ତେଜରାତି ଦୋକାନରୁ ଦୁବାଇ ଯାତ୍ରା, ଆଇପିଏଲ୍ ରନ ଗଣିବେ ଓଡ଼ିଆ ପୁଅ

ଭୁବନେଶ୍ୱର: ତେଜରାତି ଦୋକାନରୁ ଚକାଚକ ଷ୍ଟାଡିୟମ | ବାକି ଖାତା ହିସାବ ଲେଖୁଥିଲେ ଏବେ ପ୍ରତି ବଲର ସ୍କୋର ଲେଖିବେ | ଆଜି ଆମେ ଆପଣଙ୍କୁ ଏମିତି ଜଣେ ମଣିଷଙ୍କ ବାବଦରେ କହିବୁ ଯିଏ ଜୀବନରେ ଅନେକ ସଂଘର୍ଷ ଦେଖିଛନ୍ତି | ରୋଜଗାର ପାଇଁ ଭିଟାମାଟି ଛାଡି ଅନ୍ୟ ରାଜ୍ୟକୁ ଯାଇଛନ୍ତି, ଏସବୁ ପରେ ବି ମନରେ ଦୁକୁଦୁକୁ ହୋଇ ଜଳୁଥିବା ଆଶାକୁ ପୂରଣ କରିବାରେ ସଫଳ ହୋଇଛନ୍ତି | ଏଥର ୟୁଏଇରେ ଆୟୋଜିତ ହେବାକୁ ଥିବା ଆଇପିଏଲ ମ୍ୟାଚ ପାଇଁ ରନ ସ୍କୋରର(ପ୍ରତି ବଲ ପାଇଁ ରନର ହିସାବ ରଖିବା) ଭାବେ ମନୋନୀତ ହୋଇଛନ୍ତି ସୂର୍ଯ୍ୟକାନ୍ତ ପଣ୍ଡା | ମାତ୍ର ଦଶମ ଯାଏଁ ପାଠ ପଢିଥିବା ୩୨ ବର୍ଷୀୟ ସୂର୍ଯ୍ୟକାନ୍ତ ପଶ୍ଚିମବଙ୍ଗର ହୁଗୁଳୀରେ ଏକ ତେଜରାତି ଦୋକାନରେ ସହାୟକ ଭାବେ କାମ କରନ୍ତି | ଗ୍ରାହକଙ୍କୁ ସାମଗ୍ରୀ ବିକିବାରେ ଦୋକାନୀଙ୍କୁ ସାହାଯ୍ୟ କରନ୍ତି ଓ ଗ୍ରାହକମାନଙ୍କର ବାକି ଖାତାର ହିସାବ ରଖନ୍ତି | ବଡ କଥା ଯେ ସୂର୍ଯ୍ୟକାନ୍ତ ପ୍ରଥମ ଥର ପାଇଁ ଏଥର ବିମାନରେ ବସିବେ | ସୂର୍ଯ୍ୟକାନ୍ତ ପଣ୍ଡା ଅଗଷ୍ଟ ୨୭ ରେ ଦୁବାଇ ଅଭିମୁଖେ ଯାତ୍ରା କରିବେ। ଆଇପିଏଲ୍ ସମୟରେ ପ୍ରତ୍ୟେକ ଭେଟେରାନ୍ କ୍ରିକେଟର ଏବଂ ଦଳର ୱିକେଟ୍ ସୂର୍ଯ୍ୟକାନ୍ତଙ୍କ ମାଧ୍ୟମରେ ଇଲେକ୍ଟ୍ରୋନିକ୍ ସ୍କୋର ବୋର୍ଡରେ ପ୍ରଦର୍ଶନ କରାଯିବ। ସେପ୍ଟେମ୍ବର ୧୯ ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ଆଇପିଏଲ୍ ଖେଳାଯିବ |

photo-aajtak

କେମିତି ଥିଲା ଦୁବାଇ ଯାତ୍ରା ?
ରୋଜଗାର ଆଶାରେ ସୂର୍ଯ୍ୟକାନ୍ତ ଓଡିଶା ଛାଡି ପଶ୍ଚିମବଙ୍ଗ ଯାଇଥିଲେ | ତାଙ୍କ ବାପା ଜଣେ ରୋଷେୟା ଥିବାବେଳେ ପରିବାରର ଆର୍ଥିକ ସ୍ଥିତି ସେତେ ଭଲ ନଥିଲା | ଯେଉଁଥିପାଇଁ ଭିଟାମାଟି ଛାଡି କାମ ସନ୍ଧାନରେ ପଡୋଶୀ ରାଜ୍ୟକୁ ସେ ଯାଇଥିଲେ | ପିଲାଟିଦିନରୁ ଜଣେ କ୍ରିକେଟର ହେବାର ସ୍ୱପ୍ନ ଦେଖିଥିଲେ | ଆଉ ୨୦୦୨-୨୦୦୩ ମସିହାରେ, ସେ ହୁଗୁଳୀ ଜିଲ୍ଲା କ୍ରୀଡ଼ା ଆସୋସିଏସନ୍ ଗ୍ରାଉଣ୍ଡରେ କିଛି ମ୍ୟାଚ୍ ଖେଳିଥିଲେ, କିନ୍ତୁ ପେସା ଚିନ୍ତା ପାଇଁ କ୍ରିକେଟ ଜାରି ରଖିପାରି ନଥିଲେ | ତେବେ ସୂର୍ଯ୍ୟକାନ୍ତ ସର୍ବଦା କ୍ରିକେଟ୍ ସହ ଜଡିତ ହେବାକୁ ଚାହୁଁଥିଲେ। ଏହି କାରଣରୁ ସେ ନିଜ ପାଇଁ ସ୍କୋରର ହେବାର ଉପାୟ ବାଛିଥିଲେ | ୨୦୧୫ ରେ କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲର ସ୍କୋରର ପରୀକ୍ଷାରେ ପାସ୍ କରିଥିଲେ | ପରେ କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲ ଦ୍ୱାରା ଆୟୋଜିତ ଅଧିକାଂଶ ମ୍ୟାଚ୍ ର ସ୍କୋରର ହୋଇଥିଲେ | ନିରନ୍ତର ପ୍ରୟାସ ଏବଂ ନିଷ୍ଠା ଯୋଗୁଁ ୨୦୧୮ ରେ ସୁର୍ଯ୍ୟକାନ୍ତ ଶ୍ରେଷ୍ଠ ସ୍କୋରର ପୁରସ୍କାର ଅର୍ଜନ କରିଥିଲେ ​​| ୨୦୨୦ ରେ ଆଇପିଏଲ୍ ସ୍କୋରର ଭାବରେ ମନୋନୀତ ହେବା ପରେ ସୂର୍ଯ୍ୟକାନ୍ତ ବହୁତ ଖୁସି ହୋଇଥିଲେ, କିନ୍ତୁ ଦୋକାନର ମାଲିକ ବିଶ୍ୱନାଥ ସାଧୁଖାନ୍ ତାଙ୍କୁ ଛୁଟି ଦେବେ ନା ନାହିଁ ସେ ନେଇ ଚିନ୍ତିତ ଥିଲେ। ତେବେ ବିଶ୍ୱନାଥ ନିଜେ ଜଣେ ଫୁଟବଲର୍ ହେବାକୁ ଚାହୁଁଥିଲେ, କିନ୍ତୁ ପିତାଙ୍କ ଅସୁସ୍ଥତା ପରେ ତାଙ୍କୁ ଏକ ଦୋକାନ କରିବାକୁ ପଡିଥିଲା । ତେଣୁ ସେ ସୂର୍ଯ୍ୟକାନ୍ତଙ୍କ ଜୀବନରେ କ୍ରୀଡ଼ାର ମହତ୍ତ୍ୱକୁ ବୁଝିଥିଲେ | ଆଉ ତାଙ୍କୁ ଦୁଇ ମାସ ପାଇଁ ଛୁଟି ମଧ୍ୟ ଦେଇଥିଲେ | ସୁର୍ଯ୍ୟକାନ୍ତ ବର୍ତ୍ତମାନ ବିସିସିଆଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଜାତୀୟ ଦଳ ପାଇଁ ଏହି କାମ କରିବାକୁ ଚାହୁଁଛନ୍ତି।

ସମ୍ବନ୍ଧିତ ଖବର