ସୁରତ ପୁଲିସ ମାଡ଼ରେ ସତ୍ୟବାନଙ୍କ ମୃତ୍ୟୁ ଘଟଣା : ସାବିତ୍ରୀ ଆଗରୁ ମଥାରୁ ଲିଭିଗଲା ସିନ୍ଦୂର, ପୁଲିସକୁ ଦାୟୀ କଲେ ପରିବାର

ମୋ ସ୍ବାମୀଙ୍କ ହତ୍ୟାକାରୀଙ୍କୁ ଫାଶୀ ଦିଅ: ପ୍ରତିମା

ଭଞ୍ଜନଗର : ‘ଟିକେଟ୍ ହୋଇଗଲା। ଶନିବାର ଦିନ ଟ୍ରେନ୍‌ରେ ବସିବି। ଆଉ ଗାଁରେ ପହଞ୍ଚିବି।’ ଗୁରୁବାର ସକ‌ାଳେ ଭିଡିଓ କଲିଂ ଓ ମୋବାଇଲ୍‌ରୁ କଲ୍ କରି ଏହି କଥା ଦେଇଥିଲେ ସତ୍ୟବାନ। ଭିଟାମାଟିକୁ ଫେରୁଥିବାରୁ ବେଶ୍ ଖୁସି ଥିଲେ। ହେଲେ ସନ୍ଧ୍ୟାରୁ ଆଉ ତାଙ୍କ ଫୋନ୍ ଲାଗିଲାନି। ଆଉ ତା’ ପରଦିନ ପହଞ୍ଚିଲା ତାଙ୍କ ମୃତ୍ୟୁ ଖବର। କଥା ରଖି ପାରିଲେନି ସତ୍ୟବାନ। ସୁରତ ପୁଲିସର ଅମାନବୀୟ କାର୍ଯ୍ୟାନୁଷ୍ଠାନରେ ତାଙ୍କ ଜୀବନ ଦୀପ ଲିଭିଗଲା। ସାବିତ୍ରୀ ବ୍ରତକୁ ମାତ୍ର କେଇଟା ଦିନ ବାକି ଥିବା ବେଳେ ପତ୍ନୀଙ୍କ ମଥାରୁ ସିନ୍ଦୂର ଲିଭିଗଲା। ଏଭଳି ଏକ ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବ୍ଲକ୍ ଅଧୀନ ବାରୁଡ଼ା ଗାଁକୁ ସ୍ତବ୍ଧ କରିଦେଇଛି।

ସୁରତର ଅଞ୍ଜନି ଇଣ୍ଡଷ୍ଟ୍ରିଆଲ୍‌ରେ କାମ କରୁଥିବା ବାରୁଡ଼ା ଗ୍ରାମର ସତ୍ୟବାନ ସ୍ବାଇଁଙ୍କ ପୁଲିସ ମାଡ଼ରେ ମୃତ୍ୟୁ ଘଟଣାକୁ ଗ୍ରାମବାସୀ ସହଜରେ ଗ୍ରହଣ କରିପାରୁନାହାନ୍ତି। ପରିବାର ଲୋକେ ସଂପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିବାବେଳେ ୬୫ ବର୍ଷୀୟା ବୃଦ୍ଧା ମା’ କମା ସ୍ବାଇଁ ଓ ପତ୍ନୀ ପ୍ରତିମାଙ୍କ ଆଖିରୁ ଲୁହ ଶୁଖୁନି। ସ୍ବାମୀଙ୍କୁ ଝୁରି ଝୁରି ପ୍ରତିମାଙ୍କ ବୁକୁଫଟା ଚିତ୍କାରରେ ଗାଁ ଦାଣ୍ଡ ଫାଟି ପଡ଼ୁଛି। ପ୍ରତିଦିନ ସ୍ବାମୀଙ୍କୁ ଭିଡିଓ କଲିଂରେ ଦେଖୁଥିଲେ ପ୍ରତିମା। ଆଉ କିଛି ଦିନ ପରେ ସେ ଫେରିବେ ବୋଲି କଥା ଦେଇଥିବାରୁ ମନ ହାଲ୍‌କା ହୋଇଯାଇଥିଲା। କିନ୍ତୁ ସ୍ବାମୀ ତାଙ୍କୁ ଛାଡ଼ି ଆରପାରିକୁ ଚାଲି ଯାଇଛନ୍ତି, ଏହି କଥାକୁ ସେ ବିଶ୍ବାସ କରିପାରୁନାହାନ୍ତି। ଆଉ ୭ ବର୍ଷ ବୟସର ମାନସିକ ଦିବ୍ୟାଙ୍ଗ ପୁଅ ପରେଶ ବାରମ୍ବାର ବାପାଙ୍କ ସହ ଫୋନ୍‌ରେ କଥା ହେବାକୁ ଅଝଟ କରୁଛି। ‘‘ଏଭଳି ଅମାନୁଷିକ କାର୍ଯ୍ୟ କରିଥିବା ପୁଲିସ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେଉ। ଆଉ ମୋ ମଥାରୁ ଯିଏ ସିନ୍ଦୂର ଲିଭାଇଛି ତାକୁ ଫାଶୀଦଣ୍ଡ ମିଳୁ’’ ବୋଲି କାନ୍ଦି କାନ୍ଦି କହିଛନ୍ତି ପ୍ରତିମା।

ସତ୍ୟବାନ ଦୀର୍ଘ ୨୨ ବର୍ଷ ହେଲା ସୁରତରେ କାମ କରୁଥିଲେ। ୯ ବର୍ଷ ତଳେ ସେ ପ୍ରତିମାଙ୍କୁ ବିବାହ କରିଥିଲେ। ପୁଅକୁ ଜୀବନଠୁ ଅଧିକ ଭଲ ପାଉଥିଲେ। ଗତବର୍ଷ ଗାଁକୁ ଆସିବା ବେଳ‌େ ପ୍ରତିମାଙ୍କ ପେଟରେ ବଢ଼ୁଥିବା ଟ୍ୟୁମର୍ ପାଇଁ ୨ ଥର ଅସ୍ତ୍ରୋପଚାର ହୋଇଥିଲା। ଏଥିପାଇଁ ସେ ଧାରକରଜ କରିଥିଲେ। ଆଠ ମାସ ତଳେ ପୁଣି ସୁରତ ଯାଇଥିଲେ। କିନ୍ତୁ ଲକ୍‌ଡାଉନ୍ ପରଠୁ କାମଧନ୍ଦା ବନ୍ଦ ହୋଇଯିବାରୁ ସତ୍ୟବାନ୍ ଫେରିବାକୁ ଚେଷ୍ଟା ଜାରି ରଖିଥିଲେ। ଶେଷରେ ଗୁରୁବାର ଦିନ ତାଙ୍କର ଟ୍ରେନ୍ ଟିକଟ୍ ହୋଇଥିଲା। ଏହି କଥା ସକାଳେ ସେ ପତ୍ନୀ ପ୍ରତିମାଙ୍କୁ ଫୋନ୍ ଯୋଗେ ଜଣାଇଥିଲେ। ଆଉ ଶନିବାର ଦିନ ଟ୍ରେନ୍‌ରେ ବସିବେ ବୋଲି କହିଥିଲେ। ହେଲେ ହଠାତ୍ ଗୁରୁବାର ଦିନ ରାତିରେ ସତ୍ୟବାନ କାମ କରୁଥିବା କମ୍ପାନିର ଘର ଭିତରେ ତାଲା ଭାଙ୍ଗି ପୁଲିସ ପଶିଥିଲା। ସତ୍ୟବାନଙ୍କ ସମେତ ତାଙ୍କ ସହ ରହୁଥିବା ଗ୍ରାମର ରମେଶ ଡାକୁଆ, ପ୍ରଦ୍ୟୁମ୍ନ ସାଇଁ ଓ ଆଉ ଜଣେ ସହଯୋଗୀଙ୍କୁ ନିସ୍ତୁକ ମାଡ଼ ମାରିଥିଲା। ସତ୍ୟବାନ୍ ଏଥିରେ ପ୍ରାଣ ହରାଇଥିଲେ।

ଅନ୍ୟପକ୍ଷରେ ମୃତକଙ୍କ ବଡ଼ଭାଇ ସନ୍ତୋଷ ଅଭିଯୋଗ କରିଛନ୍ତି ଯେ ଘଟଣାକୁ ଆମ୍ରୋଲି ପୁଲିସ ରଫାଦଫା କରିବାକୁ ଚେଷ୍ଟା କରୁଛି। କମ୍ପାନିରେ ସିସି କ୍ୟାମେରା ଲାଗିଥିବା ବେଳେ ଘଟଣାଦିନର ଫୁଟେଜ୍‌କୁ ଗାଏବ୍ କରିଦିଆଯାଇଛି। ଆଉ ବର୍ତ୍ତମାନ ପରିସ୍ଥିତିରେ ସତ୍ୟବାନଙ୍କ ପାଖରେ ରହୁଥିବା ଘଟଣାର ପ୍ରତ୍ୟକ୍ଷଦର୍ଶୀ ରମେଶ ଓ ପ୍ରଦ୍ୟୁମ୍ନକୁ ଟିକଟ କରି ଗାଁକୁ ତୁରନ୍ତ ପଠାଇଦେବକୁ ପୁଲିସ ଚକ୍ରାନ୍ତ କରୁଛି ବୋଲି ସ‌େ କହିଛନ୍ତି।

ପ୍ରବାସୀ ଓଡ଼ିଆଙ୍କ ଉପରେ ସୁରତ ପୁଲିସର ବର୍ବରତା ସବୁ ସୀମା ଟପିଯାଇଛି। ସଂପୃକ୍ତ ପୁଲିସମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଓଡ଼ିଶା ସରକାର ଗୁଜରାଟ ପ୍ରଶାସନ ଉପରେ ଚାପ ପକାନ୍ତୁ ବୋଲି ବାରୁଡ଼ା ଗ୍ରାମବାସୀ କହିଛନ୍ତି।

ସମ୍ବନ୍ଧିତ ଖବର