ଭୁବନେଶ୍ବର: ଓଡ଼ିଶାରେ ନବୀନଙ୍କ ଈର୍ଷଣୀୟ ସଫଳତା ଓ ରାଜନୈତିକ ଜୀବନୀ ହେଉଛି ଏକ ଅଦ୍ଭୁତ ପ୍ରେମ କାହାଣୀ। ନବୀନ ଓ ଓଡ଼ିଆ ଲୋକଙ୍କ ଭିତରେ ସୃଷ୍ଟ ଏହି କାହାଣୀରେ ଓଡ଼ିଶାବାସୀ ନବୀନଙ୍କ ଏକପାଖିଆ ପ୍ରେମରେ ପଡ଼ିଥିଲେ। ୨୦୦୦ରୁ ୨୦୨୪  ମସିହା ପୂର୍ବ ପର୍ଯ୍ୟନ୍ତ ଓଡ଼ିଶାର ରାଜ‌ନୀତି ଓ ନବୀନଙ୍କୁ ଓଡ଼ିଶାବାସୀଙ୍କ ନିଚ୍ଛକ ଭଲପାଇବା ଦେଖିଲେ, ଆଜିକା ସମୟରେ ବହୁ ପ୍ରଚଳିତ ‘ଅନ୍ଧଭକ୍ତ’ର ପ୍ରକୃତ ଅର୍ଥ ବୁଝିହେବ। ନବୀନ ବାପାଙ୍କୁ ହରାଇଛନ୍ତି, ମିଷ୍ଠଭାଷୀ, ଅବିବାହିତ, ଏକୁଟିଆ ଲୋକ, ଦେହ ଖରାପ ହେଲେ ଦେଖିବାକୁ କେହି ନାହିଁ ଆଦି କଥାକୁ ଓଡ଼ିଶାବାସୀ ଗୁରୁତ୍ବର ସହ ନେଇ ତାଙ୍କୁ ନିରଙ୍କୁଶ କ୍ଷମତା ଦେଇଥି‌ଲେ। ନବୀନ କିନ୍ତୁ ଓଡ଼ିଶା ବା ଓଡ଼ିଆଙ୍କୁ ଭଲ ପାଇପାରିଲେ ନାହିଁ। ଫଳରେ ନବୀନଙ୍କ ଏ ପ୍ରେମ କାହାଣୀ ସଫଳ ହୋଇପାରିଲା ନାହିଁ ଓ ସେ ଗାଦିଚ୍ୟୁତ ହେଲେ ବୋଲି କହିଛନ୍ତି ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ। 

Advertisment

ଆଜି ବି. କେ ପବ୍ଲିକେସନ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ପ୍ରକାଶିତ ରୁବେନ ବାନାର୍ଜୀଙ୍କ ମୂଳ ଲେଖାର ଓଡ଼ିଆ ରୂପାନ୍ତର ‘ନବୀନ ପଟ୍ଟନାୟକ’ ପୁସ୍ତକଙ୍କୁ ଉନ୍ମୋଚନ କରି ଶ୍ରୀ ପଟ୍ଟନାୟକ ଏହା କହିଥିଲେ।  ସେ ଆହୁରି କହିଥିଲେ, ନବୀନ ବେଶ୍‌ ଚାଲାକ୍‌ ରାଜନୈତିଜ୍ଞ। ନିଜର ଏକ ଅମଳିନ ଛବି ନିର୍ମାଣ କରି ନିଜ ଭୁଲ୍‌ତ୍ରୁଟିକୁ ପ୍ରଥମେ ପ୍ୟାରୀ ମହାପାତ୍ର ଓ ପରେ ଭି କେ ପାଣ୍ଡିଆନଙ୍କ ଉପରେ ଲଦି ଦେବାରେ ସେ ସଫଳ ହୋଇଛନ୍ତି। ନେତାମାନଙ୍କ ସ୍ବାର୍ଥସର୍ବସ୍ବ ଉଦ୍ଦେଶ୍ୟ ଗଣତନ୍ତ୍ର ପାଇଁ ବିପଦର କାରଣ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ରୁବେନ ବାନାର୍ଜୀଙ୍କ ‘ନବୀନ ପଟ୍ଟନାୟକ’ ପୁସ୍ତକର ଓଡ଼ିଆ ଅନୁବାଦ ଉନ୍ମୋଚିତ

ରୁବେନଙ୍କ ମୂଳ ପୁସ୍ତକୁ ଅନୁବାଦିକା ଚୌଧୁରୀ ରଞ୍ଜିତା ପ୍ରହରାଜ ଓଡ଼ିଆରେ ରୂପାନ୍ତର କରିଥିବା ଏହି ପୁସ୍ତକର ସମୀକ୍ଷା କରିଥିଲେ ବରିଷ୍ଠ ସାମ୍ବାଦିକ ରବି ଦାସ। ଏହି ଅବସରରେ ସେ କହିଥିଲେ, ଦେଶର ସ୍ବାଧୀନତା ପରେ ଓଡ଼ିଶା ରାଜନୀତିରେ ୧୯୮୦ ମସିହା ପର୍ଯ୍ୟନ୍ତ ବେଶ୍‌ ଅସ୍ଥିରତା ଦେଖାଯାଇଥିଲା। ହେଲେ ସେହି କାଳଖଣ୍ଡ ଉପରେ ଓଡ଼ିଶାରେ ପୁସ୍ତକ ନାହିଁ। ବିଜୁ ପଟ୍ଟନାୟକ, ଜାନକୀ ପଟ୍ଟନାୟକ ପ୍ରମୁଖଙ୍କ କାଳଖଣ୍ଡରେ ଯେଉଁ କେତୋଟି ପୁସ୍ତକ ଅଛି, ସେଥିରେ ଓଡ଼ିଶାର ସମ୍ପୂର୍ଣ୍ଣ ଚିତ୍ର ପ୍ରତିଫଳିତ ହେଉନାହିଁ। ନବୀନ ପଟ୍ଟନାୟକ ଓଡ଼ିଶାର ୨୫ ବର୍ଷର ସାମାଜିକ, ରାଜନୈତିକ ଇତିହାସ ସହ ଜଡ଼ିତ ରହିଥିବା ବେଳେ ଏହା ଉପରେ ପୁସ୍ତକ ଲିଖନ ସ୍ବାଗତଯୋଗ୍ୟ।

ଅଧ୍ୟାପକ ବିଶ୍ବରଞ୍ଜନଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ପୁସ୍ତକର ମୂଳ ଲେଖକ ଶ୍ରୀ ବାନାର୍ଜୀ କହିଥିଲେ, ଏହାର ଇଂରାଜୀ ପୁସ୍ତକ ଉନ୍ମୋଚନ ପରେ ମୋତେ ବହୁ ଗାଳି ଓ କଟାକ୍ଷ ଶୁଣିବାକୁ ମିଳିଛି। ଅନେକ ସମୟରେ ସମ୍ବାଦିକଙ୍କ ‘ଅଭିବ୍ୟକ୍ତିର ଅଧିକାର’କୁ ଛଡ଼ାଇ ନିଆଯାଉଛି। ଆକ୍ରମଣ ସତ୍ତ୍ବେ ସାମ୍ବାଦିକଟିଏ ପଛଘୁଞ୍ଚା ଦେବ ନାହିଁ। ତା’ କଣ୍ଠରୋଧ କରାଯାଇପାରିବ ନାହିଁ। ସଭାରେ ପୁସ୍ତକର ପ୍ରକାଶକ ବିଜୟ ମହାପାତ୍ର ସ୍ବାଗତ ଭାଷଣ ଦେଇଥିଲେ।