ଭୁବନେଶ୍ୱର: ଓଡ଼ିଶାରେ ଥିବା ବିଭିନ୍ନ ପ୍ରାକୃତିକ ସୌନ୍ଦର୍ଯ୍ୟମୟ ଓ ରୋମାଞ୍ଚକର ସ୍ଥାନଗୁଡ଼ିକୁ ଦୁଃସାହସିକ ପର୍ଯ୍ୟଟନର ପ୍ରମୁଖ ଗନ୍ତବ୍ୟସ୍ଥଳୀ ଭାବରେ ବିକଶିତ କରାଯିବ। ସମସ୍ତ ୩୦ଟି ଜିଲ୍ଲାରେ ଏହି ଦୁଃସାହସିକ ପର୍ଯ୍ୟଟନର ସମ୍ଭାବନା ଥିବା ସ୍ଥାନଗୁଡ଼ିକର ମ୍ୟାପିଂ କରାଯାଇ ସେଗୁଡ଼ିକ ବିକଶିତ ହେବ। ସାତକୋଶିଆରେ ରାଫ୍ଟିଂ ଓ ହୀରାକୁଦ ଉପରେ ହଟ୍ ଏୟାର ବେଲୁନ୍ ପର୍ଯ୍ୟଟନର ବିକାଶ ସହିତ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଏହିପରି ପର୍ଯ୍ୟଟନ ସୁବିଧାର ବ୍ୟବସ୍ଥା କରାଯିବ। ଦୁଃସାହସିକ ପର୍ଯ୍ୟଟନ କ୍ଷେତ୍ରକୁ ଏପରି ଆକର୍ଷଣୀୟ କରାଯିବ, ଯେପରି ଲୋକ ଭାରତକୁ ଆସିବା କଥା ଚିନ୍ତା କଲେ, ପ୍ରଥମେ ଓଡ଼ିଶା କଥା ତାଙ୍କ ମନକୁ ଆସିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ।
ଘରୋଇ କ୍ଷେତ୍ରର ଅଂଶଗ୍ରହଣକୁ ପ୍ରୋତ୍ସାହନ ଦିଆଯିବ
ଯୁବବର୍ଗଙ୍କୁ ଦିଆଯିବ ତାଲିମ, ପ୍ରମାଣପତ୍ର
ନିଯୁକ୍ତିର ବ୍ୟାପକ ସୁଯୋଗ ସୃଷ୍ଟି ହେବ
ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ‘ଓଡ଼ିଶା ଦୁଃସାହସିକ ପର୍ଯ୍ୟଟନ ନିର୍ଦ୍ଦେଶାବଳୀ-୨୦୨୫’କୁ ଚୂଡ଼ାନ୍ତ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଅନ୍ୟାନ୍ୟ କ୍ଷେତ୍ର ସହିତ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ‘ଥିଙ୍କ୍ ଇଣ୍ଡିଆ, ଥିଙ୍କ୍ ଓଡ଼ିଶା’ ଦୃଷ୍ଟିଭଙ୍ଗୀ ନେଇ ଓଡ଼ିଶାରେ ପର୍ଯ୍ୟଟନ ପ୍ରକଳ୍ପଗୁଡ଼ିକର ବିକାଶ କରାଯିବ। ପର୍ଯ୍ୟଟନ ଲୋକପ୍ରିୟ ହେବା ସହିତ ଏହା ରାଜ୍ୟର ଯୁବଶକ୍ତି ପାଇଁ ମଧ୍ୟ ବ୍ୟାପକ ସୁଯୋଗ ସୃଷ୍ଟି କରିବ। ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ, ଜଳ, ସ୍ଥଳ ଓ ଆକାଶ ବିଭିନ୍ନ ଦୁଃସାହସିକ ପର୍ଯ୍ୟଟନ ପାଇଁ ଯୁବବର୍ଗଙ୍କୁ ତାଲିମ ଓ ପ୍ରମାଣପତ୍ର ଦିଆଯିବ। ଏହା ଦ୍ୱାରା ସେମାନଙ୍କ ପାଇଁ ବ୍ୟାପକ ନିଯୁକ୍ତିର ସମ୍ଭାବନା ସୃଷ୍ଟି ହୋଇପାରିବ। ଏନେଇ ଘରୋଇ କ୍ଷେତ୍ରର ଅଂଶଗହଣକୁ ମଧ୍ୟ ପ୍ରୋତ୍ସାହନ ଦିଆଯିବ। ‘ଗୋ ଆର୍ଭେଞ୍ଚର’ ପୋର୍ଟାଲ ଜରିଆରେ ଘରୋଇ କ୍ଷେତ୍ରର ଅଂଶଗ୍ରହଣକୁ ଅନୁମୋଦନ ଦିଆଯିବ।
ପର୍ଯ୍ୟଟନ କ୍ଷେତ୍ରରେ ନିବେଶ ପାଇଁ ଘରୋଇ ସଂସ୍ଥାଗୁଡ଼ିକୁ ‘ଓଡ଼ିଶା ପର୍ଯ୍ୟଟନ ନୀତି-୨୦୨୨’ ଅଧୀନରେ ଆକର୍ଷଣୀୟ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ମଧ୍ୟ ବ୍ୟବସ୍ଥା ରଖାଯାଇଛି। ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାକୁ ଏକ ଆକର୍ଷଣୀୟ କେନ୍ଦ୍ର ଭାବେ ବିକଶିତ କରିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି ରହିବ। ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ପର୍ଯ୍ୟଟନ ବିଭାଗର କମିସନର ବଲୱନ୍ତ ସିଂହ ଉପସ୍ଥିତ ଥିଲେ।