ଦାଦନ ଯନ୍ତ୍ରଣା: ହାଇଦ୍ରାବାଦରେ ଓଡ଼ିଆ ଶ୍ରମିକ ବିଦ୍ୟୁତ୍ ଆଘାତରେ ମୃତ, ଗାଁରେ ପହଞ୍ଚିଲା ଶବ

ବେଲଗୁଣ୍ଠା: ପରିବାର ପ୍ରତିପୋଷଣ ଓ ଝିଅ ବାହାଘର ପାଇଁ ଟଙ୍କା ଯୋଗାଡ଼ କରିବାକୁ ଭେଣ୍ଡିଆ ପୁଅ ଘରୁ ପାଦ କାଢ଼ି ହସି ହସି ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇଥିଲା। ହେଲେ ଶବ ହୋଇ ଫେରିଲା। ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ୍ କୁଲାଙ୍ଗି ପଞ୍ଚାୟତ ପଳାସପଲ୍ଲୀ ଗ୍ରାମରୁ ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ହାଇଦ୍ରାବାଦ୍‌ର ଏକ କନଷ୍ଟ୍ରକ୍ସନ୍ କମ୍ପାନିରେ କାମ କରୁଥିବା ଲକ୍ଷ୍ମଣ ବିଷୋୟୀ (୨୦)ଙ୍କ ଶନିବାର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଛି। ଆଉ ଏହି ଘଟଣା ପରେ ତାଙ୍କ ପରିବାର ଉପରେ ଯେମିତି ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ଆଜି ଲକ୍ଷ୍ମଣଙ୍କ ଶବ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ମଧ୍ୟରେ ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି।

ଗ୍ରାମର ଉଲ୍ଲା ବିଷୋୟୀ ତାଙ୍କର ସାନପୁଅ ଲକ୍ଷ୍ମଣ ଓ ଆଉ ଜଣେ ପୁଅ ସହ ସୁରତରେ ରହି ଏକ ସୂତାକଳରେ କାମ କରୁଥିଲେ। ଗାଁରେ ତାଙ୍କ ପତ୍ନୀ ଗୀତା ଓ ଗୋଟିଏ ଝିଅ ରହୁଥିଲେ। ହେଲେ କରୋନା ମହାମାରୀ ଲକ୍‌ଡାଉନ୍ ପରେ ଉଲ୍ଲା ତାଙ୍କ ଦୁଇ ପୁଅଙ୍କ ସହ ଗାଁକୁ ଫେରିଥିଲେ। ଗାଁରେ କିଛି ଜମିବାଡ଼ି ନଥିବା ସହ ରୋଜଗାରର ଅନ୍ୟ ବିକଳ୍ପ ନଥିବାରୁ ଉଲ୍ଲାଙ୍କ ପାଇଁ ପରିବାର ପ୍ରତିପୋଷଣ କଷ୍ଟସାଧ୍ୟ ପାଲଟିଥିଲା। ଏହା ମଧ୍ୟରେ ଉଲ୍ଲା ଧାରକରଜରେ ବୁଡ଼ି ଯାଇଥିଲେ। ମୁଣ୍ଡ ଉପରେ ଝିଅର ବାହାଘର ଚିନ୍ତା ଆରମ୍ଭ ହୋଇଥିଲା। ଫଳରେ ନିଜ ପରିବାରର ଆର୍ଥିକ ସ୍ଥିତିକୁ ସଜାଡ଼ିବା ଓ ଭଉଣୀ ବାହାଘର ପାଇଁ ଟଙ୍କା ଯୋଗାଡ଼ କରିବାକୁ ସାନପୁଅ ଲକ୍ଷ୍ମଣ ଜଣେ ଠିକାଦାର ସହାୟତାରେ ହାଇଦ୍ରାବାଦ୍ ଯାଇଥିଲେ। ସେଠାରୁ ୨୨ କିଲୋମିଟର ଦୂର କୁଣ୍ଡାପୁର ଠାରେ ଥିବା କନଷ୍ଟ୍ରକ୍ସନ୍ କମ୍ପାନିରେ ଲକ୍ଷ୍ମଣ ଦାଦନ ଶ୍ରମିକ ଭାବେ ଦୈନିକ ୩୦୦ ଟଙ୍କା ମଜୁରି ପାଇ କାର୍ଯ୍ୟ କରୁଥିଲେ।

ସବୁଦିନ ଭଳି ଗତ ଶନିବାର ସକାଳେ ଲକ୍ଷ୍ମଣ କମ୍ପାନିର ଏକ ଦୁଇ ମହଲା କୋଠା ଉପରେ ଚଢ଼ି ଲୁହାରଡ଼୍‌କୁ ସିଧା କରୁଥିବା ସମୟରେ ଏହା ଉପର ଦେଇ ଯାଇଥିବା ୩୩ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି କଚାଡ଼ି ହୋଇ ପଡ଼ିଥିଲେ। ସେଠାରୁ ତାଙ୍କୁ ସହଯୋଗୀ ମାନେ ନିକଟ ଡାକ୍ତରଖାନାକୁ ନେଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ‌ହାଇଦ୍ରାବାଦର କୁକଟାପଲ୍ଲୀ ଥାନା ପୁଲିସ ଲକ୍ଷ୍ମଣଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପରେ ଆମ୍ବୁଲାନ୍ସରେ ଭିଟାମାଟିକୁ ପଠାଇଥିଲେ।

ଶବ ନେଇ ସାଙ୍ଗ ଅରୁଣ ବିଷୋୟୀ ଓ ଅନ୍ୟ ଦୁଇ ସହକର୍ମୀ ପଳାସପଲ୍ଲୀରେ ଆଜି ପହଞ୍ଚିବା ପରେ କାନ୍ଦବୋବାଳିରେ ଗାଁଦାଣ୍ଡ ଫାଟି ପଡ଼ିଥିଲା। ଶୋକାକୁଳ ପରିବେଶରେ ଅନ୍ତିମ ସଂସ୍କାର ସଂପନ୍ନ ହୋଇଥିଲା। ଅନ୍ୟପକ୍ଷରେ ସଂପୃକ୍ତ କମ୍ପାନି ପକ୍ଷରୁ ଲକ୍ଷ୍ମଣଙ୍କ ପରିବାରକୁ ଶବ ସଂସ୍କାର ପାଇଁ ୫୦ହଜାର ଟଙ୍କା ସହ ବାପା ମା’ଙ୍କୁ ୩ଲକ୍ଷ ୫୦ହଜାର ଟଙ୍କାର ଅନୁକମ୍ପା ରାଶି ଦିଆଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟତା ଦାବି ହୋଇଛି।

ସମ୍ବନ୍ଧିତ ଖବର