କଟକ: ଆମ ସମାଜର ୫୦ ପ୍ରତିଶତ ହେଉଛନ୍ତି ମହିଳା। ମହିଳା ଯଦି ସ୍ବାବଲମ୍ବୀ ଓ ଶିକ୍ଷିତ ହେବେ ତେବେ ଗୋଟିଏ ପରିବାର ଶିକ୍ଷିତ ହେବ। ଶିକ୍ଷାର ବହୁତ ଆବଶ୍ୟକତା ରହିଛି। ଶିକ୍ଷାର ଆଲୋକ ଆମ ସମସ୍ତଙ୍କ ଜୀବନକୁ ଓ ଦେଶକୁ ଏକ ନୂଆ ରାସ୍ତା ଦେଖାଇବ। ସେଥିରେ ଆମେ ସମସ୍ତେ ଅଂଶୀଦାର ହେବା। ପାଠପଢ଼ା ସହିତ ଆର୍ଥିକ ସ୍ବାବଲମ୍ବନ ମଧ୍ୟ ଜରୁରି। କଟକ ସହିଦ ଭବନରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ‘ଓଡ଼ିଶା-୫୦’ ଷଷ୍ଠ ସଂସ୍କରଣର ଉଦ୍ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ରାଞ୍ଚଳ ଆର୍ଡିସି ଗୁହା ପୁନମ୍ ତାପସ କୁମାର ଏହା କହିଛନ୍ତି। କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ୪୭ ବ୍ଲକ୍ର ୨୦୦ରୁ ଅଧିକ ସଫଳ ମହିଳା ଉଦ୍ୟୋଗୀଙ୍କୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆର୍ଡିସି ଗୁହା ପୁନମ୍ ତାପସ କୁମାର କହିଛନ୍ତି ଯେ ଆମର ଉତ୍ପାଦିତ ସାମଗ୍ରୀକୁ ବିଶ୍ବସ୍ତରରେ ପହଞ୍ଚାଇବାକୁ ହେଲେ ଡିଜାଇନ୍ ଉପରେ ଧ୍ୟାନ ଦେବାକୁ ହେବ। ବର୍ତ୍ତମାନର ଅନ୍ଲାଇନ୍ ବଜାରର ଆବଶ୍ୟକତାକୁ ସାମନା କରିପାରିଲେ ଆୟ ବୃଦ୍ଧି ହୋଇ ପାରିବ। ଆମର ରାଜ୍ୟ ଓ ଦେଶ ଅଧିକ ସମୃଦ୍ଧ ହେବ।
ଏଥିପାଇଁ ଅଧିକ ପରିଶ୍ରମ କରିବା ସହିତ ଅଧିକ ପଢ଼ିବାକୁ ପଡ଼ିବ। ପାଠ ପଢ଼ିଲେ ସମସ୍ତେ ସଫଳତାର କାହାଣୀ ରଚିପାରିବେ ବୋଲି ଆର୍ଡିସି କହିଛନ୍ତି। କାର୍ଯ୍ୟକ୍ରମରେ ଯୋଗ ଦେଇ କଟକ ପୌର ନିଗମର କମିସନର କିରଣଦୀପ କୌର ସହୋତା କହିଛନ୍ତି ଯେ ସିଏମ୍ସିରେ ଅନେକ ମହିଳାଙ୍କ ସହଯୋଗ ରହିଛି। ୨୦୦ ମହିଳା ସ୍ବଚ୍ଛସାଥୀ ସାମିଲ ହୋଇଛନ୍ତି। ପ୍ରତ୍ୟେକ ମହିଳା ଆତ୍ମବିଶ୍ବାସ ରଖନ୍ତୁ। ମହିଳାମାନଙ୍କର ପରିବାର ଓ ସମାଜ ପାଇଁ ବଡ଼ ଭୂମିକା ରହିଛି। ଗୃହିଣୀଙ୍କ ଭୂମିକା ପରିବାରରେ ଅଧିକ ଗୁରୁତ୍ବପୂର୍ଣ୍ଣ। ସମାଜରେ ଅନେକ ପ୍ରେରଣା ସୃଷ୍ଟିକାରୀ ମହିଳା ଅଛନ୍ତି। ନିଜ ଚାରିପାଖରେ ଥିବା ମହିଳାଙ୍କୁ ପ୍ରେରଣା ଦିଅନ୍ତୁ ବୋଲି କିରଣଦୀପ କହିଛନ୍ତି।
ପାଠ ପଢ଼ିଲେ ସଫଳ କାହାଣୀ ରଚିପାରିବେ: ଆର୍ଡିସି
ମାତୃଭାଷାକୁ ସ୍ବାଗତ କରିବା, ମଦକୁ ତଡ଼ିବା: ସୌମ୍ୟରଂଜନ
କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ ଯେ ଆଜିକାଲି ମହିଳାମାନେ ରୋଜଗାର କଲେ ଆତ୍ମନିର୍ଭର ହେବା ସହିତ ପରିବାର ସମୃଦ୍ଧ ହେଉଛି। ତେଣୁ ସମସ୍ତେ ରୋଜଗାରିଆ ହେବା ଦରକାର। ନିଜ ଭିତରେ ଥିବା ଶକ୍ତିକୁ ଚିହ୍ନିବା ଦରକାର। ନିଜେ କେତେ ଗୁରୁତ୍ବପୂର୍ଣ୍ଣ, ନିଜ ଦ୍ବାରା କଣ ହୋଇପାରୁଛି, ଅନେକ ସମୟରେ ଏସବୁ ବିଷୟରେ ଆମେ ଜାଣିପାରୁନୁ। ଯଦି ନିଜର ଶକ୍ତିକୁ ପ୍ରମାଣିତ କରିପାରିବା ନାହିଁ, କୌଣସି ବ୍ୟକ୍ତି ସମ୍ମାନ କରିବେ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ମହିଳାମାନେ ଘରେ ନିଜ ମାତୃଭାଷାକୁ ସ୍ବାଗତ କରିବା ସହିତ ମାତୃଭାଷାକୁ ସମୃଦ୍ଧ କରିବା ଦିଗରେ କାର୍ଯ୍ୟ କରନ୍ତୁ। ଅନ୍ୟପଟେ ମଦକୁ ଘରୁ ତଡ଼ନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି।
କାର୍ଯ୍ୟକ୍ରମରେ ଯୋଗ ଦେଇ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ନିର୍ଦ୍ଦେଶିକା ଡକ୍ଟର ମୋନିକା ନୈୟର ପଟ୍ଟନାୟକ କହିଛନ୍ତି ଯେ ଆମେ ଯାହା ବି ସାମଗ୍ରୀ ପ୍ରସ୍ତୁତ କରୁଛେ, ତାକୁ ଆଗକୁ କେମିତି ନେଇ ଯାଇପାରିବା, କେମିତି ମାର୍କେଟିଂ ହେବ, ସେ ଦିଗରେ ଯୋଜନାବଦ୍ଧ ଭାବେ କାର୍ଯ୍ୟ କରିବାକୁ ହେବ। ସଫଳ ମହିଳା ଉଦ୍ୟୋଗୀଙ୍କୁ ସହଯୋଗ, ସହାୟତା ଦେବା କ୍ଷେତ୍ରରେ ‘ସମ୍ବାଦ’ କେତେ ସଫଳ ହୋଇପାରିବ, ସେ ଦିଗରେ ଚିନ୍ତା କରାଯାଉଛି। ରାଜ୍ୟର ମହିଳାଙ୍କୁ ବିଭିନ୍ନ ଫାଉଣ୍ଡେସନ୍ ସହିତ ଯୋଡ଼ି ସେମାନଙ୍କୁ ଆଗକୁ ବଢ଼ାଇବା ପାଇଁ ବି ‘ସମ୍ବାଦ’ ପକ୍ଷରୁ ଚିନ୍ତା କରାଯାଉଛି ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି।
‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ର ସମ୍ପାଦକ ତନୟା ପଟ୍ଟନାୟକ କହିଛନ୍ତି ଯେ କେବେହେଲେ ନିଜକୁ ସାଧାରଣ ଭାବନ୍ତୁ ନାହିଁ। ସବୁବେଳେ ନିଜେ ଦୃଢ଼ ରୁହନ୍ତୁ। ସକାରାତ୍ମକ ରୁହନ୍ତୁ। ଆଗକୁ ବଢ଼ିବା ପାଇଁ ଚିନ୍ତା କରନ୍ତୁ। କେବେ ବି ନା’କୁ ଗ୍ରହଣ କରନ୍ତୁ ନାହିଁ। ଅଧିକ ଜାଣିବା ପାଇଁ ଚେଷ୍ଟା କରନ୍ତୁ। ଯେତେ ଜାଣିବେ ସେତେ ସକ୍ଷମ ହେବେ। ସେତେ ସଫଳ ହେବାର ସମ୍ଭାବନା ବଢ଼ିବ। କାରଣ ସମସ୍ତଙ୍କ ଭିତରେ ସମ୍ଭାବନା ରହିଛି। ସମସ୍ତଙ୍କ ଭିତରେ ସ୍ବପ୍ନ ଓ ସାମର୍ଥ୍ୟ ରହିଛି। କେବଳ ଆତ୍ମବିଶ୍ବାସର ଅଭାବ ରହିଛି ବୋଲି ଶ୍ରୀମତି ପଟ୍ଟନାୟକ କହିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ କଟକ ସଂସ୍କରଣର ମୁଖ୍ୟ ତଥା ଡିଜିଏମ୍ କୃଷ୍ଣପ୍ରସାଦ ଦାସ ଅତିଥି ପରିଚୟ ପ୍ରଦାନ ସହିତ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଆମୱେର ଦୁଇ ଜଣ ସଫଳ ମହିଳା ଉଦ୍ୟୋଗୀ ସଂଗୀତା ଚାନ୍ଦ ଓ ସନ୍ଧ୍ୟାରାଣୀ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଖିମ୍ଜି, ଆମୱେ ଓ ରୁଚି ମସଲା ଉଦ୍ୟୋଗ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଖିମ୍ଜିର ମାର୍କେଟିଂ ବିଭାଗ ଡିଜିଏମ୍ ଉପମନ୍ୟୁ ମଜୁମଦାର, ଆମୱେର କ୍ଲଷ୍ଟର ମୁଖ୍ୟ ରାଣା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/30/gjdgdgjbcbn-2025-10-30-02-06-58.jpg)