ବ୍ୟାସନଗର: ମା’ମାନେ ହେଉଛନ୍ତି ସମାଜ ପରିବର୍ତ୍ତନର ଚାବିକାଠି। ସେମାନେ ଶିକ୍ଷିତ ଓ ସ୍ବାବଲମ୍ବୀ ହେଲେ ଏକ ଉତ୍ତମ ଓ ସ୍ବଚ୍ଛଳ ସମାଜ ଗଠନ ହୋଇପାରିବ ବୋଲି ଯାଜପୁରରୋଡରେ ଆୟୋଜିତ ‘ଓଡ଼ିଶା-୫୦ କାର୍ଯ୍ୟକ୍ରମର ତୃତୀୟ ସଂସ୍କରଣରେ ଯୋଗଦେଇଥିବା ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ସ୍ବାଧୀନତାର ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ସଂସ୍କୃତି ବିଭାଗ ସହଯୋଗରେ ‘ସମ୍ବାଦ ପକ୍ଷରୁ ଯାଜପୁରରୋଡସ୍ଥିତ କ୍ରିଷ୍ଣା ଗାର୍ଡେନରେ ଯାଜପୁର ଓ କେନ୍ଦୁଝର ଜିଲ୍ଲାର ସଫଳ ଉଦ୍ୟୋଗୀ ମହିଳାଙ୍କୁ ନେଇ ଆୟୋଜିତ ସମାବେଶରେ ‘ସମ୍ବାଦର ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ଏଥିରେ ସମ୍ମାନିତ ଅତିଥିଭାବେ ଶୋଭନୀୟ ଶିକ୍ଷାଶ୍ରମର ଅଧ୍ୟକ୍ଷା ଡ. ଅରୁନ୍ଧତୀ ଦେବୀ ଯୋଗଦେଇ କହିଥିଲେ, ଓଡ଼ିଶା ଏକ ଗରିବ ରାଜ୍ୟ ଭାବେ ପରିଚିତ। ଏହି ପରିଚୟକୁ ପରିବର୍ତ୍ତନ କରିବା ପାଇଁ ରାଜ୍ୟର ମହିଳାମାନେ ଉଦ୍ୟୋଗୀ ହେବା ଦରକାର। ସ୍ବାଧୀନତା ପୂର୍ବରୁ ମହିଳାମାନେ ଘରକୋଣରେ ରହୁଥିଲେ। ମହାତ୍ମା ଗାନ୍ଧୀଙ୍କ ଆହ୍ବାନରେ ମହିଳାମାନେ ସ୍ବାଧୀନତା‌ ସଂଗ୍ରାମରେ ‌ସାମିଲ ହେବା ସହ ସୂତା କାଟିବା ଆରମ୍ଭ କଲେ। ମହିଳାମାନେ ସ୍ବାବଲମ୍ବୀ ହେବା ସହ ନିଜ ପିଲାଙ୍କୁ ନୈତିକ ଶିକ୍ଷା ଦିଅନ୍ତୁ। ମା ଜାଗିଲେ, ସଂସାର ଜାଗିବ ଏବଂ ଏକ ଭଲ ସମାଜ ଗଠନ ହୋ‌ଇପାରିବ ବୋଲି ଡ. ଅରୁନ୍ଧତୀ ଦେବୀ କହିଥିଲେ।

Advertisment

ଅନ୍ୟତମ ସମ୍ମାନିତ ଅତିଥିଭାବେ ଯୋଗଦେଇ ସମାଜସେବୀ ଧରିତ୍ରୀ ରାଉତ କହିଥିଲେ, ଦେଶର ଅର୍ଥନୀତିରେ ମହିଳାଙ୍କ ବଡ଼ ଭାଗୀଦାରି ରହିଛି। ବର୍ତ୍ତମାନ ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। ନିଜେ ସ୍ବାବଲମ୍ବୀ ହୋଇ ଅନ୍ୟକୁ ସ୍ବାବଲମ୍ବୀ ହେବାକୁ ବାଟ ଦେଖାଇବାକୁ ସେ ପରମର୍ଶ ଦେଇଥିଲେ। ‘ସମ୍ବାଦ’ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ନିଜ ସଭାପତିତ୍ବ ଅଭିଭାଷଣରେ କହିଥିଲେ, ମହିଳାମାନେ ପାଠୋଇ ଓ ସ୍ବାବଲମ୍ବୀ ହେଲେ ସମାଜ ନିଶ୍ଚିତ ଭାବେ ସେମାନଙ୍କୁ ‌ଗ୍ରହଣ କରିବ। ଏଣିକି ମହିଳାମାନେ ଅଦୃଶ୍ୟ ରୋଜଗାର ସାଙ୍ଗକୁ ଦୃଶ୍ୟମାନ ରୋଜଗାର କରିବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ଏହାସହିତ ଶ୍ରୀ ପଟ୍ଟନାୟକ ‘ମନ’ର ଉଦାହରଣ ଦେଇ ମହିଳାଙ୍କୁ ବହୁ ଉପାଦେୟ ପରାମର୍ଶ ଦେଇଥିଲେ।
‘ସମ୍ବ‌ାଦର ମୁଖ୍ୟ ମହାପ୍ରବନ୍ଧକ (ବାର୍ତ୍ତା) ଅରବିନ୍ଦ ଦାସ ଅତିଥି ପରିଚୟ ସହ ସ୍ବାଗତ ଅଭିଭାଷଣ ଦେଇ କହିଥିଲେ, ଆଗାମୀ ଦିନରେ ସମାଜର ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କ ଅବଦାନ ଯେପରି ୫୦ ପ୍ରତିଶତରୁ ଅଧିକ ରହିବ ସେ ଦିଗରେ ମହିଳାମାନେ ଚେଷ୍ଟିତ ହେବା ଦରକାର।