ସ୍ଥାନକୁ ଆଣିବାକୁ ହେବ।

ପାଉଁଶିଆ ରଙ୍ଗ: ଏହି ରଙ୍ଗ ଚିହ୍ନିତ ଅକ୍ଷର ଏବଂ ସ୍ଥାନ ଭୁଲ୍‌। ପରବର୍ତ୍ତୀ ଶବ୍ଦରେ ଏହି ଅକ୍ଷରକୁ ପ୍ରୟୋଗ କରନ୍ତୁ ନାହିଁ।

ନୀଳରଙ୍ଗ: ଏହି ରଙ୍ଗ ଚିହ୍ନିତ ଅକ୍ଷରଟି ଠିକ୍‌ ଏବଂ ଠିକ୍‌ ସ୍ଥାନରେ ଥିଲେ ମଧ୍ୟ ଏହାର ମାତ୍ରା/ଯୁକ୍ତାକ୍ଷର ମେଳ ଖାଉନଥିବାରୁ ପରବର୍ତ୍ତୀ ଶବ୍ଦରେ ଏହାକୁ ଠିକ୍‌ ଭାବେ ପ୍ରୟୋଗ କରିବା ଦରକାର।

କମଳା ରଙ୍ଗ: ଏହି ରଙ୍ଗ ଚିହ୍ନିତ ଅକ୍ଷର ଠିକ୍‌ ହେଲେ ମଧ୍ୟ ଏହାର ସ୍ଥାନ, ମାତ୍ରା ଆଦି ଭୁଲ୍‌ରହିଛି। ତେଣୁ ପରବର୍ତ୍ତୀ ଶବ୍ଦରେ ଏହାକୁ ଠିକ୍‌ କରିବା ଦରକାର।
ଏସବୁ ପରେ ଯଦି ଆପଣ ଠିକ୍‌ ଶବ୍ଦଟି ଅନୁମାନ କରି ପାରୁନାହାନ୍ତି ତେବେ ଉତ୍ତରର ପ୍ରଥମ ଓ ଦ୍ବିତୀୟ ଅକ୍ଷର ବିନା ମାତ୍ରା/ଯୁକ୍ତାକ୍ଷରରେ ଯଥାକ୍ରମେ ଦ୍ବିତୀୟ ଓ ପଞ୍ଚମ ସୋପାନରେ ତଳେ ଥିବା କି-ବୋର୍ଡରେ ଲାଲ୍‌ ରଙ୍ଗରେ ପ୍ରଦର୍ଶିତ ହେବ। ଏଥିରୁ ଆପଣ ଶବ୍ଦଟି ଅନୁମାନ ଲଗାଇ ପାରିବେ। ଯୁକ୍ତାକ୍ଷର ଥିଲେ କିପରି ଟାଇପ୍‌ କରିବେ ତାହା ମଧ୍ୟ ଏଥିରେ ସୂଚନା ଦିଆଯାଇଛି।

ଶବ୍ଦରେ ରସ: ଶବ୍ଦରସ
ଏହି ୱେବ୍‌ସାଇଟ୍‌ର ନିର୍ମାଣକର୍ତ୍ତା ହେଉଛନ୍ତି ସୌମେନ୍ଦ୍ର କୁମାର ସାହୁ, ଲୋଗୋ ପ୍ରସ୍ତୁତ କରିଛନ୍ତି ଶାଶ୍ବତ ଦେବଦତ୍ତ ଏବଂ ପରୀକ୍ଷକ ଓ ମାର୍ଗଦର୍ଶକ ହେଉଛନ୍ତି ଅଭିଷେକ ଆଚାର୍ଯ୍ୟ। ଏହା ଓଡ଼ିଆ ଭାଷା ପାଇଁ ନିର୍ମିତ Wordle ଖେଳର ଏକ ରୂପାନ୍ତରିତ ସଂସ୍କରଣ। ଶବ୍ଦଗୁଡ଼ିକର ଉପସ୍ଥାପନା ମଜାଦାର। ୪୨୦୦୦ ଶବ୍ଦ ଅଭିଧାନରେ ଯୋଗ ହୋଇଥିବା କୁହାଯାଏ। ଏହାର ପ୍ରଚ୍ଛଦପଟ ଆଲୋକିତ କରିହେବ ଏବଂ ଅନ୍ଧାର ବି ରଖିହେବ। ଗୋଟିଏ ଶବ୍ଦକୁ ଦୁଇ ବା ଅଧିକଥର ପ୍ରବେଶ ନିଷେଧ କରାଯାଇଛି। ଫଳାଫଳ ସଂଖ୍ୟାଗୁଡ଼ିକ ଓଡ଼ିଆରେ ଛାପିହେବ।

ଏହି ଖେଳ ପ୍ରସଙ୍ଗରେ ସୌମେନ୍ଦ୍ର କହନ୍ତି, ‘‘ସମସ୍ତ ଖେଳାଳିଙ୍କୁ ପ୍ରତିଦିନ ଖେଳିବାକୁ ଗୋଟିଏ ହିଁ ସମାନ ଶବ୍ଦ ଅନୁମାନ କରିବାକୁ ମିଳିଥାଏ। ପୁଣି ତା’ ପରଦିନ ଆଉଏକ ନୂତନ ଶବ୍ଦ ମିଳେ। ତେଣୁ ଦୟାକରି ସ୍କ୍ରିନ୍‌ସଟ୍‌ ନ ଦେଇ, ଖେଳି ସ‌ାରିବା ପରେ ଆସୁଥିବା ‘ସେୟାର ବଟନ’ ଉପଯୋଗ କରନ୍ତୁ। ଆପଣ ଯଦି ଆପଣଙ୍କ ବନ୍ଧୁଙ୍କଠାରୁ କମ୍‌ଥର ଚେଷ୍ଟାରେ ଉତ୍ତର ଅନୁମାନ କରିନେଲେ ତେବେ ମଜା କରନ୍ତୁ।’’

ସମ୍ବନ୍ଧିତ ଖବର