ଶିକ୍ଷା ଓ ରୋଜଗାର ସଶକ୍ତୀକରଣ ରାସ୍ତା ଦେଖାଇବ: ସୌମ୍ୟରଂଜନ

ଝିଅ ହେଲେ ପାଠୋଇ ଦେଶ ଯିବ ଆଗେଇ: ସାଂସଦ ପ୍ରମିଳା

ବ୍ରହ୍ମପୁର : ପ୍ରତ୍ୟେକ ଝିଅ ଶିକ୍ଷା ଗ୍ରହଣ କରିବା ଆବଶ୍ୟକ। ଶିକ୍ଷା ପରେ ରୋଜଗାର କରିବାକୁ ପଡ଼ିବ। ଶିକ୍ଷା ସହ ରୋଜଗାର କରିପାରିଲେ ଜଣେ ମହିଳା ସ୍ବାବଲମ୍ବୀ ହୋଇପାରିବେ ବୋଲି ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। ରୋଜଗାର ନକଲେ ବର୍ତ୍ତମାନ ଯୁଗରେ କେହି ପଚାରିବେ ନାହିଁ। ଏବେ ଯୁଗ ବଦଳୁଛି, ପୂର୍ବରୁ ଚାକିରିଆ ପୁଆ ଖୋଜା ପଡୁଥିଲା ଏବେ ଚାକିରିଆ ଝିଅ ଖୋଜୁଛନ୍ତି। ମହିଳାମାନେ ରୋଜଗାରକ୍ଷମ ହେଲେ ସେମାନଙ୍କ ଅଧା ସମସ୍ୟା ସମାଧାନ ହୋଇଯିବ ବୋଲି ସେ କହିଛନ୍ତି।

‘ସମ୍ବାଦ’ ବ୍ରହ୍ମପୁର ସଂସ୍କରଣ ତରଫରୁ ହିଲ୍‌ପାଟଣାସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ସଫଳ ମହିଳା ଉଦ୍ୟୋଗୀଙ୍କୁ ନେଇ ଆୟୋଜିତ‘ ଓଡ଼ିଶା-୫୦’ ସମାବେଶରେ ସଭାପତିତ୍ବ କରି ଶ୍ରୀ ପଟ୍ଟନାୟକ କହିଥିଲେ, ରୋଜଗାର କରିବାକୁ ହେଲେ ପୁଞ୍ଜି କେଉଁଠୁ ଆସିବ, ତାହା ମଧ୍ୟ ଜାଣିବା ଦରକାର। ପୁଞ୍ଜି ସହ କୌଶଳ ବି ଆବଶ୍ୟକ। କମ୍‌ ପରିଶ୍ରମରେ ଅଧିକ ଉତ୍ପାଦନ କରି କିପରି ସେହି ସାମଗ୍ରୀକୁ ସଠିକ୍‌ ମୂଲ୍ୟରେ ବିକ୍ରି କରାଯାଇ ପାରିବ ସେ ଦିଗରେ ପ୍ରଶିକ୍ଷଣ ପ୍ରଦାନ କରିବା ହେଉଛି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି କହିଥିଲେ। ଏହା ବ୍ୟତୀତ ମହିଳା ସଶକ୍ତୀକରଣ ପାଇଁ ୫-ଏମ୍‌ ଫର୍ମୁଲା ଆପଣେଇବାକୁ ସେ ପରାମର୍ଶ ଦେଇଥିଲେ। ପ୍ରଥମ ଏମ୍‌ ହେଲା-ମା’। ମା’କୁ ପ୍ରଥମେ ସମ୍ମାନ ଦେବାକୁ ପଡ଼ିବ, ମା’କୁ ଯିଏ ସମ୍ମାନ ଦେଇ ନାହିଁ, ସେ ଆଗକୁ ବଢ଼ି ପାରିବ ନାହିଁ। ଦ୍ବିତୀୟରେ ହେଲା ମାଟି। ତୃତୀୟଟି ହେଲା ମାତୃଭାଷା। ଚତୁର୍ଥଟି ମୋବାଇଲ୍‌। ମୋବାଇଲ୍‌ ଦ୍ବାରା ଦୁନିଆ ହାତମୁଠାରେ ରହିବା ସହିତ ବହୁ କାର୍ଯ୍ୟ ସହଜରେ ସମ୍ପାଦନ ହୋଇପାରୁଛି। ପଞ୍ଚମ ଏମ୍‌ ହେଲା ମଦ। ମଦକୁ ଦୂରେଇ ଅନ୍ୟ ୪ଟି ଏମ୍‌କୁ ପାଖରେ ରଖିଲେ ଆମର ବିକାଶ ହେବ। ମଦକୁ ସରକାର ଦୂରେଇ ପାରିବେ ନାହିଁ, କିନ୍ତୁ ଆମେ ସଂକଳ୍ପ ନେଲେ ତାହା ସମ୍ଭବ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ସମାବେଶରେ ମୁଖ୍ୟଅତିଥି ଭ‌ାବେ ଆସିକା ସାଂସଦ ପ୍ରମିଳା ବିଷୋୟୀ ଯୋଗଦେଇ କହିଥିଲେ, ମହିଳାମାନେ ଆଉ ପୂର୍ବ ଭଳି ଘର ଚାରି କାନ୍ଥ ଭିତରେ ସୀମିତ ନାହାନ୍ତି। ମହିଳା ସ୍ବୟଂସହାୟିକା ଗୋଷ୍ଠୀ ଜରିଆରେ ମା’ମାନେ ସ୍ବାବଲମ୍ବୀ ହୋଇପାରିଛନ୍ତି। ସବୁ କ୍ଷେତ୍ରରେ ଆଜି ଝିଅ ଓ ମା’ମାନେ ସଫଳ ହୋଇପାରିଛନ୍ତି। ଏଥିପାଇଁ ଶିକ୍ଷା ନିହାତି ଦରକାର। ସମସ୍ତଙ୍କୁ ପାଠ ପଢ଼ିବା ପାଇଁ ସାଂସଦ ଆହ୍ବାନ କରିଥିଲେ। ‘ଝିଅ ହେଲେ ପାଠୋଇ ଦେଶ ଯିବ ଆଗେଇ’ ବୋଲି ସେ କହିଥିଲେ। ରାଜ୍ୟ ସରକାର ଏସ୍‌ଏଚ୍‌ଜି ଜରିଆରେ ମହିଳା ସଶକ୍ତୀକରଣକୁ ଗୁରୁତ୍ବ ଦେଉଛନ୍ତି। ପ୍ରତ୍ୟେକ ମା’ ଘରୁ ଗୋଡ଼ କାଢ଼ି ସ୍ବାବଲମ୍ବୀ ହୁଅନ୍ତୁ ବୋଲି ସେ ପରାମର୍ଶ ଦେଇଥିଲେ। ମହିଳାମାନେ ଏକଜୁଟ୍‌ ହେଲେ ଅସାଧ୍ୟ କାର୍ଯ୍ୟ ସମ୍ଭବ ହେବ ବୋଲି କହିଥିଲେ। ‌ଶେଷରେ ସାଂସଦ ‘ଧାନବିଲ ଖସ ଖସ ଲୋ ମକର…’ ଗୀତ ଗାଇ ମହିଳା ଉଦ୍ୟୋଗୀଙ୍କୁ ଉତ୍ସାହିତ କରିଥିଲେ।

ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗଦେଇ ‘ସମ୍ବାଦ’ର ଏଭଳି ପ୍ରୟାସକୁ ପ୍ରଶଂସା କରିବା ସହ ଆଜିର କାର୍ଯ୍ୟକ୍ରମ ନିଶ୍ଚିତ ଭାବେ ମହିଳାଙ୍କୁ ସ୍ବାବଲମ୍ବୀ କରିବା ଦିଗରେ ସହାୟକ ହେବ ବୋଲି କହିଥିଲେ। ରାଜ୍ୟ ସରକାରଙ୍କ ପ୍ରୟାସରେ ମହିଳାମାନେ ଚୂଲିମୁଣ୍ଡରୁ ବାହାରି ଏବେ ପରିବାରର ଅର୍ଥନୈତିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଯାହାକି ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ବିଧାୟକ କହିଥିଲେ। ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳାଇ ଅନ୍ୟତମ ଅତିଥି ଭାବେ ଯୋଗଦେଇ ୨୦୦୨ରୁ ଏସ୍‌ଏଚ୍‌ଜି ସହିତ ଜଡ଼ିତ ଥିବା କହିଥିଲେ। ଆମ ଭାରତୀୟ ସଂସ୍କୃତି ମହିଳା ସଶକ୍ତୀକରଣକୁ ନେଇ ଗଠିତ ହୋଇଛି। ସବୁର ଆଧାର ହେଉଛି ମା’। କିନ୍ତୁ ମା’କୁ ଚାରିକାନ୍ଥ ଭିତରେ ଆବଦ୍ଧ କରି ରଖି ଦିଆଗଲା। କିନ୍ତୁ ବର୍ତ୍ତମାନ ଯୁଗ ବଦଳିଛି। ମହିଳାମାନେ ଆଗକୁ ଆସିଛନ୍ତି। ମହିଳାମାନେ ନିଜର ପରିବାର କାମ ସହିତ ନିଜ ଭିତରେ ରହିଥିବା ପ୍ରତିଭାର ବିକାଶ କରନ୍ତୁ ବୋଲି ମେୟର କହିଥିଲେ।

‘ସମ୍ବାଦ’ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ ଯୋଗଦେଇ ଆଜିର କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ମହିଳା ଜଣେ ଜଣେ ସଫଳ ଉଦ୍ୟୋଗୀ ବୋଲି କହିଥିଲେ। ଛତୁଚାଷ, ମାଛଚାଷ, ଛେଳି ଚାଷ, ଖାଦ୍ୟ ପ୍ରସ୍ତୁତି ଭଳି କାମ କରୁଛନ୍ତି। ଏସ୍‌ଏଚ୍‌ଜି ଜରିଆରେ ତିଆରି କରୁଥିବା ସାମଗ୍ରୀର ବିକ୍ରି ଓ ତା’ର ଉଚିତ ପ୍ରାପ୍ୟ ପ୍ରଦାନ ଦିଗରେ ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି ବୋଲି ସେ କହିଥିଲେ। ଆପଣମାନେ ବହୁତ କଷ୍ଟ କରି ଆଜି ଏହି ସ୍ତରରେ ପହଞ୍ଚିଛନ୍ତି। ଆପଣମାନେ କିପରି ଆପଣଙ୍କ ପରିଶ୍ରମର ସଠିକ୍‌ ପ୍ରାପ୍ୟ ପାଇବେ ସେ ଦିଗରେ ‘ସମ୍ବାଦ’ ପ୍ରୟାସ ଆରମ୍ଭ କରିଛି ବୋଲି କହିଥିଲେ। ପ୍ରାରମ୍ଭରେ ‘ସମ୍ବାଦ’ ବାର୍ତ୍ତା ବିଭାଗ ମହାପ୍ରବନ୍ଧକ ଅରବିନ୍ଦ ଦାସ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସଂପର୍କରେ ମତବ୍ୟକ୍ତ କରିବା ସହ ମହିଳାମାନେ ଏହା ମାଧ୍ୟମରେ ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ସ୍ବାବଲମ୍ବୀ କରିବାକୁ ଆହ୍ବାନ ଦେଇଥିଲେ। ଜଣେ ମହିଳା ରୋଜଗାରକ୍ଷମ ହେଲେ ତାଙ୍କୁ ଉଚିତ୍‌ ଗୁରୁତ୍ବ ମିଳିବ ବୋଲି କହିଥିଲେ। ‘ସମ୍ବାଦ’ ବ୍ରହ୍ମପୁର ସଂସ୍କରଣ ଶାଖା ପରିଚାଳକ ସୁଶୀଲ ପ୍ରଧାନଙ୍କ ତତ୍ତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ମହାନଗର ସଂଯୋଜକ ପ୍ରମୋଦ ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ଦେଇ ଅତିଥିଙ୍କୁ ମଞ୍ଚକୁ ନିମନ୍ତ୍ରଣ କରିଥିଲେ।

କାର୍ଯ୍ୟକ୍ରମର ଦ୍ବିତୀୟ ଅଧିବେଶନରେ ‘ପ୍ରକଳ୍ପ ଚୟନ ଓ ବଜାର ବ୍ୟବସ୍ଥା’ ଶୀର୍ଷକ ଉପରେ ଆଲୋଚନାଚକ୍ର ଏବଂ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଲୋଚନା ଭାବେ ଗଞ୍ଜାମ ଜିଲ୍ଲା ମିସନ୍‌ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶାଶ୍ବତ କୁମାର ସାହୁ ଏବଂ ଓର୍‌ମାସ୍‌ର ଉପ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜ୍ୟୋତିପ୍ରକାଶ ମହାନ୍ତି ଯୋଗ ଦେଇଥିଲେ।

ତୃତୀୟ ଅଧିବେଶନରେ ‘ପୁଞ୍ଜି ବ୍ୟବସ୍ଥା ଓ ପାରିବାରିକ ସହଯୋଗ’ ଶୀର୍ଷକ ଉପରେ ଆଲୋଚନାଚକ୍ର ଏବଂ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଆଲୋଚକ ଭାବେ ଗଞ୍ଜାମ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ମହେଶ କୁମାର ଚୌଧୁରୀ ଏବଂ ବ୍ରହ୍ମପୁର ଇଣ୍ଡିଆନ୍‌ ବ୍ୟାଙ୍କର ମୁଖ୍ୟ ପରିଚାଳକ ପ୍ରଶାନ୍ତ ନନ୍ଦ ଯୋଗ ଦେଇଥିଲେ। ମହାନଗର ସଂଯୋଜକ ଶ୍ରୀ ପଟ୍ଟନାୟକ ଏବଂ କନ୍ଧମାଳ ଜିଲ୍ଲାର ବରିଷ୍ଠ ଜିଲ୍ଲା ପ୍ରତିନିଧି ରଂଜନ କୁମାର ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଶେଷରେ ମହାନଗର ସଂଯୋଜକ ଶ୍ରୀ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲା ସମେତ ବ୍ରହ୍ମପୁର ସହରରୁ ମୋଟ ୧୬୮ ଜଣ ସଫଳ ମହିଳା ଉଦ୍ୟୋଗୀ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର