ଜୟପୁର: ‘ସମାଜରେ ଭଲ କାମ କରିବାକୁ ହେଲେ ବିଭିନ୍ନ କ୍ଷେତ୍ରରେ ବାଧା ଓ ପ୍ରତିବନ୍ଧକ ଆସିଥାଏ। ଏହାକୁ ସମ୍ମୁଖୀନ କରି ଆମକୁ ଆଗକୁ ବଢ଼ିବାକୁ ପଡିବ। ସେଥିପାଇଁ ଆମକୁ ପ୍ରଥମେ ସବୁ କିଛି ଜାଣିବା ଦରକାର। ସବୁ କ୍ଷେତ୍ରରେ ଜ୍ଞାନ ଆହେରଣ କଲେ ଦୁନିଆ ଜିଣିବ। ମହିଳାଟିଏ ସ୍ବାବଲମ୍ବୀ ହେବାକୁ ହେଲେ କ’ଣ ଦରକାର ତାହା ଜାଣିବା ନିହାତି ଦରକାର। ଏହି କ୍ଷେତ୍ରରେ ପୁଞ୍ଜି କିଭଳି ପାଇପାରିବେ, ଉତ୍ପାଦନ କିଭଳି କରିବେ, ବଜାରରେ କାହାକୁ, କିଭଳି ବିକ୍ରି କରିବେ। ଯୋଗାଯୋଗ ଦ୍ବାରା ଗାଁରେ ବସି ମହିଳାମାନେ ନିଜର ବଜାର ପାଇପାରିବେ। ସେ ବିଷୟରେ ଜାଣିଲେ ସମାଜରେ ଦେଖାଯାଉଥିବା ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଜିତି ପାରିବେ କହିଛନ୍ତି ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ଓ ଆଇନ ମନ୍ତ୍ରୀ ମନ୍ତ୍ରୀ ଜଗନ୍ନାଥ ସାରକା ।
‘ସମ୍ବାଦ’ ଆନୁକୂଲ୍ୟରେ ଜୟପୁର ଗାନ୍ଧୀଛକ ସ୍ଥିତ ସନ୍ଧ୍ୟା ଫଙ୍କସନ ହଲ ଠାରେ ଆୟୋଜିତ ‘ଗ୍ରାମୀଣ ମହିଳା ସମାବେଶ-୨୦୨୨’ରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଶ୍ରୀ ସାରକା ଯୋଗ ଦେଇ କହିଛନ୍ତି ଯେ, ମହିଳା ଛୋଟ ଥିବା ବେଳେ ଘରେ ଅଲିଅଳି ହୋଇ ବଢିଥାଏ। ବିବାହ ପରେ ଝିଅରୁ ସେ ବୋହୂ, ବୋହୁରୁ ସେ ଅତି ଆପଣାର ମା’ ହୋଇଥାଏ। ପ୍ରତ୍ୟେକ ସ୍ତରରେ ମହିଳା ପରିବାର ହୃଦୟରେ ରାଜ କରିଥାଏ। ଆଜି ମଧ୍ୟ କେତେକ ସ୍ଥାନରେ ମହିଳାମାନେ ଆର୍ଥିକ କ୍ଷେତ୍ରରେ ପୁରୁଷମାନଙ୍କ ଉପରେ ନିର୍ଭର କରୁଛନ୍ତି। ଯେକୌଣସି ସମାଜରେ ମହିଳା ସଶକ୍ତିକରଣ ବିନା ଆଗକୁ ବଢିପାରିବ ନାହିଁ। ମହିଳମାନେ ଶିକ୍ଷିତ ଓ ସ୍ବାଭଲମ୍ବୀ ହେବା ନିହାତି ଆବଶ୍ୟକ। ନିଜେ ରୋଜଗାର କରି ଅନ୍ୟକୁ ନିଯୁକ୍ତି ଦେବା ବହୁତ ବଡ କଥା ଅଟେ। ଗ୍ରାମାଞ୍ଚଳର ମହିଳା ନିଜେ ଆତ୍ମନିର୍ଭରଶୀଳ ହୋଇ ଅନ୍ୟକୁ ରୋଜଗାର ଦେଇପାରିଲେ ସେ ସମ୍ମାନର ପାତ୍ର ହୋଇପାରିବେ। ମହିଳା ସଶକ୍ତିକରଣ ପାଇଁ ରାଜ୍ୟ ସରକାର ସବୁବେଳେ ଚେଷ୍ଟିତ ହୋଇ ରହିଛନ୍ତି। ମହିଳାଙ୍କ ଆର୍ଥିକ କ୍ଷେତ୍ରରେ ସୃଦୁଢ଼ କରିବା ପାଇଁ ବିଭିନ୍ନ ଯୋଜନା କରାଯାଉଛି। ‘ସମ୍ବାଦ’ର ଏହି କାର୍ଯ୍ୟକ୍ରମ ଖାଲି ଯେ ଯୋଗ ଦେଇଥିବା ମହିଳାଙ୍କୁ ମାର୍ଗ ଦର୍ଶନ କରାଇବ ତାହାନୁହେଁ ସାରା ରାଜ୍ୟରେ ଏହା ଆଲୋକବର୍ତ୍ତିକା ସାଜିବ ବୋଲି ସେ କହିଛନ୍ତି।
/sambad/media/post_attachments/wp-content/uploads/2022/10/fe38eb7f-7460-457a-8742-33f64c5180d2.jpg)
‘ସମ୍ବାଦ’ ଓଡିଶା-୫୦ର ଦ୍ବିତୀୟ ସଂସ୍କରଣ ଆଞ୍ଚଳିକ ସମାବେଶରେ ‘ସମ୍ବାଦ ଗ୍ରୁପ’ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ ସଭାପତିତ୍ବ କରି କହିଛନ୍ତି ଯେ, ଏହି ସମାବେଶରେ ଆପଣମାନଙ୍କ ଭଳି ମହିଳା ଉଦ୍ୟୋଗୀଙ୍କ ଠାରୁ ଆମେ ତାଲିମ ନେବାର ଆବଶ୍ୟକତା ରହିଛି। ଛତୁ ଚାଷ, ମାଛ ଚାଷ ଆଦି ଅନେକ ଛୋଟବଡ ବ୍ୟବସାୟ କରି ସ୍ବାଭଲମ୍ବୀ ହୋଇପାରିଛନ୍ତି। ଏଭଳି କାମ କରିବା ପାଇଁ ମହିଳାମାନଙ୍କୁ ବହୁ କଷ୍ଟ ମଧ୍ୟ ହୋଇଥାଏ। ପରିବାରର ଦାୟିତ୍ବ ସହିତ କାମ ପ୍ରତି ମଧ୍ୟ ଗରୁତ୍ବ ଦେବାକୁ ପଡିଥାଏ। ଗୋଟିଏ ପରେ ଗୋଟିଏ ସୋପାନ ଦେଇ ଆଗକୁ ବଢ଼ିବାକୁ ପଡିଥାଏ। ଆପଣମାନେ ଏହି କାମକୁ ବନ୍ଦ କରିବେ ନାହିଁ କଷ୍ଟ ହେଲେ ମଧ୍ୟ ଏହାକୁ ଜାରି ରଖିବେ। ଝିଅ ଓ ବୋହୁଙ୍କୁ କାମ କରିବାକୁ ମଧ୍ୟ କହିବାକୁ ପଡିବ। ମୋବାଇଲ ବ୍ୟବହାର କରି ଇଣ୍ଟରନେଟ ଦେଖନ୍ତୁ, ଆପଣଙ୍କ ବ୍ୟବସାୟ ପାଇଁ କ’ଣ ଆବଶ୍ୟକତା ରହିଛି ତାହାକୁ ଜାଣନ୍ତୁ ବୋଲି କହିଛନ୍ତି।
‘ସମ୍ବାଦ’ର ବାର୍ତ୍ତା ମୁଖ୍ୟ ପ୍ରବନ୍ଧକ ଅରବିନ୍ଦ ଦାସ ଅତିଥି ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରି କହଛିନ୍ତ ଯେ, ଆପଣଙ୍କ ପାଇଁ ଅମେ ଗର୍ବିତ। ସବୁ ପ୍ରକାର ନୈରାଶବାଦୀକୁ ପଛରେ ଛାଡି ନିଜ ଗୋଡରେ ନିଜେ ଛିଡା ହେବାକୁ ଚେଷ୍ଟା କରିବା ସହ ମହିଳମାନେ ପୁରୁଷମାନଙ୍କୁ ଠାରୁ କେବେ କମ୍ ନୁହଁ ତାହା ପ୍ରମାଣ କରି ଦେଖାଇଛନ୍ତି। ମହିଳାମାନେ ନିଜେ ସ୍ବାବଲମ୍ବୀ ହେବା ସହ ନିଜ ଅଞ୍ଚଳର ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଏଭଳି ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଆପଣମାନେ ଏଠାରୁ ଫେରି ନିଜ ଭଳି ସ୍ବାବଲମ୍ବୀ ମହିଳା ସୃଷ୍ଟି କରିଲେ ଏହି ପ୍ରଶିକ୍ଷଣର ମୂଲ୍ୟ ରହିବ ବୋଲି କହିଛନ୍ତି। ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ୫ଟି ‘ମ’ର ସୁତ୍ର ମା’, ମାଟି, ମାତୃଭାଷା, ମୋବାଇଲ ଗ୍ରହଣୀୟ ଅଟେ। ମା’, ମାଟି ଓ ମାତୃଭାଷାକୁ କେବେ ଭୁଲିବ ନାହିଁ। କିନ୍ତୁ ମୋବାଇଲ ପ୍ରଯୁକ୍ତିବିଦ୍ୟାକୁ ବ୍ୟବହାର କରି ଆଗକୁ ବଢ଼ିବା ଦରକାର। ଅନ୍ୟପକ୍ଷରେ ମଦକୁ ସମାଜରୁ ଦୂର କରିବା ପାଇଁ ମହିଳାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଅଟେ। ଏହି ପରିପ୍ରେଖୀରେ ମାଲକାନଗିରି ମାର୍କାପାଲ୍ଲୀ ପଞ୍ଚାୟତ ପୋଡାଘାଟ ଗାଁର ଶୁକ୍ରି ଦୁରାଙ୍କର ସଫଳ କାହାଣୀକୁ ବାଖାଣିଥିଲେ। କିପରି ଜଣେ ମହିଳା ସଂଘର୍ଷ କରି ନିଜେ ସଫଳ ହେବା ସହ ଅନ୍ୟ ମହିଳାଙ୍କୁ ଆତ୍ମ ନିର୍ଭରଶୀଳ କରିପାରୁଛନ୍ତି ବୋଲି ପ୍ରକାଶ କରିଥିଲେ।
ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ସାରକା ପ୍ରଦୀପ ପ୍ରଜ୍ଜ୍ବଳନ କରି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ଏଥିସହ ପ୍ରାରମ୍ଭରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା। ସମ୍ବାଦ ଗ୍ରୁପର କର୍ପେରେଟ୍ ଭିଡିଓ ଓ ଓଡ଼ିଶା-୫- ପ୍ରଥମ ସଂସ୍କରଣ ଭିଡିଓ ବାର୍ତ୍ତା ଦେଖି ବେଶ୍ ଉତ୍ସାହିତ ହୋଇଥିଲେ ଉପସ୍ଥିତ ଥିବା ମହିଳା। କାର୍ଯ୍ୟକ୍ରମର ଦ୍ବିତୀୟ ଅଧିବେଶନରେ ‘ପ୍ରକଳ୍ପ ଚୟନ ଓ ବଜାର ବ୍ୟବସ୍ଥା’ ଓ ‘ପୁଞ୍ଜି ବ୍ୟବସ୍ଥା ଓ ପାରିବାରିକ ସହଯୋଗ’ ଶୀର୍ଷକ ଆଲୋଚନାଚକ୍ରରେ ଭାଗ ନେଇ ବିଭିନ୍ନ କ୍ଷେତ୍ରରୁ ଆସିଥିବା ମହିଳା ଉଦ୍ୟୋଗୀମାନଙ୍କୁ କୋରାପୁଟ ଓରମାସର ଡେପୁଟି ସିଇଓ ରୋଶନକକୁମାର କାର୍ତ୍ତିକ ଓ ଓଏଲଏମ୍ ଡିପିଏମ୍ ସୁସ୍ମିତା ସାମନ୍ତରାୟ ପ୍ରେରଣାଦାୟୀ ପରାମର୍ଶ ଦେଇଥିଲେ। ନିଜର ବ୍ୟବସାୟ କିଭଳି କରିବେ ଯାହାଫଳରେ ଋଣ ନେବା ଓ ସଠିକ ସମୟରେ ପରିଶୋଧ କରିବା, ବଜାରରେ ଉଚିତ ମୂଲ୍ୟରେ ବିକ୍ରି କରିପାରିବା, ନିଜର ସାମଗ୍ରୀର ସ୍ବତନ୍ତ୍ର ପରିଚୟ କରିବା, ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ପାଇପାରିବା ଏବଂ ଜ୍ଞାନକୌଶଳ ଉପଯୁକ୍ତ ବ୍ୟବହାର କରିବା ବିଷୟରେ କହିଥିଲେ। ଏହି ଅଧିବେଶନକୁ ‘ସମ୍ବାଦ’ ଜୟପୁର ସଂସ୍କରଣର ବାର୍ତ୍ତା ମୁଖ୍ୟ ସମ୍ପାଦକ ତ୍ରିନାଥ ଖାଡଙ୍ଗା ସଂଯୋଜନା କରିଥିବା ବେଳେ କୋଡପାଡ ବ୍ଲକ ପ୍ରତିନିଧି ପଙ୍କଜ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ କୋରାପୁଟ, ରାୟଗଡା, ମାଲକାନଗିରି ଓ ରାୟଗଡା ଜିଲ୍ଲାର ୪୨ଟି ବ୍ଲକରୁ ୧୦୮ ଜଣ ଜଣ ଗ୍ରାମୀଣ ମହିଳା ଉଦ୍ୟୋଗୀ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/4b118000-1dea-4905-a581-c8d5c0740fe7.jpg)