କାଶୀନଗର: ବଂଶଧାରା ବାଲି ଲୋଭ ଛାଡ଼ିପାରୁନି ଆନ୍ଧ୍ର। ଦିନରାତି ଲୁଟ୍ ଚଳାଇଛି। ଗଜପତି ଜିଲ୍ଲା କାଶୀନଗର ଓ ରାୟଗଡ଼ା ଜିଲ୍ଲା ଗୁଣୁପୁର ଅଂଚଳରୁ ଆନ୍ଧ୍ରକୁ ନିୟମିତ ଚୋରା ବାଲିଚାଲାଣ ହେଉଛି। ହେଲେ ଓଡ଼ିଶା ରାଜ୍ୟ ପ୍ରଶାସନ ନିରବ। ଚଳିତ ମାସ ୧୩ ତାରିଖ ଦିନ କାଶୀନଗର ବ୍ଲକ୍ ଶିଆଳି ଗ୍ରାମ ନିକଟସ୍ଥ ରାଜ୍ୟ ରାଜପଥ ଦେଇ ବେଆଇନ ଭାବେ ଆନ୍ଧ୍ରକୁ ବାଲି ନେଉଥିବା ଏକ ଟ୍ରକ୍କୁ ଗଜପତି ଜିଲ୍ଲା ଖଣି ଅଧିକାରୀ ଜବତ କରି ଜରିମାନା ଲଗାଇଥିଲେ। ତେବେ କେବେ କେମିତି ଆନ୍ଧ୍ରକୁ ଚୋରାରେ ବାଲି ନେଉଥିବା ଗୋଟିଏ ଦୁଇଟି ଟ୍ରକ୍ ଜବତ କରି ଜରିମାନା ଲଗାଇ ଦେଲେ ସମସ୍ୟାର ସମାଧାନ ହେବ ନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ତୁରନ୍ତ ଓଡ଼ିଶାର ସ୍ୱାର୍ଥକୁ ଆଖି ଆଗରେ ରଖି ବଂଶାଧାରାର ବାଲାଣକୁ ରୋକିବାକୁ ଦାବି ହୋଇଛି। ଅଳ୍ପଦିନ ତଳେ କାଶୀନଗର ବ୍ଲକ୍ ଅନ୍ତର୍ଗତ ବୁଦୁରା ବାଲିଘାଟକୁ ଆନ୍ଧ୍ର ନିଜର ବୋଲି ଦାବି କରିଥିଲା। ଫଳରେ ସୀମା ନିର୍ଦ୍ଧାରଣ ପାଇଁ ଉଭୟ ରାଜ୍ୟର ପ୍ରଶାସନ ପକ୍ଷରୁ ମିଳିତ ସର୍ଭେ କରାଯାଇଥିଲା। ସେହି ସମୟରେ ନିଜର ଦାବି ସପକ୍ଷରେ ଆନ୍ଧ୍ର ପ୍ରଶାସନ କୌଣସି କାଗଜପତ୍ର ଦେଖାଇ ପାରି ନଥିଲେ ବି ଏଯାଏଁ ଦାବିରୁ ଓହରି ନାହିଁ।
ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ କଲ୍ୟାଣସିଂପୁର ଓ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ସୀମା ବାଉଁଶବଣରୁ ବାହାରି ଆନ୍ଧ୍ରର କଳିଙ୍ଗପାଟଣା ଠାରେ ବଙ୍ଗୋପସାଗରରେ ମିଶିଛି ବଂଶଧାରା। କାଶୀନଗର ଦେଇ ପ୍ରବାହିତ ଏହି ନଦୀର ଦୈର୍ଘ୍ୟ ମୋଟ ୨୫୪ କିମି ଓ ମୋଟ ଅବବାହିକା ଅଞ୍ଚଳ ୧୦ , ୮୩୦ ବର୍ଗ କିମି। ଅବବାହିକାର ୮୦୧୫ ବର୍ଗ କିମି ଓଡ଼ିଶାରେ ଥିବା ବେଳେ ମାତ୍ର ୨୮୧୫ ବର୍ଗ କିମି ଆନ୍ଧ୍ରରେ ରହିଛି। ଏହି ନଦୀରେ ପ୍ରବାହିତ ଆନୁମାନିକ ୧୧୫ ହଜାର ମିଲିଅନ୍ କ୍ୟୁବିକ୍ ଫିଟ୍ ପାଣିରୁ ଆନ୍ଧ୍ର ଓ ଓଡ଼ିଶା ୫୦ ପ୍ରତିଶତ ଲେଖାଏଁ ପାଣି ନେବା ପାଇଁ ଚୁକ୍ତି ବି ରହିଛି । ତେବେ ଗୋଟ୍ଟା ବ୍ୟାରେଜ୍, ନେରେଡ଼ି ବ୍ୟାରେଜ୍ ଭଳି ପ୍ରକଳ୍ପ ନିର୍ମାଣ କରି ଆନ୍ଧ୍ର ବଂଶଧାରା ପାଣିର ସଦୁପଯୋଗ କରୁଥିବା ବେଳେ ଓଡ଼ିଶାରେ ଏଯାଏଁ ସେଭଳି କୌଣସି ପ୍ରକଳ୍ପ ନାହିଁ। ଓଡ଼ିଶାର ରାୟଗଡ଼ା ଜିଲ୍ଲା ପାଣିଡଙ୍ଗର ଠାରେ ବଂଶଧାରା ଓ ଏହାର ଉପନଦୀ ସାନନଦୀ ଉପରେ ବ୍ୟାରେଜ ଓ ଡ୍ୟାମ୍ ନିର୍ମାଣ କଚ୍ଛପ ଗତିରେ ଚାଲିଛି। ଅନ୍ୟ ପକ୍ଷରେ ଆନ୍ଧ୍ର ବଂଶଧାରାର ବାଲି ଓ ପାଣି ଉପରେ କବ୍ଜା କରି ସେସବୁର ସଦୁପଯୋଗ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/AF3KWyTDyEkxm9UNBhJV.jpg)