ଭୁବନେଶ୍ବର: ସେମିକଣ୍ଡକ୍ଟର କ୍ଷେତ୍ରରେ ଓଡ଼ିଶା ଆଜି ଆଉ ପାଦେ ଆଗକୁ ବଢ଼ିଛି ଏବଂ ଓଡ଼ିଶାର ବିକାଶ ଯାତ୍ରା ମଜଭୁତ ହୋଇଛି। ସେମିକଣ୍ଡକ୍ଟର କ୍ଷେତ୍ରରେ ଦେଶରେ ଓଡ଼ିଶା ଏକ ହବ୍ ଭାବେ ପରିଗଣିତ ହେବ ବୋଲି ଇନ୍ଫୋଭ୍ୟାଲିଠାରେ ସିକ୍ସେମ୍ ପ୍ରାଇଭେଟ୍ ଲିମିଟେଡ୍ର ଭୂମିପୂଜନ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କହିଛନ୍ତି। ଏଠାରେ ସମୁଦାୟ ୨ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବ। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ଦ୍ୱାରା ପ୍ରାୟ ୧ ହଜାର ପ୍ରଫେସନାଲଙ୍କୁ ନିଯୁକ୍ତି ମିଳିବ। ବେଙ୍ଗାଲୁରୁ ପରେ ଆଜି ଓଡ଼ିଶା ଭାରତର ନୂତନ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ରାଜଧାନୀ ଭାବରେ ଉଭା ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଚିପ୍ରୁ ସିପ୍ ପର୍ଯ୍ୟନ୍ତ ସମସ୍ତ ମିସନ୍ରେ ଆଗକୁ ବଢ଼ୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଆହୁରି ଘୋଷଣା କରିଛନ୍ତି ଯେ ଆଜି ଭୁବନେଶ୍ୱର ଆଇଆଇଟିରେ ସିକ୍ସେମ୍ ୬୪ କୋଟି ଟଙ୍କା ବିନିଯୋଗରେ ଏକ ରିସର୍ଚ୍ଚ ଆଣ୍ଡ ଇନୋଭେସନ୍ ସେଣ୍ଟର ସ୍ଥାପନ କରିଛି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କ ସାଂସଦ ପାଣ୍ଠିରୁ ୫ କୋଟି ଟଙ୍କା ବିନିଯୋଗ କରି ଆଇଆଇଟି ଭୁବନେଶ୍ୱରରେ ଏକ ‘ନମୋ ସେମିକଣ୍ଡକ୍ଟର ଲାବରେଟୋରି’ ସ୍ଥାପନ ପାଇଁ ଅନୁମୋଦନ ଦେଇଛନ୍ତି। ଏହା ସ୍ଥାପନ ହେବା ଦ୍ୱାରା ଛାତ୍ରଛାତ୍ରୀମାନେ ସେମିକଣ୍ଡକ୍ଟର ସମ୍ପର୍କରେ ଅଧିକ ଗବେଷଣାର ସୁଯୋଗ ପାଇବେ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସେମିକଣ୍ଡକ୍ଟର ମିସନ୍ର ସଫଳତାରେ ଓଡ଼ିଶା ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛି। ଦିଲ୍ଲୀର ମଧ୍ୟ ଦୁଇଟି କମ୍ପାନି ଓଡ଼ିଶାରେ ସେମିକଣ୍ଡକ୍ଟର ୟୁନିଟ୍ ପ୍ରତିଷ୍ଠା ପାଇଁ ଚୁକ୍ତି କରିଥିଲେ। ଆଗାମୀ ଦିନରେ ଏହି ଦୁଇ କମ୍ପାନି ଓଡ଼ିଶାରେ ପ୍ରାୟ ୩ ହଜାର କୋଟି ଟଙ୍କା ନିବେଶ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଇନ୍ଫୋଭ୍ୟାଲିରେ ‘ସିକ୍ସେମ୍’ର ଭୂମିପୂଜା
୨ ହଜାର କୋଟି ନିବେଶ ହେବ
ଆଇଆଇଟି ଭୁବନେଶ୍ୱରରେ ‘ରିସର୍ଚ୍ଚ ଓ ଇନୋଭେସନ୍ ସେଣ୍ଟର’ ସ୍ଥାପିତ
ସେମିକଣ୍ଡକ୍ଟର ମିସନ୍ରେ ଓଡ଼ିଶା ପ୍ରମୁଖ ଭୂମିକା ନେବ: ମୁଖ୍ୟମନ୍ତ୍ରୀ
ପୂର୍ବୋଦୟର ଦ୍ବାରଦେଶ ଭାବେ ଓଡ଼ିଶା ବିକଶିତ ହେଉଛି: ବୈଷ୍ଣବ
ଆଇଆଇଟି ଭୁବନେଶ୍ୱରରେ ‘ପାୱାର ଇଲେକ୍ଟ୍ରୋନିକ୍ସ ହବ୍’ ପ୍ରତିଷ୍ଠା ହେବ
ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଭାସୀ ମାଧ୍ୟମରେ ଯୋଡ଼ି ହୋଇ କହିଥିଲେ ଯେ ଓଡ଼ିଶା ପୂର୍ବୋଦୟର ଦ୍ବାରଦେଶ ଭାବେ ବିକଶିତ ହେଉଛି। କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗ ଦେଇ କହିଥିଲେ, ଆଇଟି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ସେମିକଣ୍ଡକ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କରୁଛି। ଓଡ଼ିଶା ଏହି ଗୁରୁଦାୟିତ୍ୱକୁ ବହନ କରି ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପିତ ବିକଶିତ ଭାରତର ସ୍ୱପ୍ନକୁ ସାକାର କରୁଛି ବୋଲି ସେ କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଇଲୋକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ପ୍ରମୁଖ ସଚିବ ବିଶାଲ ଦେବ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ସ୍ୱତନ୍ତ୍ର ସଚିବ ମାନସ ରଞ୍ଜନ ପଣ୍ଡାଙ୍କ ସମେତ ଆର୍କେନ୍ କେମିକାଲ୍ ଇଣ୍ଡଷ୍ଟ୍ରିଜ୍ର ଏମ୍ଡି ରଞ୍ଜିତ ପେଣ୍ଡୁର୍ଥୀ, ସିକ୍ସେମ୍ ପ୍ରାଇଭେଟ୍ ଲିମିଟେଡ୍ର ଏମ୍ଡି ଗୁରୁ ଥାଲ୍ଲାପାନେନୀ, କ୍ଲାସ୍-ସିକ୍ ୱାଫର୍ ଫ୍ୟାବ୍ ଲିମିଟେଡ୍ର ସିଇଓ ଜେନିଫର୍ ୱାଲ୍ସ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/02/fsjfshxvbbvxbv-2025-11-02-01-08-02.jpg)