ମୁଖ୍ୟମନ୍ତ୍ରୀଙ୍କୁ ଚପଲ ଫିଙ୍ଗିଥିବା କାର୍ତ୍ତିକ ଆଖି ବୁଜିଲେ, ଦିଲ୍ଲୀରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ

ବରଗଡ଼ : ନୂଆଦିଲ୍ଲୀ ଇଣ୍ଡିଆ ଗେଟ୍‌ ସମ୍ମୁଖରେ ଦେହରେ ପେଟ୍ରୋଲ୍‌ ଢାଳି ଆତ୍ମାହୁତି ଉଦ୍ୟମ କରିଥିବା ବରଗଡ଼ ଜିଲ୍ଲା ପଦ୍ମପୁର ନିକଟସ୍ଥ ବୁଧାପାଲି ଗାଁର କାର୍ତ୍ତିକ ମେହେର ଆଖି ବୁଜିଛନ୍ତି। ଆତ୍ମାହୁତି ଉଦ୍ୟମ ଫଳରେ କାର୍ତ୍ତିକଙ୍କ ଶରୀରର ନବେ ପ୍ରତିଶତ ଜଳି ଯାଇଥିଲା। ସେ ଦିଲ୍ଲୀସ୍ଥିତ ରାମ ‌ମନୋହର ଲୋହିଆ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ୩ ଦିନ ତଳେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ସୂତ୍ରରୁ ପ୍ରକାଶ। କାର୍ତ୍ତିକଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବା ପାଇଁ ଭାଇ କେଶବ ଦିଲ୍ଲୀରେ ଥିଲେ। କାର୍ତ୍ତିକଙ୍କ ମୃତ୍ୟୁ ପରେ ସେ ଶବ ଆଣିବାକୁ ଅକ୍ଷମ ହୋଇଥିଲେ। ତେଣୁ ନୂଆଦିଲ୍ଲୀଠାରେ କାର୍ତ୍ତିକଙ୍କ ଶବ ସଂସ୍କାର କରାଯାଇଥିବା ପରିବାରବର୍ଗ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ୧୮ ତାରିଖ ଇଣ୍ଡିଆ ଗେଟ୍‌ଠାରେ ନାଗରିକତା ସଂଶୋଧନ ବିଲ୍‌ ବିରୋଧରେ ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ ଚାଲିଥିବା ବେଳେ କାର୍ତ୍ତିକ ସର୍ବସମ୍ମୁଖରେ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ପୂର୍ବରୁ ଗତ ୨୦୧୮ ବିଜେପୁର ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରପାଲି ବ୍ଲକ୍‌ କୁମ୍ଭାରୀ ଗାଁରେ ନିର୍ବାଚନୀ ସଭାକୁ ଉଦ୍‌ବୋଧନ ଦେଉଥିବା ବେଳେ କାର୍ତ୍ତିକ ମୁଖ୍ୟମନ୍ତ୍ରୀଙ୍କୁ ଲକ୍ଷ୍ୟ କରି ଚପଲ ଫୋପାଡ଼ିଥିଲେ। ଏହି ଘଟଣାକୁ ନେଇ ସେ ଚର୍ଚ୍ଚାକୁ ଆସିଥିଲେ। ତେବେ କାର୍ତ୍ତିକଙ୍କ ମୃତ୍ୟୁ ସଂପର୍କରେ ବିଧିବଦ୍ଧ ଭାବେ ଦିଲ୍ଲୀ ପୁଲିସ କୌଣସି ଯୋଗାଯୋଗ କରିନଥିବା ପଦ୍ମପୁର ଏସ୍‌ଡିପିଓ ପ୍ରଦୀପ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର