୨୪ ଘଣ୍ଟାରେ ରାଜ୍ୟରେ ୫ ପଜିଟିଭ୍: ରାଜଧାନୀରେ ପୁଣି ୪, ଯାଜପୁରର ଜଣେ ଆକ୍ରାନ୍ତ

ବମିଖାଲ ବାବିଲୋନ୍‌ ଆପାର୍ଟମେଣ୍ଟରୁ ପୁଣି ୩ ସଂକ୍ରମିତ, ଜଣେ କେଶୁରା ବଜାର ବୁଲିଛନ୍ତି, ପଳାଶୁଣୀ ହାଟ ବି

ଭୁବନେଶ୍ବର: ଗତ ୨୪ଘଣ୍ଟା ଭିତ‌ରେ ରାଜ୍ୟରେ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତହିଁରୁ ରାଜଧାନୀର ୪ଜଣ ରହିଥିବା ବେଳେ ଜଣେ ଯାଜପୁରର ରହିଛନ୍ତି। ଏ ଥିରେ ୪ଜଣ ପୁରୁଷ ଥିବା ବେଳେ ଜଣେ ମହିଳା ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ ଛୁଇଁଛି। ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ, ୫୬ତମ ଆକ୍ରାନ୍ତ ହେଉଛନ୍ତି ଯାଜପୁର ସଦର ଅଞ୍ଚଳର ୬୬ ବର୍ଷୀୟ ବ୍ୟକ୍ତି। ସେ କିଛିଦିନ ପୂର୍ବରୁ କୋଲାକାତାରୁ ଘରକୁ ଫେରିଥିଲେ। ସେ କୋଲାକାତାର ବାବୁଘାଟରୁ ଏକ ଟାଟା ମ୍ୟାଜିକ୍‌ରେ ଅନ୍ୟ ୧୭ଜଣ ଯାତ୍ରୀଙ୍କ ସହିତ ସାଥୀପୁର ପର୍ଯ୍ୟନ୍ତ ଆସିଥିଲେ। ୨୮ ତାରିଖ ରାତିରେ ଯାଜପୁରରେ ପହଞ୍ଚିଥିଲେ। ସାଥୀପୁରଠାରୁ ଗଣେଶପୁର ପର୍ଯ୍ୟନ୍ତ ଏକ ମାଛ ଗାଡ଼ିରେ ଆସିବା ସହ ଚାଲି ଚାଲି ୨୯ ତାରିଖରେ ଯାଜପୁର ଟାଉନ୍‌ରେ ପହଞ୍ଚିଥିଲେ। ସେହି ଦିନଠାରୁ ୧୩ ଏପ୍ରିଲ ପର୍ଯ୍ୟନ୍ତ ସାନ ତ୍ରିଲୋଚନପୁରସ୍ଥିତ ନିଜ ଘରେ ସଙ୍ଗରୋଧ‌ରେ ରହିଥିଲେ। ତେବେ ନିୟମିତ ଯାଞ୍ଚ ସମୟ‌ରେ ତାଙ୍କ ନମୁନା ସଂଗ୍ରହ କରାଯାଇଥିଲା ଓ ‌ଗତକାଲି ହିଁ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଆଜି ତାଙ୍କୁ ଅଶ୍ବିନୀ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ରାଜ୍ୟର ୫୭ତମ ଆକ୍ରାନ୍ତ ରାଜଧାନୀର ବମିଖାଲ ଅଞ୍ଚଳର। ୫୦ ବର୍ଷର ଏହି ପୁରୁଷଙ୍କ ପଡ଼ୋଶୀ ୭, ୮, ୨୨ ଓ ୩୯ ପୂର୍ବରୁ କରୋନା ପଜିଟିଭ୍ ଚିହ୍ନଟ ହୋଇସାରିଛନ୍ତି। ସେ ୨୨ ମାର୍ଚରୁ ୧୩ ଏପ୍ରିଲ ପର୍ଯ୍ୟନ୍ତ ବମିଖାଲସ୍ଥିତ ବେବିଲୋନ୍ ଆପାର୍ଟମେଣ୍ଟରେ ରହିଥିଲେ। ଏହି ସମୟ ଭିତ‌ରେ ସେ ଗଣେଶ ମଣ୍ଡପ ଛକ, ଓଭରବ୍ରିଜ୍‌ସ୍ଥିତ ‌ରିଲାଏନ୍‌ସ ଫ୍ରେସ୍‌, ବମିଖାଲ ଓ ରସୁଲଗଡ଼ ବଜାରକୁ କାଁ ଭାଁ ପରିବା ଆଣିବାକୁ ଯାଇଥିଲେ। ଯଦିଓ ତାଙ୍କର କୌଣସି ଲକ୍ଷଣ ଦେଖିବାକୁ ମିଳି ନଥିଲା, ମାତ୍ର ନିୟମିତ ଯାଞ୍ଚ ସମୟରେ ତାଙ୍କର ନମୁନା ସଂଗ୍ରହ ହୋଇଥିଲା। ପଜିଟିଭ୍‌ ଚିହ୍ନଟ ହେବା ପରେ ତାଙ୍କୁ ଆଜି କିମ୍‌ସ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ସେହିପରି ୫୮ନଂ କରୋନା ଆକ୍ରାନ୍ତ ହେଉଛନ୍ତି ଜଣେ ୫୧ବର୍ଷୀୟ ମହିଳା। ତାଙ୍କ ପଡ଼ୋଶୀ ମଧ୍ୟ ପୂର୍ବରୁ କରୋନା ସଂକ୍ରମିତ ହୋଇଛନ୍ତି। ନିୟମିତ ଯାଞ୍ଚ ସମୟରେ ତାଙ୍କ ନମୁନା ସଂଗ୍ରହ କରାଯାଇଥିଲା ଓ ପଜିଟିଭ୍ ଚିହ୍ନଟ ହେବା ପରେ ଆଜି ତାଙ୍କୁ କିମସ୍‌ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ରାଜ୍ୟର ୫୯ନଂ ଆକ୍ରାନ୍ତ ମଧ୍ୟ ବମିଖାଲ ସଂକ୍ରମଣ ଅବରୋଧ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ୭୫ବର୍ଷର ଏହି ବୃଦ୍ଧଙ୍କର କୌଣସି ଲକ୍ଷଣ ନ ଥିଲା। ମାତ୍ର ନମୁନାରେ ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ କିମ୍‌ସ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅପରପକ୍ଷରେ ରାଜ୍ୟରେ ପୂର୍ବରୁ ଝାରପଡ଼ା ଅଞ୍ଚଳରୁ ଚିହ୍ନଟ ହୋଇଥିବା ୪୨ନଂ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୫୧ ବର୍ଷର ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହୋଇଛନ୍ତି। ୬୦ନଂ ଆକ୍ରାନ୍ତ ଜଣକ ଗତ ମାସ ୨୨ ତାରିଖରୁ ଚଳିତ ମାସ ୧୩ ତାରିଖ ଯାଏ ଘରେ ଥିଲେ। ଏହି ସମୟ‌ରେ ପରିବା ଓ ଗ୍ରୋସରି କିଣିବା ଲାଗି କେଶୁରା ବଜାର, ରସୁଲଗଡ଼ ହାଟ, ପଳାଶୁଣୀ ଯାଇଥିଲେ। ନିୟମିତ ନମୁନା ଯାଞ୍ଚରେ ପଜିଟିଭ୍ ଆସିବା ପରେ ତାଙ୍କୁ କିମ୍‌ସ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ରାଜ୍ୟରେ ଗତକାଲି ୫୬୪ ନମୁନା ପରୀକ୍ଷା କରାଯାଇଥିଲା। ଆଜିଠାରୁ ଇସ୍ପାତ ଜେନେରାଲ ହସ୍ପିଟାଲ, ରାଉରକେଲା ଓ ଇନଷ୍ଟିଚ୍ୟୁଟ୍‌ ଅଫ ଲାଇଫ୍ ସାଇନ୍ସ‌ରେ କୋଭିଡ୍‌ ପରୀକ୍ଷା ଆରମ୍ଭ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ନମୁନା ପରୀକ୍ଷା ପାଇଁ ଅମଙ୍ଗ ହେଉଛନ୍ତି ୧୦%
ସାମାଜିକ ଦୂରତ୍ବ, ମାସ୍କ ପିନ୍ଧିଲେ ୮୦% ସଂକ୍ରମଣ କମିବ
ନିଶାଦ୍ରବ୍ୟ ବର୍ଜନ ଜରୁରୀ

ଭୁବନେଶ୍ବର: ରାଜ୍ୟରେ କୋଭିଡ ପରୀକ୍ଷା ପାଇଁ ନମୁନା ସଂଗ୍ରହ ସମୟରେ ୯୦ ପ୍ରତିଶତ ଲୋକ ସହ‌ଯୋଗ କରୁଛନ୍ତି। ମାତ୍ର ୧୦ ପ୍ରତିଶତ ଲୋକ ନମୁନା ସଂଗ୍ରହ ସମୟରେ ସମସ୍ୟା ସୃଷ୍ଟି କରୁଛନ୍ତି। ଏପରି ବ୍ୟକ୍ତି ନିଜକୁ ଓ ସମାଜକୁ ବିପଦ ମୁହଁକୁ ଠେଲି ଦେଉଛନ୍ତି। ଯଦି କୌଣସି ସରକାରୀ କର୍ମଚାରୀ ନମୁନା ପରୀକ୍ଷା ପାଇଁ କହୁଛନ୍ତି, ଅଥଚ ଯେଉଁମାନେ ଏହାକୁ ମାନୁ ନାହାନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେଣୁ କୋଭିଡ ନମୁନା ସଂଗ୍ରହ ସମୟରେ ସଂପୂର୍ଣ୍ଣ ସହଯୋଗ କରିବାକୁ ରାଜ୍ୟ ସରକାର ନିବେଦନ କରିଥିବା କହିଛନ୍ତି କୋଭିଡ-୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ।

ଆଜି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗଚୀ କହିଲେ, ଆଗାମୀ ଦିନରେ କୋଭିଡ ନମୁନା ପରୀକ୍ଷା ସଂଖ୍ୟାକୁ ଆହୁରି ଅଧିକ ବୃଦ୍ଧି କରାଯିବ। ବିଶେଷକରି ସଂକ୍ରମଣ ଅବ‌ରୋଧ ଅଞ୍ଚଳ ବା କଣ୍ଟେନମେଣ୍ଟ ଜୋନ୍‌ରେ ଏହି ପରୀକ୍ଷାକୁ ଅଧିକ ବୃଦ୍ଧି କରାଯିବ। ସେହିପରି ଯେଉଁ ଅଞ୍ଚଳ ସଂକ୍ରମଣ ଅବରୋଧ ଅଞ୍ଚଳ ଘୋଷିତ ହୋଇଛି ଓ ପରିସ୍ଥିତି ଯଦି ସଂକଟଜନକ ହୁଏ ତାହାଲେ ପୂର୍ବରୁ ନିଆ ଯାଇଥିବା ପଦକ୍ଷେପକୁ ପ୍ରତ୍ୟାହାର କରାଯାଇପାରେ। ତେଣୁ ଅତ୍ୟନ୍ତ ଜରୁରୀ ନ ହେଲେ ଘରୁ ବାହାରନ୍ତୁ ନାହିଁ। ଯଦି ଘରୁ ବାହାରକୁ ଯାଉଛନ୍ତି ତାହାଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଦିନକୁ ୫/୬ଥର ସାବୁନରେ ୨୦ ସେକେଣ୍ଡ ପାଇଁ ହାତକୁ ଧୋଇବା ଉଚିତ୍। ଜ୍ବର, କାଶ ଓ ଶ୍ବାସ କଷ୍ଟ ହେଲେ ୧୦୪ ସହାୟତା ନମ୍ବରକୁ ଫୋନ୍ କରନ୍ତୁ। ଏହି ସମୟରେ ନିଶାଦ୍ରବ୍ୟଠାରୁ ଦୂରେଇ ରହିବା ଉଚିତ୍। ନିଶାଦ୍ରବ୍ୟ ସେବନ କଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ। ମା’ ଓ ଭଉଣୀଙ୍କ ପ୍ରତି କୌଣସି ଅସଦାଚରଣ କରନ୍ତୁ ନାହିଁ। ଘରୋଇ ହିଂସାର ଅଭିଯୋଗକୁ ଅତ୍ୟନ୍ତ ଗୁରୁତର ସହ ଗ୍ରହଣ କରାଯିବ ବୋଲି ଶ୍ରୀ ବାଗଚୀ କହିଥିଲେ। ସ୍ବାସ୍ଥ୍ୟସେବା ନିର୍ଦେଶକ ଡା. ବିଜୟ ମହାପାତ୍ର କହିଲେ, ଭୂତାଣୁ ସଂକ୍ରମଣ ପାଇଁ ସେହି ଭୂତାଣୁ କେତେ ପରିମାଣରେ ରହିଛି। ସଂକ୍ରମିତ ବ୍ୟକ୍ତିଙ୍କ ସହିତ କେତେ ସମୟ ସଂସ୍ପର୍ଶରେ ଆସୁଛନ୍ତି ଓ କେଉଁ ଭଳି ଜାଗାରେ ସଂସ୍ପର୍ଶରେ ଆସିଛନ୍ତି ତାହା ଗୁରୁତ୍ବପୂର୍ଣ୍ଣ। ଯଦି ଖୋଲା ପଡ଼ିଆରେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସୁଛନ୍ତି ତାହାଲେ ସେଠାରେ ସଂକ୍ରମଣର ଆଶଙ୍କା ବହୁତ କମ୍। ଯଦି ଅତ୍ୟନ୍ତ ନିକଟରେ ୧୫ମିନିଟ୍‌ରୁ ଅଧିକ ସମୟ ରହୁଛନ୍ତି ତାହାଲେ ସଂକ୍ରମଣ ଆଶଙ୍କା ଅଧିକ ରହିଥାଏ। ଭୂତାଣୁ ରହିଛି ତାହା ଅର୍ଥ ନୁହେଁ ଯେ, ସଂକ୍ରମଣ ହେବ ତାହାର କିଛି ଅର୍ଥ ନାହିଁ। ଲକ୍‌ଡାଉନ ଉଠିଯିବା ପ‌ରେ ମଧ୍ୟ ଏହି ଭୂତାଣୁ ଘୁରି ବୁଲିଥାଏ। ତେଣୁ ସାମାଜିକ ଦୂରତ୍ବ ଓ ମାସ୍କ ପିନ୍ଧିଲେ ୮୦ ପ୍ରତିଶତ ସଂକ୍ରମଣ ନିୟନ୍ତ୍ରଣ ହୋଇପାରିବ ବୋଲି ଡା.ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର