‘ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଓଡ଼ିଶା’

ଭୁବନେଶ୍ବର: ଓଡ଼ିଶା ଆଜି ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହେଉଛି। ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ସରକାର ନେଇଥିବା ପଦକ୍ଷେପ ଯୋଗୁ ଧନଜୀବନ ଓ କ୍ଷୟକ୍ଷତିରେ ଉଲ୍ଲେଖନୀୟ ହ୍ରାସ ହୋଇଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି। କୃଷି ଭବନରେ ଆୟୋଜିତ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ଅବସରରେ ସମାରୋହରେ ଯୋଗଦେଇ ସେ ଏହା ପ୍ରକାଶ କରିବା ସହ ବିପର୍ଯ୍ୟୟ ପରିଚାଳନା ଓ ମୁକାବିଲା ଦିଗରେ ଆଗଧାଡ଼ିର କର୍ମୀ ଆଶା, ଅଙ୍ଗନବାଡ଼ି, ଏଏନ୍‌ଏମ୍‌ ଇତ୍ୟାଦି ଏବଂ ପଞ୍ଚାୟତିରାଜ ଅନୁଷ୍ଠାନ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ, ବେସରକାରୀ ସଂସ୍ଥା ଓ ଗୋଷ୍ଠୀସ୍ତରୀୟ ସ୍ବେଚ୍ଛାସେବୀମାନଙ୍କର କାର୍ଯ୍ୟକୁ ପ୍ରଶଂସା କରିଥିଲେ। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମହିଳା ସରପଞ୍ଚ ପଦ୍ମାଳୟା ମଲ୍ଲିକ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଶୈଳବାଳା ରଥଙ୍କୁ ମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ସରକାର ପ୍ରସ୍ତୁତ ଥିବା କହିଥିଲେ। ଏହି ପ୍ରସ୍ତୁତିରେ ପଞ୍ଚାୟତିରାଜ ଅନୁଷ୍ଠାନ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଗ୍ରାମ ସମୁଦାୟମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଓଡ଼ିଶାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ବିଭିନ୍ନ ବିପର୍ଯ୍ୟୟ ସମୟରେ ଧୈର୍ଯ୍ୟ ଓ ସାହସିକତାର ସହ କାର୍ଯ୍ୟକରି ଲୋକମାନଙ୍କର ଧନଜୀବନର ସୁରକ୍ଷାରେ ଲଗାତାର ଭାବେ ସହାୟକ ହୋଇଥିବାରୁ ସେ କୃତଜ୍ଞତା ଜ୍ଞାପନ କରିଥିଲେ।
କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେବା ଅବସରରେ ଉନ୍ନୟନ କମିସନର ତଥା ସ୍ୱତନ୍ତ୍ର ରିଲିଫ୍‌ କମିସନର ପ୍ରଦୀପ ଜେନା ୧୯୯୯ ମସିହା ମହାବାତ୍ୟାର ସ୍ମୃତିଚାରଣ କରି ୨୨ ବର୍ଷ ମଧ୍ୟରେ କିଭଳି ବାତ୍ୟା ପରିଚାଳନାରେ ଐତିହାସିକ ପରିବର୍ତ୍ତନ ଆସିଛି ତାହା ବର୍ଣ୍ଣନା କରିଥିଲେ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ବିପର୍ଯ୍ୟୟ ପରିଚାଳନାରେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକର ଭୂମିକା ସଂପର୍କରେ ଆଲୋକପାତ କରିଥିଲେ। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆୟୋଜିତ ଏହି ସମାରୋହରେ ଅତିରକ୍ତ ରିଲିଫ କମିସନର କମଳ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଓସ୍‌ଡମାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସତ୍ୟରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର