ଝିଅ ହେଲେ ପାଠୋଇ, ଦେଶ ଯିବ ଆଗେଇ: ପ୍ରମିଳା

ଶିକ୍ଷା ଓ ରୋଜଗାର ସଶକ୍ତୀକରଣ ରାସ୍ତା ଦେଖାଇବ: ସୌମ୍ୟ

ବ୍ରହ୍ମପୁର : ମହିଳାମାନେ ଆଉ ପୂର୍ବଭଳି ଘର ଚାରିକାନ୍ଥ ଭିତରେ ସୀମିତ ନାହାନ୍ତି। ମହିଳା ସ୍ବୟଂସହାୟିକା ଗୋଷ୍ଠୀ ଜରିଆରେ ମା’ମାନେ ସ୍ବାବଲମ୍ବୀ ହୋଇପାରିଛନ୍ତି। ସବୁକ୍ଷେତ୍ରରେ ଆଜି ଝିଅ ଓ ମା’ମାନେ ସଫଳ ହୋଇପାରିଛନ୍ତି। ଏଥିପାଇଁ ଶିକ୍ଷା ନିହାତି ଦରକାର ବୋଲି କହିଛନ୍ତି ଆସିକା ସାଂସଦ ପ୍ରମିଳା ବିଷୋୟୀ।

‘ସମ୍ବାଦ’ ବ୍ରହ୍ମପୁର ସଂସ୍କରଣ ତରଫରୁ ଗୁରୁବାର ଦିନ ହିଲ୍‌ପାଟଣାସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ସଫଳ ମହିଳା ଉଦ୍ୟୋଗୀଙ୍କୁ ନେଇ ‘ଓଡ଼ିଶା-୫୦ ସମାବେଶ’ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭ‌ାବେ ଯୋଗଦେଇ ସାଂସଦ ପ୍ରମିଳା ବିଷୋୟୀ କହିଥିଲେ, ‘ଝିଅ ହେଲେ ପାଠୋଇ ଦେଶ ଯିବ ଆଗେଇ’। ରାଜ୍ୟ ସରକାର ଏସ୍‌ଏଚ୍‌ଜି ଜରିଆରେ ମହିଳା ସଶକ୍ତୀକରଣକୁ ଗୁରୁତ୍ବ ଦେଉଛନ୍ତି। ପ୍ରତ୍ୟେକ ମା’ ଘରୁ ଗୋଡ଼ କାଢ଼ି ସ୍ବାବଲମ୍ବୀ ହୁଅନ୍ତୁ ବୋଲି ସେ ପରାମର୍ଶ ଦେଇଥିଲେ। ମହିଳାମାନେ ଏକଜୁଟ୍‌ ହେଲେ ଅସାଧ୍ୟ କାର୍ଯ୍ୟ ସମ୍ଭବ ହେବ। ‌ଶେଷରେ ସାଂସଦ ‘ଧାନବିଲ ଖସ ଖସ ଲୋ ମକର…’ ଗୀତ ଗାଇ ମହିଳା ଉଦ୍ୟୋଗୀଙ୍କୁ ଉତ୍ସାହିତ କରିଥିଲେ।

ଏଥିରେ ସଭାପତିତ୍ବ କରି ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ପ୍ରତ୍ୟେକ ଝିଅକୁ ଶିକ୍ଷା ପରେ ରୋଜଗାର କରିବାକୁ ପଡ଼ିବ। ଶିକ୍ଷା ସହ ରୋଜଗାର କରିପାରିଲେ ଜଣେ ମହିଳା ସ୍ବାବଲମ୍ବୀ ହୋଇପାରିବେ। ରୋଜଗାର ନକଲେ ବର୍ତ୍ତମାନ ଯୁଗରେ କେହି ପଚାରିବେ ନାହିଁ। ଏବେ ଯୁଗ ବଦଳୁଛି, ମହିଳାମାନେ ରୋଜଗାରକ୍ଷମ ହେଲେ ସେମାନଙ୍କ ଅଧା ସମସ୍ୟା ସମାଧାନ ହୋଇଯିବ। ଶ୍ରୀ ପଟ୍ଟନାୟକ କହିଥିଲେ, ରୋଜଗାର କରିବାକୁ ହେଲେ ପୁଞ୍ଜି କେଉଁଠୁ ଆସିବ, ତାହା ମଧ୍ୟ ଜାଣିବା ଦରକାର। ପୁଞ୍ଜି ସହ କୌଶଳ ବି ଆବଶ୍ୟକ। କମ୍‌ ପରିଶ୍ରମରେ ଅଧିକ ଉତ୍ପାଦନ କରି କିପରି ସେହି ସାମଗ୍ରୀକୁ ସଠିକ୍‌ ମୂଲ୍ୟରେ ବିକ୍ରି କରାଯାଇ ପାରିବ, ସେ ଦିଗରେ ପ୍ରଶିକ୍ଷଣ ପ୍ରଦାନ କରିବା ହେଉଛି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି କହିଥିଲେ। ଏହାବ୍ୟତୀତ ମହିଳା ସଶକ୍ତୀକରଣ ପାଇଁ ୫-ଏମ୍‌ ଫର୍ମୁଲା ଆପଣେଇବାକୁ ସେ ପରାମର୍ଶ ଦେଇଥିଲେ। ପ୍ରଥମ ଏମ୍‌ ହେଲା-ମା’। ମା’କୁ ପ୍ରଥମେ ସମ୍ମାନ ଦେବାକୁ ପଡ଼ିବ। ମା’କୁ ଯିଏ ସମ୍ମାନ ଦେଇନାହିଁ, ସେ ଆଗକୁ ବଢ଼ିପାରିବ ନାହିଁ। ଦ୍ବିତୀୟରେ ହେଲା ମାଟି। ତୃତୀୟଟି ହେଲା ମାତୃଭାଷା। ଚତୁର୍ଥଟି ମୋବାଇଲ୍‌। ମୋବାଇଲ୍‌ ଦ୍ବାରା ଦୁନିଆ ହାତମୁଠାରେ ରହିବା ସହିତ ବହୁ କାର୍ଯ୍ୟ ସହଜରେ ସମ୍ପାଦନ ହୋଇପାରୁଛି। ପଞ୍ଚମ ଏମ୍‌ ହେଲା ମଦ। ମଦକୁ ଦୂରେଇ ଅନ୍ୟ ୪ଟି ଏମ୍‌କୁ ପାଖରେ ରଖିଲେ ଆମର ବିକାଶ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଓଡ଼ିଶା-୫୦ ଗ୍ରାମୀଣ ମହିଳା ଉଦ୍ୟୋଗୀ ସମାବେଶ

ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗଦେଇ ‘ସମ୍ବାଦ’ର ଏଭଳି ପ୍ରୟାସକୁ ପ୍ରଶଂସା କରିବା ସହ ଆଜିର କାର୍ଯ୍ୟକ୍ରମ ନିଶ୍ଚିତ ଭାବେ ମହିଳାଙ୍କୁ ସ୍ବାବଲମ୍ବୀ କରିବା ଦିଗରେ ସହାୟକ ହେବ ବୋଲି କହିଥିଲେ। ରାଜ୍ୟ ସରକାରଙ୍କ ପ୍ରୟାସରେ ମହିଳାମାନେ ଚୁଲିମୁଣ୍ଡରୁ ବାହାରି ଏବେ ପରିବାରର ଅର୍ଥନୈତିକ ସ୍ଥିତିକୁ ସୁଦୃଢ଼ କରିବାପାଇଁ ଅଣ୍ଟା ଭିଡ଼ିଛନ୍ତି। ଯାହାକି ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ବିଧାୟକ କହିଥିଲେ।
ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳାଇ ଅନ୍ୟତମ ଅତିଥି ଭାବେ ଯୋଗଦେଇ ୨୦୦୨ରୁ ଏସ୍‌ଏଚ୍‌ଜି ସହିତ ଜଡ଼ିତ ଥିବା କହିଥିଲେ। ଆମ ଭାରତୀୟ ସଂସ୍କୃତି ମହିଳା ସଶକ୍ତୀକରଣକୁ ନେଇ ଗଠିତ ହୋଇଛି। ସବୁର ଆଧାର ହେଉଛି ମା’। କିନ୍ତୁ, ମା’କୁ ଚାରିକାନ୍ଥ ଭିତରେ ଆବଦ୍ଧ କରି ରଖି ଦିଆଗଲା। ବର୍ତ୍ତମାନ ଯୁଗ ବଦଳିଛି। ମହିଳାମାନେ ଆଗକୁ ଆସିଛନ୍ତି। ମହିଳାମାନେ ନିଜର ପରିବାର କାମ ସହିତ ନିଜ ଭିତରେ ରହିଥିବା ପ୍ରତିଭାର ବିକାଶ କରନ୍ତୁ ବୋଲି ମେୟର କହିଥିଲେ।

‘ସମ୍ବାଦ’ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ ଯୋଗଦେଇ ଆଜିର କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ମହିଳା ଜଣେ ଜଣେ ସଫଳ ଉଦ୍ୟୋଗୀ ବୋଲି କହିଥିଲେ। ଛତୁଚାଷ, ମାଛଚାଷ, ଛେଳି ଚାଷ, ଖାଦ୍ୟ ପ୍ରସ୍ତୁତି ଭଳି କାମ କରୁଛନ୍ତି। ଏସ୍‌ଏଚ୍‌ଜି ଜରିଆରେ ତିଆରି କରୁଥିବା ସାମଗ୍ରୀର ବିକ୍ରି ଓ ତା’ର ଉଚିତ ପ୍ରାପ୍ୟ ପ୍ରଦାନ ଦିଗରେ ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି ବୋଲି ସେ କହିଥିଲେ। ଆପଣମାନେ ବହୁତ କଷ୍ଟ କରି ଆଜି ଏହି ସ୍ତରରେ ପହଞ୍ଚିଛନ୍ତି। ଆପଣମାନେ କିପରି ଆପଣଙ୍କ ପରିଶ୍ରମର ସଠିକ୍‌ ପ୍ରାପ୍ୟ ପାଇବେ ସେ ଦିଗରେ ‘ସମ୍ବାଦ’ ପ୍ରୟାସ ଆରମ୍ଭ କରିଛି ବୋଲି କହିଥିଲେ।

ପ୍ରାରମ୍ଭରେ ‘ସମ୍ବାଦ’ ବାର୍ତ୍ତା ବିଭାଗ ମହାପ୍ରବନ୍ଧକ ଅରବିନ୍ଦ ଦାସ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସଂପର୍କରେ ସୂଚନା ଦେଇଥିଲେ। ‘ସମ୍ବାଦ’ ବ୍ରହ୍ମପୁର ସଂସ୍କରଣ ଶାଖା ପରିଚାଳକ ସୁଶୀଲ ପ୍ରଧାନଙ୍କ ତତ୍ତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ମହାନଗର ସଂଯୋଜକ ପ୍ରମୋଦ ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ଦେଇ ଅତିଥିଙ୍କୁ ମଞ୍ଚକୁ ନିମନ୍ତ୍ରଣ କରିଥିଲେ।

ଶେଷରେ ମହାନଗର ସଂଯୋଜକ ଶ୍ରୀ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲା ସମେତ ବ୍ରହ୍ମପୁର ସହରରୁ ମୋଟ ୧୬୮ ଜଣ ସଫଳ ମହିଳା ଉଦ୍ୟୋଗୀ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର