ଓଡ଼ିଶାରେ ନାରୀ ସଶକ୍ତୀକରଣ ପ୍ରଶଂସନୀୟ : ରାଜ୍ୟପାଳ

‘ଓଡ଼ିଶା-୫୦’ ଉଦ୍‌ଯାପିତ

୩୩ ମହିଳା ଉଦ୍ୟୋଗୀଙ୍କୁ ‘ଶାରଦା ସୀମା’ ସମ୍ମାନ
ମହିଳାମାନେ ତାଙ୍କ ଅଧିକାର ସାବ୍ୟସ୍ତ କରନ୍ତୁ: ସୌମ୍ୟ

ଭୁବନେଶ୍ୱର : ନାରୀ ସକଳ ସୃଷ୍ଟିର ଆଧାର। ବ୍ରହ୍ମାଣ୍ଡ ଜଗତ୍‌ଜନନୀଙ୍କ ଗର୍ଭରୁ ଜାତ। ଯେଉଁ ସମାଜ ନାରୀଶକ୍ତିକୁ ଅବହେଳା କରିଛି, ସେଠାରେ ବିଘ୍ନ ଘଟିଛି। ଭାରତରେ ସର୍ବଦା ଐତିହ୍ୟ, ପରମ୍ପରା ଓ ନାରୀକୁ ଉଚିତ ସମ୍ମାନ ଦିଆଯାଇଛି। ଓଡ଼ିଶାରେ ନାରୀ ସଶକ୍ତୀକରଣ ପାଇଁ ପ୍ରଶଂସନୀୟ ପ୍ରୟାସ ହେଉଛି। ଏହାର ପ୍ରଭାବ ସବୁସ୍ତରରେ ଅନୁଭୂତ ହେଉଛି ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।

ଗୁରୁବାର ଦିନ ହୋଟେଲ୍‌ ସ୍ବସ୍ତି ପ୍ରିମିୟମ ପରିସରରେ ଫିକି, ମିସନ ଶକ୍ତି ଓ ‘ସମ୍ବାଦ’ ମିଳିତ ସହଯୋଗରେ ଆୟୋଜିତ ‘ଓଡ଼ିଶା-୫୦’ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ କହିଲେ ଯେ ସତୀଙ୍କ ବିନା ଶିବ ଅଧୁରା। ସୀତାଙ୍କ ବିନା ରାମ ଅଧୁରା। ନାରୀ ଶକ୍ତି ଯୁଗେ ଯୁଗେ ପ୍ରତିପାଦିତ ହୋଇଛି। ଏଣୁ ଏହି ଶକ୍ତିକୁ ଅବହେଳା ଅସମ୍ଭବ। ଗଣତନ୍ତ୍ରରେ ଏବେ ଦେଶର ପ୍ରଗତି ଘଟିଛି ସତ। ହେଲେ ତ୍ୟାଗ ବିନା‌ ପୂଜା, ଆଦର୍ଶ ବିନା ରାଜନୀତି, ବିଚାର ବିନା‌ ବାଣିଜ୍ୟ ହେଉଛି, ଯାହାର କୌଣସି ଅର୍ଥ ନାହିଁ। ଆମେ ସ୍ମାର୍ଟ ସିଟିର କଥା କହୁଛେ, ହେଲେ ଗାନ୍ଧୀଙ୍କ ଗ୍ରାମ ସ୍ବରାଜ କଥା ଭୁଲି ଯାଇଛୁ। ସ୍ମାର୍ଟ ସିଟି ପରି ପ୍ରତ୍ୟେକ ଗ୍ରାମକୁ ବି ଗୋଟିଏ ଗୋଟିଏ ସ୍ମାର୍ଟ ଭିଲେଜ କରିପାରିବା। ସେହିଭଳି ଜୟପ୍ରକାଶ ନାରାୟଣଙ୍କ ‘ଦଳ ବିନା ରାଜନୀତି’ ପ୍ରସଙ୍ଗ ଭୁଲି ଯାଇଛୁ। ଯେଉଁ ଆତ୍ମନିର୍ଭର ଭାରତର କଥା କୁହାଯାଉଛି, ଯେଉଁ ‘ସ୍ପିରିଚୁଆଲ୍‌ ଡେମୋକ୍ରାସି’ କଥା କୁହାଯାଉଛି, ତାହାର ଆଧାର ହେଉଛି ନାରୀ ସଶକ୍ତୀକରଣ। ଯୁଗେ ଯୁଗେ ନାରୀକୁ ପ୍ରାଧାନ୍ୟ ଦିଆଯାଇଛି। ନାରୀ ସଶକ୍ତୀକରଣ ବ୍ୟବସ୍ଥାରେ ରାଜ୍ୟର ଏକ କୋଟି ମହିଳା ଯୋଡ଼ି ହୋଇଛନ୍ତି। ସେଥିପାଇଁ ଓଡ଼ିଶା ସୌଭାଗ୍ୟଶାଳୀ। ଆଉ ଆଜି ସାରା ରାଜ୍ୟରୁ ଯେଉଁମାନଙ୍କୁ ବାଛି ‘ଶାରଦା ସୀମା’ ସମ୍ମାନ ଦିଆଯାଉଛି, ଯେଉଁମାନଙ୍କ ପାଇଁ ଏଠାରେ ଉତ୍ସବର ଆୟୋଜନ ହୋଇଛି ତାହା ‘ସ୍ପିରିଚୁଆଲ୍‌ ଡେମୋକ୍ରାସି’ କଥା ମନେ ପକାଇ ଦେଉଛି। ନାରୀ ସଶକ୍ତୀକରଣ ଦିଗରେ ଏହି ପ୍ରୟାସ ଏକ ଉଲ୍ଲେଖନୀୟ ପଦକ୍ଷେପ। ମହିଳା ସଶକ୍ତୀକରଣ ଓ ମହିଳା ଔଦ୍ୟୋଗିକତା କ୍ଷେତ୍ରରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ ଆଶାପ୍ରକଟ କରିଥିଲେ।

ମୁଖ୍ୟବକ୍ତା ଭାବେ ସମ୍ବାଦ ଗ୍ରୁପ୍‌ ଅଧ୍ୟକ୍ଷ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ, ସୋଭିଏତ୍‌ ବିପ୍ଲବ ପରେ ବିଜୟ ଉତ୍ସବ ପାଳିବା ବେଳେ ଲେନିନ୍‌ ଖୁସି ନଥିଲେ। ଖୁସି ନ ହେବାର କାରଣ ସମ୍ବନ୍ଧରେ ସେ କହିଥିଲେ ଯେ ପୂରା ବିଶ୍ବ ଏହି ବିପ୍ଳବରେ ଭାଗ ନେଇ ନାହିଁ। ଅଧା ବିଶ୍ବ ଛାଡ଼ି ହୋଇଯାଇଛି। ଅର୍ଥାତ ମହିଳାମାନେ ଏହି ବିପ୍ଳବରେ ଭାଗ ନେଇ ନାହାନ୍ତି। ଯେତେବେଳ ପର୍ଯ୍ୟନ୍ତ ମହିଳାମାନଙ୍କୁ କୌଣସି ସାମାଜିକ ପରିବର୍ତ୍ତନରେ ସାମିଲ କରାଯାଇ ନାହିଁ ସେ ପର୍ଯ୍ୟନ୍ତ କୌଣସି ବିପ୍ଳବ ସମ୍ଭବ ନୁହେଁ। ଆଜି ମଧ୍ୟ ଏହି ପ୍ରସଙ୍ଗର ଗୁରୁତ୍ବ ରହିଛି। ଯେ ପର୍ଯ୍ୟନ୍ତ ମହିଳାମାନଙ୍କୁ ଆମେ ସଶକ୍ତ କରାଇ ନାହୁଁ, ସେ ପର୍ଯ୍ୟନ୍ତ ଆମେ ସଫଳ ବୋଲି କହି ପାରିବା ନାହିଁ। ସେଥିପାଇଁ ଏହି ସଶକ୍ତୀକରଣର ପରିକଳ୍ପନା। ସମଗ୍ର ରାଜ୍ୟରୁ ସଫଳ ମହିଳା ଉଦ୍ୟୋଗୀଙ୍କୁ ଚିହ୍ନଟ କରି ସେମାନଙ୍କୁ ସମ୍ମାନିତ କରିବା ଲକ୍ଷ୍ୟରେ ଗତ ବର୍ଷ ଯେଉଁ ମହାଯଜ୍ଞର ଶୁଭାରମ୍ଭ ହୋଇଥିଲା, ତାହାର ଆଜି ପୂର୍ଣ୍ଣାହୁତି। ମୟୂରଭଞ୍ଜରୁ ମାଲକାନଗିରି ପର୍ଯ୍ୟନ୍ତ ଏଭଳି ମହିଳାଙ୍କୁ ଚିହ୍ନଟ କରି ଏପର୍ଯ୍ୟନ୍ତ ଆଣିବା ଯଦିଓ କଷ୍ଟକର ବ୍ୟାପାର ମନେ ହେଉଥିଲା ତାହା ‘ସମ୍ବାଦ’ ପ୍ରତିନିଧିମାନଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁ ସଫଳ ହୋଇଛି। ରାଜ୍ୟର ସ୍ବାର୍ଥ ଓ ସ୍ବାଭିମାନ ପାଇଁ ପ୍ରତ୍ୟେକ ଘରେ ଗୋଟିଏ ମା’ ଓ ଗୋଟିଏ ଭଉଣୀ ଜଗିଛି ବୋଲି ଆଜି ପ୍ରମାଣିତ ହୋଇଛି।

ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ ଯେ କିଛି ଜାଗାରେ ସ୍ବାଭିମାନ ପ୍ରତି ଅଙ୍ଗୁଳି ଉଠୁଛି। ସରକାର ଓ ସମ୍ବିଧାନ ମହିଳାଙ୍କୁ ଅନେକ ଅଧିକାର ଦେଉଛନ୍ତି। ପଞ୍ଚାୟତିରାଜ ବ୍ୟବସ୍ଥାରେ ୫୦ ପ୍ରତିଶତ ମହିଳାଙ୍କୁ ପ୍ରତିନିଧିତ୍ବର ଅଧିକାର ମିଳିଛି।

ହେଲେ ଅନେକ ମହିଳାଙ୍କ ନାମରେ ସ୍ବାମୀ, ଭାଇ ଓ ସମ୍ପର୍କୀୟ ପୁରୁଷମାନେ ହିଁ କ୍ଷମତାର ଅଧିକାରୀ ‌ହୋଇଛନ୍ତି। ଫଳରେ ସଶକ୍ତୀକରଣ ବା ‘ଗ୍ରେଟର-୫୦’ର ମାନେ ରହୁନାହିଁ। ଏଣୁ ମହିଳାମାନଙ୍କୁ ଯେଉଁ ଅଧିକାର ଦିଆଯାଇଛି ସେମାନେ ତାହାକୁ ସାବ୍ୟସ୍ତ କରିବା ପାଇଁ ସଙ୍କୋଚ ବା ହେଳା ନ କରିବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିବା‌ ଖିମ୍‌ଜି ଫାଉଣ୍ଡେସନକୁ ସେ ଧନ୍ୟବାଦ ଜଣାଇଥିଲେ।

ସ୍ବାଗତ ଭାଷଣ ଦେବା ଅବସରରେ ଫିକି ଓଡ଼ିଶା ଷ୍ଟେଟ୍‌ କାଉନ୍‌ସିଲ୍‌ ଅଧ୍ୟକ୍ଷା ତଥା ‘ସମ୍ବାଦ’ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟର ପଟ୍ଟନାୟକ କହିଥିଲେ, ମହିଳା ସଶକ୍ତୀକରଣ ବ୍ୟବସ୍ଥାରେ ଜାତୀୟ ସ୍ତରର ଗ୍ରେଟର-୫୦ କାର୍ଯ୍ୟକ୍ରମରୁ ଓଡ଼ିଶା-୫୦ର ପରିକଳ୍ପନା ହୋଇଥିଲା। ଗ୍ରାମାଞ୍ଚଳରେ ରହିଥିବା ସଫଳ ମହିଳା ଉଦ୍ୟୋଗୀଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଯୋଜନା ହୋଇଥିଲା। ଆମେ ଭାବିନଥିଲୁ, ରାଜ୍ୟରୁ ୫ ହଜାର ସଫଳ ମହିଳା ଉଦ୍ୟୋଗୀଙ୍କୁ ଖୋଜି ଟ୍ରେନିଂ ଦେଇପାରିବୁ। ଗତବର୍ଷ ଅଗଷ୍ଟ ୩୦ ତାରିଖରେ ପ୍ରଥମ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହୋଇଥିଲା। ସ୍ବତନ୍ତ୍ର ଜୁରି ସେମାନଙ୍କ ମଧ୍ୟରୁ ୧୦୦ ଶ୍ରେଷ୍ଠ ଉଦ୍ୟୋଗୀ ବାଛିଥିଲେ। ସେମାନ‌େ ଆଜି ଏଠାକୁ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ବଛା ଯାଇଥିବା ‘ଶ୍ରେଷ୍ଠ ୩୩’ଙ୍କୁ ‘ଶାରଦା ସୀମା’ ସମ୍ମାନ ପ୍ରଦାନ କରାଯାଉଛି ବୋଲି ସେ କହିଥିଲେ।

ଏହି ଅବସରରେ ଏକ କଫି ଟେବୁଲ୍‌ ବୁକ୍‌ ଉନ୍ମୋଚିତ ହୋଇଥିଲା। ଖିମ୍‌ଜି ଫାଉଣ୍ଡେସନ୍‌ ସଦସ୍ୟ ମିତେଶ ଓ ସୁମିତ ଖିମ୍‌ଜିଙ୍କ ଉପସ୍ଥିତିରେ ରାଜ୍ୟପାଳ ଏହି ପୁସ୍ତକକୁ ଉନ୍ମୋଚନ କରିଥିଲେ। ଶ୍ରେଷ୍ଠ ଶହେ ମହିଳାଙ୍କୁ ମାନପତ୍ର ଓ ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରାଯାଇଥିବା ବେଳେ ଶ୍ରୀମତୀ ପଟ୍ଟନାୟକଙ୍କ ମା’ଙ୍କ ସ୍ମୃତିରେ ରାଜ୍ୟପାଳ ୩୩ଜଣଙ୍କୁ ‘ଶାରଦା ସୀମା ସମ୍ମାନ’ରେ ସମ୍ମାନିତ କରିଥିଲେ। ‘ସମ୍ବାଦ’ର ପ୍ରକାଶକ ତଥା ସିଓଓ କମଳାକାନ୍ତ ମହାପାତ୍ର, ମୁଖ୍ୟ ମହାପ୍ରବନ୍ଧକ(ବାର୍ତ୍ତା) ଅରବିନ୍ଦ ଦାସ ଓ ଉପ ମହାପ୍ରବନ୍ଧକ(ମାନବ ସମ୍ବଳ) ବୈଜୟନ୍ତୀ କର ପ୍ରମୁଖ ରାଜ୍ୟପାଳଙ୍କୁ ପାଛୋଟି ଆଣିଥିଲେ। କନକ ଟିଭି ଉପସ୍ଥାପିକା ସ୍ବସ୍ତିକା ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର