ଯାଜପୁର: ମହିଳାମାନେ ଘରର ଚାରିକାନ୍ଥ ଭିତରେ ରହି କାମ କରନ୍ତୁ ଏପ୍ରକାରର ମାନସିକତା ଆଜି ବି ଅନେକ ଲୋକଙ୍କ ଭିତରେ ରହିଛି। ଏଥି‌ରେ ପରିବର୍ତ୍ତନ ଆଣିବାକୁ ହେବ। ମହିଳାମାନଙ୍କୁ ଘରୁ ଗୋଡ଼ କାଢ଼ି ଆଗକୁ ବଢିବାକୁ ହେବ, ନିଜର ସ୍ବପ୍ନକୁ ସାକାର କରିବାକୁ କାର୍ଯ୍ୟ କରିବାକୁ ପଡିବ ବୋଲି ‘ସମ୍ବାଦ’ ପକ୍ଷରୁ ଯାଜପୁରରୋଡସ୍ଥିତ ଟାଉନ ହଲ୍‌ରେ ଆୟୋଜିତ ଓଡ଼ିଶା-୫୦ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର କହିଛନ୍ତି। ‘ସମ୍ବାଦ’ ଯାଜପୁର ସଂସ୍କରଣ ଅଧୀନ ଯାଜପୁର ଓ କେନ୍ଦୁଝର ଜିଲ୍ଲାର ୧୫୦ ମହିଳାଙ୍କୁ ନେଇ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ଶ୍ରୀ କର କହିଥିଲେ, ସମାଜର ୫୦ ପ୍ରତିଶତ ହେଉଛନ୍ତି ମହିଳା। ମହିଳାମାନେ ଘର କାମ କରନ୍ତୁ, ସେମାନଙ୍କର ରୋଜଗାର କରିବାର କିଛି ଆବଶ୍ୟକତା ନାହିଁ ଅନେକଙ୍କ ଏଭଳି ଧାରଣା ରହିଛି। ଏବେ ସେ ସମୟ ବଦଳିଯାଇଛି। କର୍ମଜୀବୀ ମହିଳାମାନେ ନିଜର ପରିବାର ଓ ବୃତ୍ତିକୁ ସମାନ ଭାବେ ଗରୁତ୍ବ ଦେଇ କାର୍ଯ୍ୟ କରୁଛନ୍ତି। ଆଜିର ସମବେତ ମହିଳା ଉଦ୍ୟୋଗୀମାନେ ଏହାର ବଡ଼ ଉଦାହରଣ ବୋଲି ଜିଲ୍ଲାପାଳ ଶ୍ରୀ କର ମତ ରଖିଥିଲେ।

Advertisment

ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ଶୋଭନା ମହାନ୍ତି କହିଥିଲେ, ମହିଳାମାନେ ଆଉ ଦୁର୍ବଳ ନୁହନ୍ତି। ମହିଳାମାନେ ମହାକାଶରେ ପାଦ ଥାପିବା ସହ କ୍ରିକେଟ୍‌ରେ ବିଶ୍ବ ଚାମ୍ପିଅନ୍‌ ହେଲେଣି। ସରକାର ମଧ୍ୟ ମହିଳାଙ୍କୁ ସଶକ୍ତ ଓ ସ୍ବାବଲମ୍ବୀ କରିବା ପାଇଁ ବିଭିନ୍ନ ଯୋଜନା କରି ପର୍ଯ୍ୟାପ୍ତ ଅନୁଦାନ ଯୋଗାଇ ଦେଉଛନ୍ତି। ମହିଳାମାନେ ଛତୁଚାଷ, ଗୋପାଳନ, କୁକୁଡ଼ା ଫାର୍ମ ଓ ଛେଳି ପାଳନ ସାଙ୍ଗକୁ ବଡ଼ ଉଦ୍ୟୋଗ କରି ସ୍ବାବଲମ୍ବୀ ହୋଇପାରିଛନ୍ତି। ପୁରୁଷଙ୍କ ସହ ସମକକ୍ଷ ହୋଇପାରିଛନ୍ତି। ମହିଳାମାନେ ସ୍ବାବଲମ୍ବୀ ହେବା ସାଙ୍ଗକୁ ଆମ ଭାଷା, ସାହିତ୍ୟ, ସଂସ୍କୃତିକୁ ଭଲପାଇ ସଂସ୍କାରୀ ହେବା ଆବଶ୍ୟକ ବୋ‌ଲି ପରାମର୍ଶ ଦେଇଥିଲେ।

ଏକାଠି ହେଲେ ଦୁଇ ଜିଲ୍ଲାର ୧୫୦ ମହିଳା ଉଦ୍ୟୋଗୀ
ମହିଳାମାନେ ଉଦ୍ୟୋଗୀ ସାଙ୍ଗକୁ ସଂସ୍କାରୀ ହୁଅନ୍ତୁ : ଶୋଭନା
ମାତୃଭାଷାକୁ ଭଲପାଇବା, ନିଶାକୁ ତଡ଼ିବା : ସୌମ୍ୟରଂଜନ

କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ କହିଥି‌ଲେ, ମହିଳାମାନେ ହେଉଛନ୍ତି ଅଧା ବିଶ୍ବ। ଏଭଳି କିଛି କାମ ନାହିଁ ଯାହା ମହିଳାମାନେ କରିପାରିବେ ନାହିଁ। ଭାରତୀୟ ସଂସ୍କୃତି ସବୁବେଳେ ନାରୀଙ୍କୁ ସମ୍ମାନ ଦେଇଆସିଛି। ଏହାସତ୍ତ୍ବେ ବିଭିନ୍ନ ସମୟରେ ମହିଳାଙ୍କୁ ନିର୍ଯାତନା ଦିଆଯିବାର ଖବର ଆସୁଛି। ମହିଳାମାନେ ଶିକ୍ଷିତ ଓ ସ୍ବାବଲମ୍ବୀ ହେଲେ ସୁରକ୍ଷିତ ରହିପାରିବେ ବୋଲି ସେ କହିଥିଲେ। ସେହିପରି ମା’କୁ ସମ୍ମାନ, ମାଟି ଓ ମାତୃଭାଷାକୁ ଭଲପାଇବା, ମୋବାଇଲର ସଦ୍‌ବ୍ୟବହାର, ମଦମୁକ୍ତ ଓଡ଼ିଶା ଗଠନ, ନିରୋଗ ରହିବା, ନିରହଂକାର ହେବା, ନିରାଡ଼ମ୍ବର ଜୀବନ ବିତାଇବା, ନିଡ଼ର ହେବା ଓ ନିଶାଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥି‌ଲେ। ମାତୃଭାଷକୁ ଭଲପାଇ ଓ ନିଶାକୁ ହଟାଇବାକୁ ପାଇଁ ଶ୍ରୀ ପଟ୍ଟନାୟକ ନିବେଦନ କରିଥିଲେ।

ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ ଯୋଗଦେଇ କହିଥିଲେ, ‘ସମ୍ବାଦ’ ପକ୍ଷରୁ ଆୟୋଜିତ ଓଡ଼ିଶା-୫୦ କାର୍ଯ୍ୟକ୍ରମ ଷଷ୍ଠ ବର୍ଷରେ ପଦାର୍ପଣ କରିଛି। ପ୍ରତିବର୍ଷ ଅନେକ ନୂଆ ମହିଳା କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ବିଭିନ୍ନ କାମ ପାଇଁ ତାଲିମ, ବଜାର ବ୍ୟବସ୍ଥା, ଋଣ ପ୍ରଦାନ ସାଙ୍ଗକୁ ସରକାରଙ୍କ ପକ୍ଷରୁ ମିଳୁଥିବା ସୁବିଧା ସୁଯୋଗ ସମ୍ପର୍କରେ ସେମାନଙ୍କୁ ଅବଗତ କରାଯାଉଛି। ମହିଳାମାନେ ବିଭିନ୍ନ କାମ କରି ଆଗକୁ ବଢ଼ୁଥିବାରୁ ଖୁସି ଲାଗୁଛି ବୋଲି କହିଥିଲେ। ‘ସମ୍ବାଦ’ ଯାଜପୁର ସଂସ୍କରଣ ମୁଖ୍ୟ ଗଦାଧର ପଣ୍ଡା ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ।
ଦ୍ବିତୀୟ ଅଧିବେଶନରେ ମତ ବିନିମୟ ‌ହୋଇଥିଲା। ‘ସମ୍ବାଦ’ କେନ୍ଦୁଝର ଜିଲ୍ଲା ପ୍ରତିନିଧି ସୁବ୍ରତ ସ୍ବାଇଁଙ୍କ ସଂଯୋଜନାରେ ଯାଜପୁର ବିଧାୟିକା ସୁଜାତା ସାହୁ, ମିସନଶକ୍ତିର ଡିପିସି ସିତାଂଶୁ ଶେଖର ସାହୁ, ଓର୍‌ମାସ୍‌ର ଡେପୁଟି ସିଇଓ ଓମ୍‌ପ୍ରକାଶ ରାଉତ ଯୋଗଦେଇ ଉଦ୍ୟୋଗୀ ମହିଳାଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ଯାଜପୁର ଜିଲ୍ଲା ପ୍ରତିନିଧି ମନୋଜ କୁମାର ରାଉଳ ଧନ୍ୟବାଦ ଦେଇଥିଲେ।