ତାମିଲନାଡ଼ୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ: ଗାଁକୁ ଆସିପାରିଲାନି ଶବ

ବଳଦିଆମାଲ: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ମାଲିଗୁଡ଼ା ପଞ୍ଚାୟତ ବରଗାଁ ଗ୍ରାମର ସୁଦାମ ବିଶ୍ୱାଳ (୪୫) ତାମିଲନାଡୁକୁ ଦାଦନ ଖଟିବାକୁ ଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ପ୍ରକାଶ ଯେ, କିଛି ଦିନ ପୂର୍ବରୁ ବରଗାଁର ସୁଦାମ ପରିବାର ପ୍ରତିପୋଷଣ ପାଇଁ ତାମିଲନାଡୁ ରାଜ୍ୟକୁ ଯାଇ ତିରପୁର ଜିଲ୍ଲାର ଏକ ପାୱାର ପ୍ଲାଣ୍ଟରେ କାମ କରୁଥିଲେ। ଗତ ଶନିବାର ରାତିରେ ସୁଦାମ ଅସୁସ୍ଥ ହୋଇ ପଡ଼ିଥିବା ବେଳେ ଡାକ୍ତରଖାନାକୁ ଯାଇ ଚିକିତ୍ସିତ ହୋଇଥିଲେ। ସେଠାରୁ ଘରକୁ ଫେରୁଥିବା ବେଳେ ବାଟରେ ପଡ଼ି ଯାଇଥିଲେ। ମୁଣ୍ଡରେ ଆଘାତ ହେବାରୁ ଡାକ୍ତରଖାନା ନିଆଯାଇଥିଲା।

ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ସୁଦାମଙ୍କ ପରିବାର ନିହାତି ଗରିବ ହୋଇଥିବା ବେଳେ ଶବକୁ ଗାଁକୁ ଆଣିବା ପାଇଁ ସକ୍ଷମ ନହେବାରୁ ସେଠାରେ ହିଁ କୌଣସି ପ୍ରକାରେ ଶବ ସତ୍କାର କରିବାକୁ ନିଷ୍ପତ୍ତି ନେଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି। ତେବେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ ପାଉଥିବା ବେଳେ ପ୍ରଶାସନ ତଥା ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର