କଷ୍ଟରେ କାଳ କାଟୁଛନ୍ତି ଯାତ୍ରା କଳାକାର : ରାଜ୍ୟରେ ଯାତ୍ରା ପରିବେଷଣକୁ ଅନୁମତି ଦେବାକୁ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଚିଠି ଲେଖିଲା ଯାତ୍ରା କଳାକାର ଓ କର୍ମଚାରୀ ସଂଘ
ଭୁବନେଶ୍ବର: ରାଜ୍ୟରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଯାତ୍ରା ପରିବେଷଣ ବନ୍ଦ ରହିଥିବା ହେତୁ ଯାତ୍ରା କଳାକାରଙ୍କ ଜୀବନଜୀବିକା ବିପନ୍ନ ହୋଇଛନ୍ତି । କରୋନା ମୁକାବିଲା ପାଇଁ ରାଜ୍ୟରେ ଲକ୍ଡାଉନ୍ ଜାରି ହୋଇଥିବା ବେଳେ ଯାତ୍ରା ପରିବେଷଣକୁ ରାଜ୍ୟ ସରକାର ବନ୍ଦ କରିବାରୁ ଯାତ୍ରା ମାଲିକମାନେ ଘୋର୍ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି। ଏଣୁ ଖୁବ୍ ଶୀଘ୍ର ରାଜ୍ୟରେ ଯାତ୍ରା ପରିବେଷଣକୁ ଅନୁମତି ଦେବାକୁ ସଂଘ ପକ୍ଷରୁ ନିବେଦନ କରାଯାଇଛି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଏକ ପତ୍ର ଜରିଆରେ ରାଜ୍ୟର ଯାତ୍ରା କଳାକାର ଓ କର୍ମଚାରୀ ସଂଘ ନିଜର ସମସ୍ୟା ଜଣାଇଛି।
ରାଜ୍ୟର ୬୫ ଯାତ୍ରା ପାର୍ଟି ଓ ସେଥିରେ କାମ କରୁଥିବା ୧୦ ହଜାର ସଦସ୍ୟଙ୍କ ଗୁଜୁରାଣ ମେଣ୍ଟାଇବା ସମ୍ଭବ ହୋଇ ପାରିନାହିଁ। ସେମାନେ ଶ୍ରମିକ ଭାବେ ପଞ୍ଜିକୃତ ହୋଇ ନଥିବାରୁ ସେମାନଙ୍କୁ ସରକାରୀ ସୁବିଧା ମିଳିପାରୁନାହିଁ ବୋଲି ସଂଘ ପକ୍ଷରୁ ପତ୍ର ଜରିଆରେ ରାଜ୍ୟ ସରକାରଙ୍କୁ ଜଣାଯାଇଛି।
ସେମାନଙ୍କ ପକ୍ଷରୁ କରାଯାଇଥିବା ଦାବିଗୁଡ଼ିକ ହେଉଛି କର୍ମଚାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା, ଯାତ୍ରା କଳାକାରଙ୍କୁ ମାନ୍ୟତା ପ୍ରଦାନ କରିବା, ପ୍ରଯୋଜକମାନଙ୍କୁ ସବ୍ସିଡି ଦେଇ ଋଣ ପ୍ରଦାନ କରିବା, ଯେବେଠାରୁ ଅଧିକ ଲୋକ ଯୋଗ ଦେଉଥିବା କାର୍ଯ୍ୟକ୍ରମକୁ ଅନୁମତି ମିଳିବ ସେବେଠୋରୁ ଯାତ୍ରା ପରିବେଷଣକୁ ଅନୁମତି ପ୍ରଦାନ କରିବା। ପୂର୍ବରୁ ସରକାରଙ୍କ ଠାରେ କରାଯାଇଥିବା ୧୨ ଦଫା ଦାବି ମଧ୍ୟରୁ ୯ଟି ଦାବିକୁ ସରକାର ପୂରା କରିବାକୁ ପ୍ରସ୍ତୁତ ଥଲେ, ତେଣୁ ଏବେ ଏହାର ସମାଧାନ କରାଯାଉ।