ସରିଲା ବିଧାନସଭାର ବଜେଟ ଅଧିବେଶନ, ମୋଟ୍‌ ୯ଟି ବିଲ୍ ପାରିତ ହେଲା

ଭୁବନେଶ୍ବର: ବିଧାନସଭାର ବଜେଟ ଅଧିବେଶନ ୨୦୨୧-୨୨ ଆଜି ଶେଷ ହୋଇଛି। ୫ଟି କାର୍ଯ୍ୟ ଦିବସ ପୂର୍ବରୁ ଏହି ଅଧିବେଶନ ଶେଷ ହୋଇଛି। ଚଳିତ ଅଧିବେଶନରେ ପାରିତ ହୋଇଛି ୯ଟି ବିଲ୍‌। ତେବେ ଅଧିବେଶନ ସମୟରେ ମଣ୍ଡିରେ ଧାନ କିଣାକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ ଦେଖାଯାଇଥିଲା ଏବଂ ବିରୋଧୀ ଦଳର ନେତାମାନେ ଅନେକ ଥର ଗୃହକୁ ଅଚଳ କରିଦେଇଥିଲେ। ଧାନକିଣା ପ୍ରସଙ୍ଗ ଏହି ଅଧିବେଶନର ଏକ ପ୍ରମୁଖ ପ୍ରସଙ୍ଗ ହୋଇ ରହିଥିଲା। ଉଭୟ ବିଜେପି ଏବଂ କଂଗ୍ରେସ ଏ ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲେ।

ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରି ୧୮ ତାରିଖରେ ଆରମ୍ଭ ହୋଇଥିଲା। ୨୨ ତାରିଖରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରାଯାଇଥିଲା। ଫେବ୍ରୁଆରି ୨୭ ତାରିଖରେ ପ୍ରଥମ ପର୍ଯ୍ୟାୟର ଅଧିବେଶନ ଶେଷ ହୋଇଥିଲା। ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୨ ତାରିଖରୁ ଆରମ୍ଭ ହୋଇଥିଲା ଏବଂ ଏପ୍ରିଲ୍‌ ୯ ତାରିଖ ଯାଏ ଚାଲିବାର ଥିଲା।

ଦୁଇଟି ପ୍ରର୍ଯ୍ୟାୟରେ ହୋଇଥିବା ଏହି ଅଧିବେଶନରେ ସମୁଦାୟ ୨୬ଟି ବୈଠକ ବସିଥିଲା। ଏହି କାର୍ଯ୍ୟ ଦିବସରେ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇଥିଲା। ଫେବ୍ରୁଆରି ୧୮ରୁ ପ୍ରଥମ ପର୍ଯ୍ୟାୟ ଅଧିବେଶନରେ ରାଜ୍ୟପାଳ ଗୃହରେ ତାଙ୍କ ଅଭିଭାଷଣ ରଖିଥିଲେ। ଏହାପରେ ତିନିଦିନ ଧରି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଓ ବିଚାର ଗୃହିତ ହୋଇଥିଲା। ସେହିପରି ୨୦୨୧ -୨୨ ଆର୍ଥିକ ବର୍ଷ ନିମନ୍ତେ ପୂର୍ଣ୍ଣାଙ୍ଗ ବଜେଟ ଗୃହରେ ପାରିତ ହେବା ସହ, ଓଡ଼ିଶା ଲୋକୟୁକ୍ତ ସଂଶୋଧନ ବିଲ, ସମିତି ପଞ୍ଜିକରଣ ସଂଶୋଧନ ବିଲ, ବୈଷୟିକ ବିଶ୍ଵବିଦ୍ୟାଳୟ ବିଲ ଏବଂ ବିଭିନ୍ନ ବିଭାଗର ବ୍ୟୟମଞ୍ଜୁରୀ ବିଲ ପାରିତ ହୋଇଥିଲା । ଚାଷୀଙ୍କ ସମସ୍ୟା, ଦରଦାମ ବୃଦ୍ଧି, ତୈଳଦର ବୃଦ୍ଧି ପରି ବିଭିନ୍ନ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଜରିଆରେ ସରଗରମ ଆଲୋଚନା ହୋଇଥିଲା ।

ସମ୍ବନ୍ଧିତ ଖବର