ସୁରତ ପୁଲିସ ମାଡ଼ରେ ସତ୍ୟବାନ୍‌ଙ୍କ ମୃତ୍ୟୁ ଘଟଣା : ଭଞ୍ଜନଗର ଥାନାରେ ଏତଲା ଦେଲେ ଭାଇ

ନ୍ୟାୟ ପାଇଁ ଗୃହମନ୍ତ୍ରୀଙ୍କୁ ଫେରାଦ୍ ହେବ ବିଜେପି: ଖାରବେଳ

ଭଞ୍ଜନଗର : ଗୁଜରାଟର ସୁରତ ଆମ୍ରୋଲି ପୁଲିସର ମାଡ଼ରେ ଭଞ୍ଜନଗର ବ୍ଲକ୍ ବାରୁଡ଼ା ଗ୍ରାମର ସତ୍ୟବାନ ସ୍ବାଇଁଙ୍କ ଗତ ଗୁରବାର ରାତିରେ ମୃତ୍ୟୁ ହୋଇଥିଲା। ଏନେଇ ତାଙ୍କ ଭାଇ ସନ୍ତୋଷ ଆଜି ଭଞ୍ଜନଗର ଥାନାରେ ଏକ ଏତଲା ଦେଇଛନ୍ତି। ଭଞ୍ଜନଗର ଥା‌ନା ଏତଲାକୁ ଗ୍ରହଣ କରିବା ସହ ‘ଜିରୋ ଏଫ୍ଆଇଆର୍’ ବଳରେ ଏତଲାକୁ ତଦନ୍ତ ପାଇଁ ସଂପୃକ୍ତ ଅମ୍ରୋଲି ଥାନାକୁ ପଠାଯିବ ବୋଲି ଥାନାଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି।

ଅଭିଯୋଗ ଅନୁସାରେ, ଗତ ୧୪ ତାରିଖରେ ସୁରତର ଅଞ୍ଜନିଠାରେ ରହୁଥିବା ସତ୍ୟବାନ ଓ ଗ୍ରାମର ଦୁଇଜଣ ବ୍ୟକ୍ତି ଘରକୁ ଫେରିବା ପାଇଁ ଟ୍ରେନ୍ ଟିକେଟ୍ ଆଣିବାକୁ ଯାଇଥିଲେ। ସେଠାରେ ଭିଡ଼ ନିୟନ୍ତ୍ରଣ କରିବାକୁ ପୁଲିସ ଲାଠି ମାଡ଼ କରିଥିଲା। ପୁଣି ଗୁରୁବାର ରାତିରେ ସତ୍ୟବାନ ରହୁଥିବା ଭଡ଼ା ଘର ଭିତରେ ପଶି ପୁଲିସ ତାଙ୍କୁ ନିର୍ମମ ଭାବେ ଲାଠିରେ ପିଟିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ ମାଡ଼ରେ ହିଁ ସତ୍ୟବାନଙ୍କ ମୃତ୍ୟୁ ହୋଇଥିବା ତାଙ୍କ ଭାଇ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ଆଜି ବିଜେପିର ଏକ ଟିମ୍ ମୃତ ସତ୍ୟବାନ୍‌ଙ୍କ ପରିବାରବର୍ଗଙ୍କୁ ଭେଟିଥିଲେ। ପୂର୍ବତନ ସାଂସଦ ଖାରବେଳ ସ୍ବାଇଁଙ୍କ ନେତୃତ୍ବରେ ଏହି ଟିମ୍ ବାରୁଡ଼ା ଗ୍ରାମକୁ ଯାଇ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଶ୍ରୀ ସ୍ବାଇଁ କହିଛନ୍ତି, ପିଟି ପିଟି ଜଣକୁ ଅମାନୁଷିକ ଭାବେ ଜୀବନରେ ମାରି ଦେଇ ସୁରତ ପୁଲିସ ବର୍ବରତାର ଚରମ ସୀମା ଉଲ୍ଲଂଘନ କରିଛି। ଉଚ୍ଚସ୍ତରୀୟ ତଦନ୍ତ ପାଇଁ ପଦକ୍ଷେପ ନିଆଯିବ। ଏଭଳି ଏକ ସ୍ପର୍ଶକାତର ପ୍ରସଙ୍ଗରେ ଦେଶର ଗୃହମନ୍ତ୍ରୀଙ୍କୁ ଅବଗତ କରାଯିବ। ଏଥିପାଇଁ ବିଜେପି ଫେରାଦ୍ ହୋଇ ପୁଲିସଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଏବଂ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ନିବେଦନ କରିବ। ଅଭାବ ଅନଟନରେ ରହିଥିବା ହେତୁ ନିଜ ଭିଟାମାଟି ଛାଡ଼ି ସତ୍ୟବାନ ଚାକିରି କରିବା ପାଇଁ ଯାଇଥିଲେ। ତେଣୁ ତାଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ଉଚିତ କ୍ଷତିପୂରଣ ମିଳୁ ବୋଲି ଶ୍ରୀ ସ୍ବାଇଁ ଦାବି କରିଛନ୍ତି। ଭଞ୍ଜନଗର ବିଜେପିର ବରିଷ୍ଠ ନେତା ପ୍ରଦ୍ୟୁମ୍ନ ନାୟକ, ବିନାୟକ ତ୍ରିପାଠୀ, ନୀଳମାଧବ ପାତ୍ର, ଆଇନଜୀବୀ ସନ୍ତୋଷ ତିଆଡ଼ି, ସମୀର ନାୟକ, ବିଷ୍ଣୁ ପ୍ରସାଦ ପ୍ରଧାନ ଓ ସରପଞ୍ଚ ହରପ୍ରସାଦ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର