ଚିକିତ୍ସା ଲାଗି ଚତୁର୍ଥ କରୋନା ଆକ୍ରାନ୍ତଙ୍କୁ ଏସିବି ଅଣାଯାଉଛି

ଭୁବନେଶ୍ବର/ଭଦ୍ରକ: ଭଦ୍ରକରୁ ରାଜ୍ୟର ଚତୁର୍ଥ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ କିଶୋର ଧଳ ଏ ନେଇ ଭଦ୍ରକ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିିଛନ୍ତି । ତୁରନ୍ତ ଆକ୍ରାନ୍ତଙ୍କୁ ଚିକିତ୍ସା ଲାଗି କଟକ ବଡ ମେଡିକାଲକୁ ଆଣିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହ ଆକ୍ରାନ୍ତଙ୍କ ସଂସ୍ପର୍ଶରେ  ଆସିଥିବା ତାଙ୍କର ନିକଟ ସର୍ମ୍ପକୀୟ ମାନଙ୍କୁ ସଂଗରୋଧରେ ରଖିବା ଲାଗି କୁହାଯାଇଛି । ଏହା ସହ ସେ କେତେ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି ତା ମଧ୍ୟ ଅନୁସନ୍ଧାନ କରାଯାଉଛି । ମିଳିଥିବା ସୂଚନା ଅନୁସାରେ ଆକ୍ରାନ୍ତଙ୍କ ପରିବାର ଲୋକଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସଂଗରୋଧରେ ରଖାଯିବ ବୋଲି ଜଣାପଡିଛି ।

ଭଦ୍ରକରୁ ମିଳିଥିବା ସୂଚନା ଅନୁସାରେ କିଛି ସମୟ ପୂର୍ବରୁ ଆକ୍ରାନ୍ତଙ୍କ ଘରେ ପୁଲିସ୍‌ ଓ ପ୍ରଶାସନ ପହଞ୍ଚିବା ସହିତ ଜଣେ ବରିଷ୍ଠ ଅଧିକାରୀଙ୍କ ତତ୍ତ୍ବାବଧାନ କଟକ ଅଣାଯାଉଛି ।

ସୂଚନା ଅନୁସାରେ ଭଦ୍ରକ ଜିଲ୍ଲାର ଏହି ୨୯ ବର୍ଷିଅ ଯୁବକ ନିକଟରେ ଦୁବାଇରୁ ଆସିଥିଲେ । ସନ୍ଦେହ ହେବା ପରେ ସେ ଡାକ୍ତରଙ୍କ ପରାମର୍ଶ ପାଇଁ ଡାକ୍ତରଖାନା ଯାଇଥିଲେ । ତାଙ୍କର ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ପରୀକ୍ଷା ପରେ ସଂପୃକ୍ତ ଯୁବକ କରୋନା ଆକ୍ରାନ୍ତ ବୋଲି ସ୍ପଷ୍ଟ ହୋଇଛି।

ଓଡ଼ିଶାରେ ଏପର୍ଯ୍ୟନ୍ତ ୬୧୦ଟି ନମୁନା ପରୀକ୍ଷା କରାଯାଇଛି । କେବଳ ଆଜି ୧୩୭ଟି ନମୁନା ପରୀକ୍ଷା କରାଯାଇଥିଲା । ଏଥିରୁ ଗୋଟିଏ ରିପୋର୍ଟ ପଜିଟିଭ ଆସିଛି । ଭୁବନେଶ୍ବର ଆରଏମଆରସିରେ ୧୧୯ଟି ନମୁନା ପରୀକ୍ଷା କରାଯାଇଥିଲା ଓ  ଏସବୁ ରିପୋର୍ଟ ନେଗେଟିଭ ଆସିଥିଲା । ସେହିପରି  କଟକ ଏସସିବିରେ ୩ଟି ନମୁନା ପରୀକ୍ଷା ହୋଇଥିଲା । ଏଗୁଡ଼ିକ ମଧ୍ୟ ନେଗେଟିଭ ଆସିଥିଲା। ଅନ୍ୟ ପକ୍ଷରେ ଭୁବନେଶ୍ବର ଏମ୍ସରେ ୧୫ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ଗୋଟିଏ ପଜିଟିଭ ଆସିଥିଲା ।

ସୂଚନାଯୋଗ୍ୟ, ଓଡ଼ିଶାରେ ପ୍ରଥମ କରୋନା ପଜିଟିଭ ଗତ ୧୫ରେ ଚିହ୍ନଟ ହୋଇଥିଲା । ସେହିପରି ୧୯ ତାରିଖରେ ଦ୍ୱିତୀୟ ଓ ୨୬ ତାରିଖରେ ତୃତୀୟ ବ୍ୟକ୍ତି କରୋନା ସଂକ୍ରମଣ ପଜିଟିଭ ଚିହ୍ନଟ ହୋଇଥିଲେ ।

ସମ୍ବନ୍ଧିତ ଖବର