ଘୁଞ୍ଚିଲା ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା : ଜାନୁଆରି ୨୯ରୁ ଫେବ୍ରୁଆରି ୮ ପର୍ଯ୍ୟନ୍ତ ହେବ

ପ୍ରାକ୍ଟିକାଲ ପରୀକ୍ଷା ଦେବେ ୨ ଲକ୍ଷ ୬୯ ଲକ୍ଷ ପିଲା

ଭୁବନେଶ୍ୱର : ଜାନୁଆରି ୨୫(ଆଜି)ଠାରୁ ଆରମ୍ଭ ହେବାକୁ ଥିବା ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଏହି ପରୀକ୍ଷା ଜାନୁଆରି ୨୯ରୁ ଆରମ୍ଭ ହୋଇ ଫେବ୍ରୁଆରି ୮ ପର୍ଯ୍ୟନ୍ତ ଚାଲିବ। ଏହି ସମୟସୀମା ମଧ୍ୟରେ ଯୁକ୍ତ୨ କଲେଜଗୁଡ଼ିକ ସେମାନଙ୍କ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ ପରୀକ୍ଷା କରାଇବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପ ପରୀକ୍ଷା ନିୟନ୍ତ୍ରକ ପ୍ରବୋଧ କୁମାର ପଣ୍ଡା କହିଛନ୍ତି।

ପରିଷଦର ସୂଚନା ଅନୁଯାୟୀ ଗୁରୁବାରଠାରୁ ପ୍ରାକ୍ଟିକାଲ ପରୀକ୍ଷା ହେବାକୁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା। ୨୨ ତାରିଖରୁ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପ୍ରଶ୍ନପତ୍ର ଓ ଉତ୍ତର ଖାତା ପଠାଯିବା କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପହଞ୍ଚି ନାହିଁ। କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ପ୍ରତିବାଦରେ ଆଜି ଓଡ଼ିଶା ବନ୍ଦ ଥିବାରୁ ଅଧିକାଂଶ କେନ୍ଦ୍ରରେ ପ୍ରଶ୍ନପତ୍ର ଓ ଉତ୍ତର ଖାତା ପହଞ୍ଚିପାରି ନାହିଁ। କଲେଜଗୁଡ଼ିକ ବନ୍ଦ ଥିବାରୁ କର୍ତୃପକ୍ଷଙ୍କ ନିକଟରେ ଏକ୍ସଟରନାଲଙ୍କ ତାଲିକା ବି ପହଞ୍ଚି ନ ଥିବା ଜଣାପଡ଼ିଛି। ଏଭଳି ସମସ୍ୟାକୁ ଦୃଷ୍ଟିରେ ରଖି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଗୋଟିଏ ଦିନ ପରେ ଜାନୁଆରି ୨୬ ପଡ଼ୁଥିବାରୁ କଲେଜଗୁଡ଼ିକରେ ପରୀକ୍ଷା ହୋଇପାରିବ ନାହିଁ। ଏହାର ଗୋଟିଏ ଦିନ ପରେ ଅର୍ଥାତ୍‌ ଜାନୁଆରି ୨୮ ରବିବାର ପଡ଼ୁଥିବାରୁ ଛୁଟି ରହିବ। ତାହାକୁ ବିଚାରକୁ ନିଆଯାଇ ପ୍ରାକ୍ଟିକାଲ ପରୀକ୍ଷାକୁ ୨୯ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି।

ଚଳିତ ବର୍ଷ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ୨ ଲକ୍ଷ ୬୯ ହଜାର ଛାତ୍ରଛାତ୍ରୀ ପ୍ରାକ୍ଟିକାଲ ପରୀକ୍ଷା ଦେବେ। କଳା ବିଭାଗରେ ସର୍ବାଧିକ ଏକ ଲକ୍ଷ ୪୬ ହଜାର ୭୨୭ ପିଲା ରହିଛନ୍ତି। ବିଜ୍ଞାନରେ ୯୬ ହଜାର ୪୭ ଜଣ ଏବଂ ବାଣିଜ୍ୟରେ ପ୍ରାୟ ୨୬ ହଜାର ଛାତ୍ରଛାତ୍ରୀ ପ୍ରାକ୍ଟିକାଲ ପରୀକ୍ଷା ଦେବେ। ଏଥର ମୋଟ ୩ ଲକ୍ଷ ୬୫ ହଜାର ଛାତ୍ରଛାତ୍ରୀ ଯୁକ୍ତ୨ ପରୀକ୍ଷା ଦେଉଛନ୍ତି। ତାରିଖ ଘୁଞ୍ଚିଥିଲେ ମଧ୍ୟ ପରୀକ୍ଷାର ସୁପରିଚାଳନା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ପ୍ରାକ୍ଟିକାଲ ପରୀକ୍ଷା ସରିବାର ୭ ଦିନ ମଧ୍ୟରେ କଲେଜଗୁଡ଼ିକ ମାର୍କ ଫଏଲ୍‌ଗୁଡ଼ିକୁ ପରିଷଦ ନିକଟରେ ଦାଖଲ କରିବେ। ସେଗୁଡ଼ିକୁ ଯାଞ୍ଚ କରିବା ଲାଗି ସ୍ୱତନ୍ତ୍ର ମୂଲ୍ୟାୟନକାରୀ ନିୟୋଜିତ ହେବେ। ମାର୍ଚ୍ଚ ୬ରୁ ଥିଓରି ପରୀକ୍ଷା ଆରମ୍ଭ ହେବାକୁ ଥିବାରୁ ଏହାପୂର୍ବରୁ ପ୍ରାକ୍ଟିକାଲ ପରୀକ୍ଷାର ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ଯୋଜନା ହୋଇଥିବା ଉପ ନିୟନ୍ତ୍ରକ ଶ୍ରୀ ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର