ଜୟପୁର: ଉଚ୍ଚଶିକ୍ଷା ଆତ୍ମବିଶ୍ବାସ ବୃଦ୍ଧି କରେ। ସମସ୍ତ ପ୍ରକାର ପ୍ରତିବନ୍ଧକକୁ ଦୂର କରି ଆଗକୁ ବଢ଼ିବାରେ ସହାୟକ ହୁଏ। କୌଣସି ପ୍ରତିକୂଳ ପରିସ୍ଥିତିକୁ ନେଇ ମହିଳା ଚିନ୍ତିତ ହେବା ଅନୁଚିତ। ବାହାରକୁ ଯିବାର ସୁଯୋଗ ମିଳିଲେ ହାତ ଛଡ଼ା ନକରି ଭୟ ଦୂର କରି ମହିଳାମାନେ ଆଗେଇ ଯିବା ଉଚିତ। ଯାହା ସଫଳତାର ଶୀର୍ଷରେ ପହଞ୍ଚାଇବ। ଜୟପୁର ଟାଉନ୍ ହଲ୍ରେ ‘ସମ୍ବାଦ’ ଜୟପୁର ସଂସ୍କରଣ ପକ୍ଷରୁ ଆୟୋଜିତ ଓଡ଼ିଶା-୫୦ ଗ୍ରାମୀଣ ମହିଳା ଉଦ୍ୟୋଗୀ ସମାବେଶରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ମତବ୍ୟକ୍ତ କରିଛନ୍ତି ଜୟପୁର ଉପଜିଲ୍ଲାପାଳ ଆକାଭରମ ସସ୍ୟା ରେଡ୍ଡୀ। ସୁଶ୍ରୀ ରେଡ୍ଡୀ ଆହୁରି କହିଛନ୍ତି, ଦୃଢ଼ ମନବଳ ସହିତ ଇଚ୍ଛା ଶକ୍ତିକୁ ପାଥେୟ କରି ମହିଳା ଆଗକୁ ବଢ଼ିଲେ ନିଜେ ସ୍ବାବଲମ୍ବୀ ହେବା ସହିତ ସମାଜରେ ନିଜର ପତିଆରା ବୃଦ୍ଧି କରିପାରିବେ। ଆତ୍ମବିଶ୍ବାସ ନ ବଢ଼ିଲେ କୌଣସି ସଫଳତା ମିଳିପାରିବ ନାହିଁ ବୋଲି ଉପଜିଲ୍ଲାପାଳ କହିଥିଲେ।
ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ନିର୍ଦ୍ଦେଶିକା ଡ. ମୋନିକା ନୈୟର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଇଗ୍ନୋର ଆଞ୍ଚଳିକ ନିର୍ଦ୍ଦେଶକ ଡ. ଲତିକା ମିଶ୍ର କହିଲେ, କେବିକେ ଜିଲ୍ଲାରେ ଉଚ୍ଚଶିକ୍ଷାର ହାର ବହୁତ କମ। ଗ୍ରାମାଞ୍ଚଳର ଝିଅମାନେ ଉଚ୍ଚଶିକ୍ଷା ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଦୂର ଶିକ୍ଷା (ପାଠ୍ୟକ୍ରମ)ର ସୁଯୋଗ ନେଇ ଅନେକ ବ୍ୟକ୍ତି ଉଚ୍ଚ ପଦପଦବିରେ ପ୍ରତିଷ୍ଠିତ ହୋଇ ପାରିଛନ୍ତି। ଉଦ୍ୟୋଗ ମାଧ୍ୟମରେ ସ୍ବାବଲମ୍ବୀ ହୋଇଥିବା ମହିଳା ଘରେ ରହି ପାଠ ପଢ଼ି ଉଚ୍ଚ ଶିକ୍ଷିତ ହୋଇପାରିବେ। ଏଥି ପାଇଁ ଇଗ୍ନୋ ସ୍ବତନ୍ତ୍ର ପାଠ୍ୟ ଖସଡ଼ା ପ୍ରସ୍ତୁତ କରିଛି। କୌଣସି କାର୍ଯ୍ୟକୁ ମହିଳାମାନେ ଛୋଟ ନ ଭାବି ଅସଂଗତି ବିରୋଧରେ ସାମୂହିକ ଭାବେ ସ୍ବର ଉତ୍ତୋଳନ କଲେ ସମାଜରେ ସଂସ୍କାର ଆସିପାରିବ ବୋଲି ଡ. ମିଶ୍ର କହିଥିଲେ।
ମହିଳା ସଶକ୍ତୀକରଣର ଅଗ୍ରଦୂତ ସାଜିଛି ‘ସମ୍ବାଦ’: ମୋନିକା
ଆତ୍ମସ୍ବାଭିମାନ ସହ ସ୍ବାବଲମ୍ବୀ ହୁଅନ୍ତୁ କର୍ମଜୀବୀ ମହିଳା: ଲତିକା
ସଭାପତିତ୍ବ ଅଭିଭାଷଣରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ନିର୍ଦ୍ଦେଶିକା ଡ. ମୋନିକା ନୈୟର ପଟ୍ଟନାୟକ କହିଥିଲେ, ମହିଳା ସଶକ୍ତୀକରଣର ଅଗ୍ରଦୂତ ସାଜିଛି ‘ସମ୍ବାଦ’। ଗ୍ରାମୀଣ ମହିଳାଙ୍କୁ ନିର୍ଭୟ କରି ପୁରୁଷ ସହ ସମକକ୍ଷ କରିବା ଓଡ଼ିଶା-୫୦ର ମୂଳ ଲକ୍ଷ୍ୟ। ଗ୍ରାମୀଣ ମହିଳାଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଛି ‘ସମ୍ବାଦ’ ଏବଂ ଇଷ୍ଟର୍ଣ୍ଣ ମିଡିଆର ସମସ୍ତ ସହଯୋଗୀ ସଂସ୍ଥା। ଓଡ଼ିଶା-୫୦ର ସପ୍ତମ ସଂସ୍କରଣରେ ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ‘ସମ୍ବାଦ’ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯିବ। କିଛି ମନୋନୀତ ମହିଳାଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଇ ଦିଆଯିବ। ଶିକ୍ଷା ପାଇଁ କୌଣସି ନିର୍ଦ୍ଦିଷ୍ଟ ବୟସ ସୀମା ନଥିବାରୁ ମହିଳା ଉଚ୍ଚଶିକ୍ଷିତା ହେବା ସହ ମୋବାଇଲର ସଦ୍ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଥିଲେ।
ଦ୍ବିତୀୟ ଅଧିବେଶନରେ ଆୟୋଜିତ ମତ ବିନିମୟ କାର୍ଯ୍ୟକ୍ରମରେ ଅତିଥି ଭାବେ ମାଣ୍ଡିଆ ରାଣୀ ଡ. ରାଇମତି ଘିଉରିଆ, ନ୍ୟୁ ଜେନ୍ ଗ୍ରୁପର ପରିଚାଳନା ନିର୍ଦ୍ଦେଶିକା ଜ୍ୟୋତ୍ସ୍ନା ମଞ୍ଜରୀ ମିଶ୍ର, ମିସନ୍ ଶକ୍ତି ନବରଙ୍ଗପୁରଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ନିରଞ୍ଜନ ଟାଙ୍ଗରଙ୍ଗ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା ଜିଲ୍ଲାର ୪୨ ବ୍ଲକରୁ ୧୫୦ ମହିଳା ଉଦ୍ୟୋଗୀ ଅଂଶଗ୍ରହଣ କରିଥିଲେ। ‘ସମ୍ବାଦ’ ଜୟପୁର ସଂସ୍କରଣ ମୁଖ୍ୟ ନବୀନ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ଅତିଥି ପରିଚୟ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/09/sfsfsfxcxcxc-2025-11-09-02-02-35.jpg)