ନୂଆପଡ଼ା: ନୂଆପଡ଼ା ଜିଲ୍ଲାର ଜଣେ ଶ୍ରମିକଙ୍କୁ ଉତ୍ତରପ୍ରଦେଶରେ ହତ୍ୟା କରାଯାଇଛି। ମୃତକ ହେଲେ ନୂଆପଡ଼ା ସଦର ଥାନା ସାରାବଙ୍ଗ ଗାଁର ଭୋକସିଂ ରାଉତ (୩୫)। ଗତ ଦଶହରା ପରେ ଭୋକସିଂ ଓ ସ୍ତ୍ରୀ ନନ୍ଦିନୀ କାମ କରିବାକୁ ଉତ୍ତରପ୍ରଦେଶ ଯାଇଥିଲେ। ଦୁହେଁ ପ୍ରୟାଗରାଜ ଜିଲ୍ଲା କଠୋଲି ଇଟାଭାଟିରେ ଶ୍ରମିକ ଭାବେ ନିୟୋଜିତ ଥିଲେ। ସେଠାରେ ଜଣେ ଅଟୋ ଚାଳକଙ୍କ ସହ ସ୍ତ୍ରୀର ଅନୈତିକ ପ୍ରେମ ସମ୍ପର୍କ ରହିଥିବା ଭୋକସିଂ ସନ୍ଦେହ କରିଥିଲେ। ଏହାକୁ ନେଇ ଭୋକସିଂ ଏବଂ ଅଟୋ ଚାଳକଙ୍କ ମଧ୍ୟରେ ଶତ୍ରୁତା ହୋଇଥିଲା।
ଗତ ୨୯ ତାରିଖ ସନ୍ଧ୍ୟାରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ତ ହୋଇଥିଲା। ତା’ ପରଦିନ ସକାଳେ ନିକଟସ୍ଥ ରେଳଧାରଣାରୁ ମୁଣ୍ତ ଓ ଗଣ୍ତି ଅଲଗା ଥିବା ଅବସ୍ଥାରେ ଭୋକସିଂଙ୍କ ଶବ ପୁଲିସ ଉଦ୍ଧାର କରିଥିଲା। କିନ୍ତୁ ଭୋକସିଂଙ୍କ ଶୋଇଥିବା ବେଡ୍ସିଟ୍ ଓ କମ୍ବଳ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବାରୁ ସନ୍ଦେହ ଘନୀଭୂତ ହୋଇଥିଲା। ଭୋକସିଂ ନିଜ କୁଡ଼ିଆରେ ଶୋଇଥିବାବେଳେ ସମ୍ପୃକ୍ତ ଅଟୋ ଚାଳକ ଏକ ରଫାରେ ଆକ୍ରମଣ କରି ତାଙ୍କ ମୁଣ୍ତଗଣ୍ତି ଅଲଗା କରି ଦେଇଥିଲା। ପରେ ଆତ୍ମହତ୍ୟାର ରୂପଦେବା ପାଇଁ ମୃତଦେହକୁ ନେଇ ନିକଟସ୍ଥ ରେଳଧାରଣାରେ ଫିଙ୍ଗି ଦେଇଥିବା ତଦନ୍ତରୁ ଜଣାପଡ଼ିଥିଲା। ପୁଲିସ ଅଟୋଚାଳକ ଓ ଭୋକସିଂଙ୍କ ସ୍ତ୍ରୀ’କୁ ଅଟକ ରଖି ପଚରାଉଚୁରା ଚଳାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/01/WVyw1FPvqKGCSYiVVgsZ.jpg)