ଜଗତସିଂହପୁର: ଆଫ୍ରିକୀୟ ଦେଶ ସୁଦାନରେ ଗୃହଯୁଦ୍ଧ ଚାଲିଥିବାବେଳେ ବିଦ୍ରୋହୀମାନେ ଜଣେ ଓଡ଼ିଆ ଯୁବକଙ୍କୁ ଅପହରଣ କରି ନେଇଛନ୍ତି। ଅପହୃତ ଓଡ଼ିଆ ଯୁବକ ଆଦର୍ଶ ବେହେରାଙ୍କ ଘର ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା କୋଟକଣା ଅଞ୍ଚଳରେ। ଆଦର୍ଶଙ୍କୁ ସୁଦାନରେ ରାପିଡ୍ ସପୋର୍ଟ ଫୋର୍ସେସ(ଆର୍ଏସ୍ଏଫ୍) ଅପହରଣ ପରେ ପଣବନ୍ଦୀ କରି ରଖିଛି। ପତ୍ନୀ ସୁସ୍ମିତାଙ୍କ କହିବା ଅନୁଯାୟୀ ତାଙ୍କ ସ୍ବାମୀଙ୍କୁ ଅପହରଣ କରି ନିଆଯିବା ସହିତ ତାଙ୍କର ମୋବାଇଲ ଫୋନ୍ ଏବଂ ଅନ୍ୟ ସାମଗ୍ରୀ ମଧ୍ୟ ନେଇ ଯାଇଛନ୍ତି। ଆଦର୍ଶ ତାଙ୍କର ଏକ ଅଡିଓ ରେକର୍ଡିଂ ପତ୍ନୀଙ୍କ ପାଖକୁ ପଠାଇଥିଲେ। ସେଥିରେ ସେ କହିଛନ୍ତି, ଯଦି ରାଜ୍ୟ ଓ କେନ୍ଦ୍ର ସରକାର ଅନୁରୋଧ କରନ୍ତି ତାହେଲେ ଅପହର୍ତ୍ତାମାନେ ମୁକ୍ତ କରିବେ। ସ୍ବାମୀଙ୍କୁ ଫେରାଇ ଆଣିବା ପାଇଁ ସୁସ୍ମିତା ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।
ଉଦ୍ଧାର ପାଇଁ ବାପା, ମା’, ପତ୍ନୀଙ୍କ 
ଆକୁଳ ଆବେଦନ
ଗୃହ ମନ୍ତ୍ରଣାଳୟ ସହ ଯୋଗାଯୋଗରେ ଅଛୁ: ଏସ୍ପି
ସେହିପରି ବାପା କ୍ଷେତ୍ରବାସୀ ବେହେରା କହିଛନ୍ତି, ସୁଦାନରେ ଗୃହଯୁଦ୍ଧ ଲାଗି ରହିଥିବା ବେଳେ ୮ ଦିନ ହେବ ପୁଅ ସହ ଆଉ ଯୋଗାଯୋଗ ହୋଇପାରି ନାହିଁ। ପୁଅକୁ ଅପହର୍ତ୍ତାଙ୍କ କବଳରୁ ମୁକ୍ତ କରିବା ପାଇଁ ସେ ଅନୁରୋଧ କରିଛନ୍ତି। ମା’ ମଧ୍ୟ କୋହଭରା କଣ୍ଠରେ ପୁଅକୁ ମୁକ୍ତ କରିବା ପାଇଁ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଜଗତସିଂହପୁର ଏସ୍ପି ଅଙ୍କିତ କୁମାର ବର୍ମା। ଶ୍ରୀ ବର୍ମା କହିଛନ୍ତି, ଆମେ ଗୃହ ମନ୍ତ୍ରଣାଳୟ ଓ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସହ ଯୋଗାଯୋଗରେ ରହିଛୁ। ଆଦର୍ଶଙ୍କ ଅପହରଣ ସଂପର୍କରେ ସେମାନଙ୍କ ସହ ଆଲୋଚନା ହୋଇଛି। ଆସନ୍ତାକାଲି(ମଙ୍ଗଳବାର) ଅଧିକ ଆଲୋଚନା ହେବ। ସେହିପରି ଭାରତରେ ଅବସ୍ଥାପିତ ସୁଦାନର ରାଷ୍ଟ୍ରଦୂତ ମହମ୍ମଦ ଅବଦାଲ୍ଲା ଅଲ୍ଲୀ ଏଲଟୋମ୍ ସୂଚନା ଦେଇଛନ୍ତି ଯେ, ଆଦର୍ଶଙ୍କ ମୁକ୍ତି ସଂପର୍କରେ ତାଙ୍କ ଦେଶ ପକ୍ଷରୁ ଭାରତର ବିଦେଶ ମନ୍ତ୍ରଣାଳୟ ସହିତ ଆଲୋଚନା କରାଯାଇଛି।
ଏଠାରେ ଉଲ୍ଲେଖଯୋଗ୍ୟ, ଆଦର୍ଶ ବେହେରା ନିଜର ଦୁଇ ପୁଅ (୮ ବର୍ଷ ଓ ୩ ବର୍ଷ) ଓ ପତ୍ନୀ ସୁସ୍ମିତାଙ୍କ ସହ ୨୦୨୨ରୁ ସୁଦାନରେ ରହିବା ସହ ଏକ ପ୍ଲାଷ୍ଟିକ କାରଖାନାରେ ମେସିନ୍ ଅପରେଟର ଭାବେ କାର୍ଯ୍ୟ କରୁଥିଲେ। ଆଦର୍ଶଙ୍କୁ ସୁଦାନ ରାଜଧାନୀ ଖାରତୁମଠାରୁ ୧୦୦୦ କିମି ଦୂର ଅଲ୍-ଫାସିର୍ରୁ ବନ୍ଧୁକ ମୁନରେ ଅପହରଣ କରାଯାଇଥିଲା। ତାଙ୍କୁ ଆର୍ଏସ୍ଏଫ୍ ନାୟାଲା ନେଇଥିବା ଜଣାପଡ଼ିଛି। ସୁଦାନରେ ଯୁଦ୍ଧ ସ୍ଥିତି ଲାଗି ରହିଥିବାରୁ କେତେବେଳେ କ’ଣ ଘଟିବ କହିହେବ ନାହିଁ। ଆଦର୍ଶଙ୍କୁ ସେଠାରେ ଭଲରେ ରଖାଯାଇଥାଉ ଏବଂ ଆମେ ତାଙ୍କର ସୁରକ୍ଷିତ ଉଦ୍ଧାର ନେଇ ଆଶା ରଖିଛୁ ବୋଲି ସୁଦାନ ରାଷ୍ଟ୍ରଦୂତ ଏଲଟୋମ୍ କହିଛନ୍ତି। 
ଆର୍ଏସ୍ଏଫ୍ ବିଦ୍ରୋହୀଙ୍କ ଗହଣରେ ଆଦର୍ଶ ହାତ ଯୋଡ଼ି ବସିଥିବାର ଏକ ଭିଡିଓ ମିଳିଛି। ଯେଉଁଥିରେ ଆଦର୍ଶ କହୁଛନ୍ତି, ସେ ଦୁଇ ବର୍ଷ ହେଲା ବହୁ କଷ୍ଟରେ ଏଠାରେ ରହିଆସୁଛନ୍ତି। ପରିବାର ଓ ପିଲାମାନେ ଚିନ୍ତାରେ ଅଛନ୍ତି। ତାଙ୍କୁ ସାହାଯ୍ୟ କରିବାକୁ ରାଜ୍ୟ ସରକାରଙ୍କୁ ସେ ନିବେଦନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/04/jgjdgcbnnnb-2025-11-04-00-23-59.jpg)