ଭୁବନେଶ୍ବର: ‘ଓଡ଼ିଶା ୫୦’ ର ୪ର୍ଥ ସଂସ୍କରଣର ଉଦ୍ଯାପନୀ ଉତ୍ସବ ଅବସରରେ ଆୟୋଜିତ ‘ଉଦ୍ୟୋଗୀ ମହିଳାଙ୍କ ପାଇଁ ବର୍ତ୍ତମାନର ଆହ୍ବାନ’ ଶୀର୍ଷକ ଆଲୋଚନାଚକ୍ରରେ କମ୍ପାନି ସେକ୍ରେଟାରି ସୁନିତା ମହାନ୍ତି, ଓଡ଼ିଶା ଷ୍ଟେଟ୍ ଆସୋସିଏସନ୍ ଅଫ୍ ଫାଇନାନ୍ସିଆଲ୍ ଇନ୍କ୍ଲୁଜନ୍ ଇନ୍ଷ୍ଟିଚ୍ୟୁସନ୍ସ(ଓଏସ୍ଏଏଫ୍ଆଇଆଇ)ର ସିଇଓ ନରେନ୍ଦ୍ର ନାୟକ, ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ(ସୋଆ)ର ସହକାରୀ ପ୍ରଫେସର ପ୍ରୀତି ୱାଇ ଷଡ଼ଙ୍ଗୀ ଓ ଓରମାସ୍ର ଯୁଗ୍ମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୀବ ମହାନ୍ତି ଭାଗ ନେଇ ମହିଳା ଉଦ୍ୟୋଗୀମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ।
ଏହି ଅବସରରେ ଶ୍ରୀ ନରେନ୍ଦ୍ର ନାୟକ କହିଥିଲେ, ଉଦ୍ୟୋଗୀ ମହିଳାଙ୍କ ପାଇଁ ଉପଜୁଥିବା ଆହ୍ବାନ ବର୍ତ୍ତମାନ ସାରା ବିଶ୍ବ ପାଇଁ ଚିନ୍ତାର ବିଷୟ ହୋଇଛି। ଭାରତର ଅର୍ଥନୀତିରେ ୫ ଟ୍ରିଲିଅନ୍ର ବିକାଶ କରିବାକୁ ଚାହୁଥିବା ବେଳେ ମହିଳାଙ୍କ ସହଭାଗିତା ୫୦% ହେବା ଆବଶ୍ୟକ। ଗ୍ରାମାଞ୍ଚଳରୁ ମହିଳା ବାହାରି ବ୍ୟବସାୟ କରିବା ସହଜ ନୁହେଁ, ତାହା ହେଉନାହିଁ ମଧ୍ୟ। ଏଭଳି ସମୟରେ ସେମାନଙ୍କ ପରିବାରର ସହଯୋଗ ଅପରିହାର୍ଯ୍ୟ। ସେମାନେ କେଉଁ ବ୍ୟବସାୟ କରିବା ଦରକାର, ତାହାର ନିଷ୍ପତ୍ତି ଭାବିଚିନ୍ତି ନେବା ଆବଶ୍ୟକତା ରହିଛି। କାରଣ ଠିକ୍ ବ୍ୟବସାୟ ବାଛିଲେ ହିଁ ରୋଜଗାର ଓ ଲାଭ ଉଭୟ ଆସିବ। ଠକାମିର ଶିକାର ନ ହେବା ପାଇଁ ଯଥେଷ୍ଟ ସଚେତନ ହେବାକୁ ପଡ଼ିବ।
‘ଉଦ୍ୟୋଗୀ ମହିଳାଙ୍କ ପାଇଁ ବର୍ତ୍ତମାନର ଆହ୍ବାନ’
ସୁନିତା ମହାନ୍ତି କହିଥିଲେ, ନିଜ ପାଇଁ ପାଖରେ କିଏ ଛିଡ଼ା ହେବ, ତାହା ଗୁରୁତ୍ବପୂର୍ଣ୍ଣ। ମନରେ ଥିବା ଭ୍ରାନ୍ତ ଧାରଣା ଓ ମାନସିକତାରେ ପରିବର୍ତ୍ତନ କେବଳ ଶିକ୍ଷା ଦ୍ୱାରା ହିଁ ଆସିପାରିବ। ମହିଳାମାନେ ଦୁର୍ବଳ, ଏ କଥା ଭୁଲିବାକୁ ପଡ଼ିବ। ତେବେ ଯାଇ ସବୁ କଥାରେ ସଫଳ ହେବାକୁ ମନରେ ଆତ୍ମବିଶ୍ବାସ ବଢ଼ିପାରିବ। କାରଣ ଆତ୍ମବିଶ୍ବାସ ହିଁ ସଫଳତାର ଚାବିକାଠି। ସଞ୍ଜୀବ ମହାନ୍ତି କହିଥିଲେ, ଇଚ୍ଛା ଶକ୍ତି ଥିଲେ ସବୁ ବାଧା ହାର୍ ମାନେ। ମନୋବଳକୁ ସୁଦୃଢ଼ କରିପାରିଲେ ସବୁ ବାଟ ଖୋଲିଯିବ। ସରକାରଙ୍କ ଦ୍ବାରା ସମସ୍ତ ପ୍ରକାର ପ୍ରଶିକ୍ଷଣ ଓ ପ୍ୟାକେଜିଂ ଭଳି ବିଷୟ ଉପରେ ତାଲିମ ଦିଆଯିବ। ଆଜିର ଯୁଗରେ ‘ସୂଚନା ହିଁ ସମ୍ପଦ’ ହୋଇ ଥିବାରୁ ସମସ୍ତ ଘଟଣା ଉପରେ ଯଥେଷ୍ଟ ଜ୍ଞାନ ରହିବା ଆବଶ୍ୟକ।
ଶ୍ରୀମତୀ ଷଡ଼ଙ୍ଗୀ କହିଥିଲେ, ନେଟୱର୍କିଙ୍ଗ୍ ଗଢ଼ିବା, ବ୍ୟବସାୟ କରିବାର ମୂଳମନ୍ତ୍ର। ଆଜିକାଲି ଅନେକ ଗୁଡ଼ାଏ କଥା ପାଇଁ ମାଧ୍ୟମର ଆବଶ୍ୟକତା ଆଉ ଅନୁଭବ ହେଉନାହିଁ। ଘରଘର ବୁଲି ବ୍ୟବସାୟ କରିବା, ୟୁଟ୍ୟୁବ୍, ଫେସ୍ବୁକ୍ ଭଳି ଅନ୍ଲାଇନ୍ ଆପ୍ରେ ବ୍ଲଗିଂ କରି ଅନେକେ ସଫଳ ହୋଇଥିବା ଉଦାହରଣ ରହିଛି। ଏହାର ସୁବିଧା ମହିଳାମାନଙ୍କୁ ଉଠାଇବାକୁ ପଡ଼ିବ। ମହିଳାଙ୍କ ଉନ୍ନତି ବିନା ଦେଶ ଓ ରାଜ୍ୟର ବିକାଶ ଅସମ୍ଭବ। ଶେଷରେ ମହିଳା ଉଦ୍ୟୋଗୀମାନେ ବ୍ୟବସାୟରେ ଉପୁଜୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚକମାନଙ୍କ ସହ ମତ ବିନିମୟ କରିଥିଲେ। ‘କନକ ନ୍ୟୁଜ୍’ର ସୌମ୍ୟା ତ୍ରିପାଠୀ ଆଲୋଚନା ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/21/n2pWBrLBKpyLgD4avjqM.jpg)