ଥମୁନି ଦାଦନ ଯନ୍ତ୍ରଣା: ନାଗପୁରରେ ଓଡ଼ିଆ ଶ୍ରମିକ ମୃତ

ପାତ୍ରପୁର: ଗଞ୍ଜାମ ଜିଲ୍ଲାକୁ ଦାଦନ ଯନ୍ତ୍ରଣା ପିଛା ଛାଡ଼ୁ ନାହିଁ। ଦାଦନ ଖଟିବାକୁ ଯାଇ ମହାରାଷ୍ଟ୍ରର ନାଗପୁରରେ ପୁଣି ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ପାତ୍ରପୁର ବ୍ଳକ୍‌ ଖଣ୍ଡଦେଉଳି ଗ୍ରାମର ନାରଦା ନିରଞ୍ଜନ (୩୩)। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ନିରଞ୍ଜନ ଗତ ୧୦ ଦିନ ତଳେ ନାଗପୁର ଯାଇଥିଲେ। ସେଠାରେ ଏକ ଘରୋଇ କମ୍ପାନିରେ ସେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ। ଗତକାଲି ସେ ଅସୁସ୍ଥ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା କମ୍ପାନି ପକ୍ଷରୁ ପରିବାର ଲୋକଙ୍କୁ ଖବର ଦିଆ ଯାଇଥିଲା।

ଶୁକ୍ରବାର ସନ୍ଧ୍ୟାରେ କମ୍ପାନି ପକ୍ଷରୁ ଏକ ଆମ୍ବୁଲାନ୍ସ ଯୋଗେ ନିରଞ୍ଜନଙ୍କ ମୃତଦେହ ଗାଁକୁ ଅଣାଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ବର୍ତ୍ତମାନ ସୁଦ୍ଧା ତାଙ୍କୁ କୌଣସି ସହାୟତା ମିଳି ନଥିବା କୁହାଯାଇଛି। ଗ୍ରାମରେ ଶବ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ନିରଞ୍ଜନଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇ ଥିବାରୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି। ଅନ୍ୟପକ୍ଷରେ ମୃତ୍ୟୁର କାରଣ ସ୍ପଷ୍ଟ କରିବାକୁ ପରିବାର ବର୍ଗ ପ୍ରଶାସନକୁ ଗୁହାରି କରିଛନ୍ତି। ଏହି ଘଟଣାକୁ ମିଶାଇ ଗତ ପ୍ରାୟ ୪ମାସ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ୧୭ଜଣଙ୍କ ବିଭିନ୍ନ କାରଣରୁ ମୃତ୍ୟୁ ଘଟି ସାରିଛି।

ସମ୍ବନ୍ଧିତ ଖବର