ଇସ୍ରୋରେ ଅନୁଗୁଳର ପୁଅ : ମହାକାଶ ଗବେଷଣା କରିବେ ନରେନ୍ଦ୍ର

ଅନୁଗୁଳ : ନିଷ୍ଠାର ସହିତ ଯେ କୌଣସି କାମ କଲେ ସଫଳତା ସୁନିଶ୍ଚିତ। ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ)ରେ ବୈଜ୍ଞାନିକ/ଯନ୍ତ୍ରୀ ପଦରେ ନିଯୁକ୍ତି ସୁଯୋଗ ପାଇ ଏହା ପ୍ରମାଣିତ କରିଛନ୍ତି ଅନୁଗୁଳ ପୂର୍ତ୍ତ ବିଭାଗର ଚତୁର୍ଥ ଶ୍ରେଣୀ କର୍ମଚାରୀ ନାରାୟଣ ଦେହୁରୀଙ୍କ ପୁଅ ନରେନ୍ଦ୍ର ଦେହୁରୀ। ଆସନ୍ତା ୨୫ ତାରିଖ ଦିନ ସେ ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ଵନ ମହାକାଶ କେନ୍ଦ୍ର ‘ଶାର’ ରେ ଯୋଗ ଦେବେ। ଇସ୍ରୋ ପକ୍ଷରୁ ହୋଇଥିବା ଇଲେଟ୍ରୋନିକ୍‌ ଶାଖାର ବୈଜ୍ଞାନିକ/ଯନ୍ତ୍ରୀ ପଦ ପାଇଁ ଗତ ୨୨ ଏପ୍ରିଲ ୨୦୧୮ରେ ସର୍ବଭାତରୀୟ ସ୍ତରରେ ପାଖାପାଖି ୧ ଲକ୍ଷ ପ୍ରାର୍ଥୀ ଲିଖିତ ପରୀକ୍ଷା ଦେଇଥିଲେ। ହେଲେ ସାକ୍ଷାତକାର ପାଇଁ ଏମାନଙ୍କ ମଧ୍ୟରୁ ମାତ୍ର ୨୭୦ ଜଣଙ୍କୁ ଡକାଯାଇଥିଲା। ଆଉ ସେମାନଙ୍କ ମଧ୍ୟରୁ ମାତ୍ର ୪୨ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିଛି। ଇସ୍ରୋର ଏହି ସଫଳ ପ୍ରାର୍ଥୀଙ୍କ ତାଲିକାରେ ଶୀର୍ଷରୁ ୭ ନମ୍ବର ସ୍ଥାନ ହାସଲ କରି ଅନୁଗୁଳ ତଥା ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ନରେନ୍ଦ୍ର।

ଅନୁଗୁଳ ସରସ୍ୱତୀ ଶିଶୁ ମନ୍ଦିରରୁ ସ୍କୁଲ ଶିକ୍ଷା ଶେଷ କରିଥିବା ନରେନ୍ଦ୍ର ହେଉଛନ୍ତି ଜଣେ ମେଧାବୀ ଛାତ୍ର। ପରିବାରର ଆର୍ଥିକ ସ୍ଥିତି ସେତେଟା ସୁଦୃଢ଼ ନଥିବାରୁ ଶିଶୁ ମନ୍ଦିରର ପ୍ରଧାନଆଚାର୍ଯ୍ୟ ମେଧାବୀ ନରେନ୍ଦ୍ରଙ୍କ ସ୍କୁ ଫି’ ଛାଡ଼ କରି ଦେଇଥିଲେ। ଭୁବନେଶ୍ୱରସ୍ଥିତ କଲେଜ ଅଫ୍‌ ବେସିକ୍‌ ସାଇନ୍‌ସ ଆଣ୍ଡ ହ୍ୟୁମାନିଟିଜ୍‌ରୁ ଯୁକ୍ତ ଦୁଇ ଶିକ୍ଷା ପରେ ରାଉରକେନାଲ୍‌ ଏନ୍‌ଆଇଟିର ଆଇସିଇ (ଇଲେକ୍‌ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍‌ ଇଂଜିନିୟରିଂ)ରେ ପଢ଼ିବା ପାଇଁ ଚୟନ ହୋଇଥିଲେ। ମାତ୍ର ଅର୍ଥ ଏଥିରେ ପ୍ରତିବନ୍ଧକ ସାଜିଥିଲା। ମହାକାଶ ଗବେଷଣା ପାଇଁ ପିଲାଟି ଦିନରୁ ନରେନ୍ଦ୍ରଙ୍କ ଆଗ୍ରହ ରହିଥିଲା। ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ସେ ଶିକ୍ଷାଋଣ ନେଇଥିଲେ। ତେବେ ସବୁବେଳେ ଶିକ୍ଷାଋଣ ପରିଶୋଧ କରିବା ଚିନ୍ତା ତାଙ୍କୁ ଘାରୁଥିଲା। ଏଭଳି ସ୍ଥିତିରେ ଏନ୍‌ଆଇଟିର କେତେକ ସହପାଠୀଙ୍କ ସହିତ ମିଶି ‘ଫୋନିକ୍ସ ଆଣ୍ଡ ରୋବଟିକ୍ସ ପ୍ରାଇଭେଟ୍‌ ଲିମିଟେଡ୍‌’ ନାମରେ ଏକ ଷ୍ଟାଟ୍‌ ଅଫ୍‌ ଆରମ୍ଭ କରିଥିଲେ। ଶିଳ୍ପାନୁଷ୍ଠାନ ଓ ସ୍ମାର୍ଟ ସିଟିଗୁଡ଼ିକରେ ପ୍ରଦୂଷଣ ନିରୀକ୍ଷଣ ପାଇଁ ଏକ ଅଭିନବ ଯନ୍ତ୍ର ତିଆରି କରୁଥିବା ଏହି କଂପାନିକୁ ଅନେକ ପୁରସ୍କାର ଆଉ ସମ୍ମାନ ବି ମିଳିଥିଲା। କଂପାନିରୁ ପ୍ରାପ୍ତ ଅର୍ଥରେ ନରେନ୍ଦ୍ର ଶିକ୍ଷାଋଣ ପରିଶୋଧ କରିବାରେ ସକ୍ଷମ ହୋଇଥିଲେ। ଭଲ ଅର୍ଥ ମଧ୍ୟ ଉପାର୍ଜନ ହେଉଥିଲା। ତଥାପି ମହାକାଶ ଗବେଷଣା କ୍ଷେତ୍ରରେ କାମ କରିବା ପାଇଁ ରହିଥିବା ପ୍ରବଳ ଆଗ୍ରହ ତାଙ୍କୁ ନିଜେ ଗଢ଼ିଥିବା କଂପାନିକୁ ଛାଡ଼ିବାକୁ ବାଧ୍ୟ କରିଥିଲା। କଂପାନି ଛାଡ଼ିବା ପରେ ସେ ଇସ୍ରୋର ପରୀକ୍ଷା ପ୍ରସ୍ତୁତି ପାଇଁ ଦିନରାତି ଏକ କରି ଦେଇଥିଲେ। ଆଉ ପରିଶେଷରେ ଏଥିରେ ସଫଳ ବି ହୋଇଥିଲେ। ତାଙ୍କର ଏହି ସଫଳତା ପଛରେ ପିତା ନାରାୟଣ, ମା’ ନନ୍ଦିନୀଙ୍କ ସହିତ ସର୍ବଦା ଉତ୍ସାହିତ କରି ଆସୁଥିବା ସାଂଗ ଓ ଶିକ୍ଷକମାନଙ୍କ ଅବଦାନକୁ ସେ କେବେ ଭୁଲି ପାରିବେ ନାହିଁ ବୋଲି କହନ୍ତି।

ସମ୍ବନ୍ଧିତ ଖବର