ତାମିଲନାଡ଼ୁରେ ଫସିଛନ୍ତି ଓଡ଼ିଆ ଶ୍ରମିକ, ସହାୟତା ପାଇଁ ଗୁହାରି

ଅମ୍ଳଜାନ ଅଭାବରୁ କାରଖାନା ବନ୍ଦ, ଗାଁରେ ତାଲାବନ୍ଦୀ

ଭୁବନେଶ୍ବର : ”୭ ଦିନ ହେଲା କମ୍ପାନି ବନ୍ଦ ପଡ଼ିଛି। ଯେଉଁ ଗାଁରେ ରହୁଛୁ, ଗ୍ରାମବାସୀ ଗାଁକୁ ତାଲାବନ୍ଦ କରିଛନ୍ତି। ସଉଦା ପାଇଁ ଦୋକାନ ବଜାର ଗଲେ, ବାରଣ କରୁଛନ୍ତି। ତେଣୁ ଖାଇବାକୁ ଅସୁବିଧା ହେଲାଣି। ନିଜ ଗାଁକୁ ଫେରଯିବାକୁ ଚାହିଲେ ବି ଯାଇ ହେଉନି। ଲକଡାଉନ୍‌ ଯୋଗୁଁ ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଛି। କ’ଣ କରିବୁ, କିଛି ବୁଝି ପାରୁନୁ।” ଏକ ଭିଡିଓରେ ଏମିତି ଅସହାୟତା ପ୍ରକାଶ କରି ସହାୟତା ପାଇଁ ଅନୁରୋଧ କରିଛନ୍ତି ତାମିଲନାଡ଼ୁ କୋଏମ୍ବାଟୁରସ୍ଥିତ ଏମଏକ୍ସ ଆଇରନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନିରେ କାର୍ଯ୍ୟରତ ୮ ଓଡ଼ିଆ ଶ୍ରମିକ। ଏମାନେ ସମସ୍ତେ ଯାଜପୁର ଜିଲ୍ଲା ବଳଭଦ୍ରପୁର ଗାଁର ଅଧିବାସୀ।

ଅମ୍ଳଜାନ ଅଭାବ କେବଳ ରୋଗୀଙ୍କ ଜୀବନ ନେଉ ନାହିଁ, ଶ୍ରମିକଙ୍କ ଜୀବିକାକୁ ନେଇ ଅନିଶ୍ଚିତତା ସୃଷ୍ଟି କଲାଣି। ସୂଚନା ଅନୁଯାୟୀ, କରୋନା ଆକ୍ରାନ୍ତଙ୍କୁ ଅମ୍ଳଜାନ ଯୋଗାଇ ଦିଆଯାଉଥିବାରୁ କାରଖାନାଗୁଡ଼ିକରେ ଅମ୍ଳଜାନ ସଂକଟ ଦେଖାଦେଇଛି। ଏଥିପାଇଁ ବହୁ କାରଖାନା ମଧ୍ୟ ବନ୍ଦ ହୋଇଯାଇଛି। ସେହିଭଳି ଏକ କାରଖାନାରେ କାର୍ଯ୍ୟରତ ଓଡ଼ିଆ ଶ୍ରମିକ ସୂର୍ଯ୍ୟପ୍ରସାଦ କହିଛନ୍ତି, ସେମାନେ କୁରକୁରପାଲେମ୍‌ ନାମକ ଗାଁରେ ରହୁଛନ୍ତି। ସେଠାରେ ୨୦ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଗ୍ରାମବାସୀ ଗାଁକୁ ତାଲାବନ୍ଦ କରି ଦେଇଛନ୍ତି। ସେମାନେ ନିଜେ ଗାଁ ବାହା‌ରେ ଥିବା ବଜାରକୁ ଯାଇ ସଉଦା କରୁଛନ୍ତି। କିନ୍ତୁ ସେଠାରେ ରହୁଥିବା ପ୍ରବାସୀ ଶ୍ରମିକମାନଙ୍କୁ ବାହାରକୁ ଯିବାକୁ ମନା କରାଯାଉଛି। ଏପରିକି କେହି ଯିବା ପାଇଁ ବାହାରିଲେ, ତାକୁ ଫେରି ନ ଆସିବା ପାଇଁ ତାଗିଦ୍‌ କରାଯାଉଛି।

ଏଭଳି ସ୍ଥିତିରେ ସେମାନେ ବଜାର, ସଉଦା ପାଇଁ ଯାଇ ପାରୁନାହାନ୍ତି। ପାଖରେ ଯେତିକି ସଞ୍ଚିତ ଅର୍ଥ ଥିଲା, ତାହା ଖର୍ଚ ହୋଇସାରିଲାଣି। ବର୍ତ୍ତମାନ ସ୍ଥିତିରେ ସେମାନଙ୍କ ପାଖରେ ଖାଇବାକୁ ନାହିଁ। ପ୍ରଶାସନ କିମ୍ବା କମ୍ପାନି ପକ୍ଷରୁ ମଧ୍ୟ କୌଣସି ପ୍ରକାର ସହାୟତା ମିଳୁନି। ଘରକୁ ଯିବା ପାଇଁ ଚାହିଲେ ମଧ୍ୟ ଆସି ପାରୁ ନାହାନ୍ତି। ତେଣୁ ସେମାନଙ୍କୁ ସେଠାରୁ ନେଇଯିବା ପାଇଁ ସେମାନେ ଭିଡିଓ ମାଧ୍ୟମରେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର