ପାରାଦୀପ : ୨ ବର୍ଷ ତଳେ ଜଣେ ଓଡ଼ିଆ ଯୁବକଙ୍କୁ କେରଳରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଯୁବକଙ୍କ ପରିଚୟ ଜାଣିବା ପାଇଁ କେରଳ କୋଝିକୋଡ଼େ ଜିଲ୍ଲା କୁନ୍ନାମଙ୍ଗଳମ ଥାନା ପୁଲିସ ଆଜି ପାରାଦୀପରେ ପହଞ୍ଚିଛି। କେରଳ ପୁଲିସ ପାରାଦୀପର ସମସ୍ତ ଥାନା ସହ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଓ ମାର୍ଶାଘାଇରେ ମଧ୍ୟ ପଚରାଉଚରା ଚଳାଇଛି। ବିଶେଷ କରି ଥାନାରେ ରୁଜୁ କରାଯାଇଥିବା ନିଖୋଜ ରିପୋର୍ଟଗୁଡ଼ିକୁ ଅଧିକାରୀମାନେ ଯାଞ୍ଚ କରିଛନ୍ତି।
କୁନ୍ନାମଙ୍ଗଳମ୍ ଥାନା ଇନ୍ସପେକ୍ଟର ବିଜୟ କୁମାରଙ୍କ ସୂଚନା ଅନୁଯାୟୀ, ମୃତ ଯୁବକର ନାଁ ସାଗର ଓରଫ ମନୋଜ। ମାତ୍ର ତାଙ୍କ ସମ୍ପୂର୍ଣ୍ଣ ନାମ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। ତାଙ୍କୁ ହତ୍ୟା କରିଥିବା ଦୁଇ ଅଭିଯୁକ୍ତ ଖୋର୍ଦ୍ଧା ଅଞ୍ଚଳର ସୁଶାନ୍ତ କୁମାର ବାହାର ଓ ବାବୁଲି ବାସିଆ ମଧ୍ୟ ମନୋଜର ସମ୍ପୂର୍ଣ୍ଣ ନାମ ଓ ଠିକଣା ଜାଣିନାହାନ୍ତି। ପୁଲିସ ଏହି ଦୁଇ ଅଭିଯୁକ୍ତଙ୍କୁ ଯେତେ ପଚରାଉଚରା କଲେ ମଧ୍ୟ ସେମାନେ ସବିଶେଷ ତଥ୍ୟ ଦେଇ ପାରିନାହାନ୍ତି। ଫଳରେ ଚାର୍ଜସିଟ୍ ତିଆରି କରିବାରେ ସମସ୍ୟା ହେଉଛି। ଏଣୁ କୁନ୍ନାମଙ୍ଗଳମ ଥାନା ପୁଲିସ ଯୁବକଙ୍କ ପରିଚୟ ଓ ଠିକଣା ଖୋଜିବାରେ ଜୋରଦାର ପ୍ରୟାସ ଆରମ୍ଭ କରିଥିବା ଶ୍ରୀ କୁମାର କହିଛନ୍ତି।