ଜଗନ୍ନାଥପ୍ରସାଦ : ପେଟପାଟଣା ପାଇଁ ଦାଦନ ଖଟି ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ତାମିଲନାଡ଼ୁରେ ମୃତ୍ୟୁ ଘଟିଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଗ୍ରାମର କଇଥପଲ୍ଲୀ ସାହିରେ।
ଜଗନ୍ନାଥପ୍ରସାଦ ଗ୍ରାମର ରାଜୁ ପ୍ରଧାନଙ୍କ ବଡ଼ପୁଅ ଜୟଦେବ ପ୍ରଧାନ(୩୦)। ପରିବାର ପ୍ରତିପୋଷଣ ପାଇଁ ଜୟଦେବ ଦୁଇବର୍ଷ ପୂର୍ବେ ତାମିଲନାଡ଼ୁ ଯାଇଥିଲେ। ସେଠାରେ ଏରୋଡ଼ ଜିଲ୍ଲା ପେରୁମୁଡ଼ାଇ ନନ୍ଦ କଲେଜସ୍ଥିତ ଏକ କନ୍ଷ୍ଟ୍ରକସନ୍ କମ୍ପାନିରେ କାମ କରୁଥିଲେ। ସେଠାରେ ଯାହା ରୋଜଗାର କରୁଥିଲେ ସେଥିରେ କଷ୍ଟମଷ୍ଟେ ଚଳୁଥିଲେ। ପରିବାର ଲୋକ ତାଙ୍କ ବାହାଘର ପାଇଁ ଝିଅ ଖୋଜୁଥିବା ବେଳେ ଆଗାମୀବର୍ଷ ତାଙ୍କର ବାହାଘର ହୋଇଥାନ୍ତା। ତେବେ, ଆଜି ହଠାତ ତାଙ୍କର ମୃତ୍ୟୁ ଘଟିଥିଲା।
ଏହି ଖବର ପାଇବା ପରେ ବୃଦ୍ଧ ପିତାମାତାଙ୍କ ପାଦତଳୁ ମାଟି ଖସି ଯାଇଛି। ଗରିବ ଶ୍ରେଣୀର ହୋଇଥିବାରୁ ଶବକୁ ଭିଟାମାଟିକୁ ଫେରାଇ ଆଣିବା ସମ୍ଭବ ହୋଇନାହିଁ। ପରିବାର ଲୋକଙ୍କ ଅନୁରୋଧରେ କମ୍ପାନି ମାଲିକଙ୍କ ପକ୍ଷରୁ ଶବକୁ ଭିଟାମାଟିକୁ ଫେରାଇ ଆଣିବା ପାଇଁ ଉଦ୍ୟମ କରାଯାଉଥିବା ଜଣାପଡ଼ିଛି।