ଭୁବନେଶ୍ବର : କୃଷକମାନଙ୍କ ଆୟ କିଭଳି ବୃଦ୍ଧି ହେବ ତାହାକୁ ରାଜ୍ୟ ସରକାର ଗୁରୁତ୍ବ ଦେଇ ଆସୁଛନ୍ତି। କୃଷକମାନେ ଯେପରି ଉତ୍ପାଦକର ଭୂମିକା ଗ୍ରହଣ କରିପାରିବେ ଏଥିପାଇଁ ଏଗ୍ରିଗେଟର ଓ ଉତ୍ପାଦକଙ୍କ ସହିତ ଯୋଗାଯୋଗକୁ ଶୃଙ୍ଖଳିତ କରିବାକୁ ହେବ। ଯୋଗାଣ ଶୃଙ୍ଖଳାରେ କୌଣସି ମହତ୍ବ ରଖୁ ନ ଥିବା ମଧ୍ୟସ୍ଥିମାନଙ୍କୁ ବାଦ୍ ଦେବାକୁ ପଡ଼ିବ ବୋଲି ଓଡ଼ିଶା ଏଗ୍ରି କନକ୍ଲେଭ୍-୨୦୨୧ର ଉଦ୍ଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି।
କନକ୍ଲେଭ୍କୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଲେ, ରାଜ୍ୟରେ ଏକ ଅନୁକୂଳ ପରିବେଶ ନୀତି ରହିଛି। କ୍ରମାଗତ ଭାବେ ବ୍ୟବସାୟ ଅଭିବୃଦ୍ଧି ପାଇଁ ଉଲ୍ଲେଖନୀୟ ସୁଯୋଗ ସୃଷ୍ଟି ସହିତ ରାଜ୍ୟ ତଥା ଲୋକଙ୍କ ସାମାଜିକ-ଅର୍ଥନୈତିକ ବିକାଶ ଜରିଆରେ ଓଡ଼ିଶା ଯେପରି ପସନ୍ଦର ନିବେଶସ୍ଥଳ ପାଲଟିବ ତାହାକୁ ଗୁରୁତ୍ବ ଦିଆଯାଉଛି। ଏବେ କୃଷି ଓ ଏହାର ସହଯୋଗୀ କ୍ଷେତ୍ରଗୁଡ଼ିକ ଏବେ ଜାତୀୟ ଓ ବିଶ୍ବ ପାଇଁ ଖୋଲା ରହିଛି। ଚଳିତବର୍ଷର ଏଗ୍ରି କନକ୍ଲେଭ୍ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଜ୍ୟର ଚାଷୀମାନଙ୍କୁ ଜାତୀୟ ବଜାର ସହିତ ଯୋଡ଼ିବା। ତେଣୁ ଆଗଧାଡ଼ିର କୃଷି ଉଦ୍ୟୋଗୀମାନଙ୍କୁ ରାଜ୍ୟର କୃଷି ଉଦ୍ୟୋଗର ବିକାଶରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ କୃଷକମାନେ ଦେଶର ଆର୍ଥିକ ମୂଳଦୂଆର ଭିତ୍ତିପ୍ରସ୍ତର ରଖିଥିଲେ। କୃଷି ଓ କୃଷକଙ୍କ ସଶକ୍ତୀକରଣ ସରକାରଙ୍କ ପ୍ରମୁଖତାରେ ରହିଛି। ରାଜ୍ୟରେ କୃଷି ପାଇଁ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ଚାଲୁ ରହିଛି। ଯାହାର ଫଳସ୍ବରୂପ ଓଡ଼ିଶା କୃଷି ଓ ଉଦ୍ୟାନ କୃଷିରେ ବଳକା ଉତ୍ପାଦନ ହୋଇପାରିଛି। କୃଷକମାନେ ଅତ୍ୟାଧୁନିକ ଜ୍ଞାନ କୌଶଳର ବ୍ୟବହାର କରିବା ଉପରେ ଗୁରୁତ୍ବ ଦେବା ଜରୁରୀ। ରାଜ୍ୟ ନିୟମିତ ଭାବେ ବନ୍ୟା, ବାତ୍ୟା ଓ ମରୁଡ଼ିର ସମ୍ମୁଖୀନ ହେଉଛି। ଏହାସତ୍ବେ ମଧ୍ୟ ରାଜ୍ୟରେ କୃଷି ଓ ଅର୍ଥନୀତିର କିଭଳି ବିକାଶ ହୋଇପାରିବ ତାହା ଉପରେ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଖାଦ୍ୟ ଉତ୍ପାଦନରେ ଓଡ଼ିଶା ଏବେ ଆତ୍ମନିର୍ଭରଶୀଳ ହୋଇଥିବା ବେଳେ ପିଡିଏସ୍ରେ ଦେଶରେ ତୃତୀୟ ସର୍ବାଧିକ ଅଂଶୀଦାର ହୋଇପାରିଛି।
ରାଜ୍ୟରେ ଜଅ, ପନିପରିବା, ଫଳ, ମସଲା, ମାଛ, ସାମୁଦ୍ରିକ ମାଛ ଓ କୁକୁଡ଼ା ଉତ୍ପାଦନରେ ଏକ ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି। ଆଜିର ସମୟରେ କନ୍ଧମାଳର ହଳଦୀ, ଶିମିଳିପାଳ ମହୁ, କୋରାପୁଟ କଫି ବିଶ୍ବରେ ନିଜର ବ୍ରାଣ୍ଡ ଭାଲ୍ୟୁ ସୃଷ୍ଟି କରିପାରିଛନ୍ତି। ରାଜ୍ୟ ସରକାର ମଧ୍ୟ ସ୍ବତନ୍ତ୍ର ଭାବେ କୃଷି ବଜେଟ ପ୍ରସ୍ତୁତ ସହିତ ଏକ ମଜବୁତ କୃଷି ନୀତି ସମୃଦ୍ଧି-୨୦୨୦ ରହିଛି। ଏହାସହ କୃଷି ଓ କୃଷି ଉଦ୍ୟୋଗର ବିକାଶ ପାଇଁ ରାଜ୍ୟ ଶିଳ୍ପ ନୀତି, ଏମ୍ଏସ୍ଏମ୍ଇ ବିକାଶ ନୀତି, ଖାଦ୍ୟ ପ୍ରକ୍ରିୟାକରଣ ନୀତି, ଷ୍ଟାର୍ଟ ଅପ ନୀତି, ଉତ୍ପାଦକ ସଂଘ ନୀତି, ଜୈବିକ କୃଷି ନୀତି, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଓ ଓଡ଼ିଶା ମିଲେଟ ମିସନ୍ ଭଳି ନୀତି କାର୍ଯ୍ୟକାରୀ ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
କୃଷି ମନ୍ତ୍ରୀ ଅରୁଣ ସାହୁ କହିଥିଲେ, ଇଜ୍ ଅଫ ଡୁଇଂ ବିଜିନେସ ଜରିଆରେ କୃଷି ଉଦ୍ୟୋଗକୁ ପ୍ରୋତ୍ସାହନ ଦେବାରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା କୃଷି କ୍ଷେତ୍ରରେ ବିକାଶ ଦିଗରେ ବିଶେଷ ସହାୟକ ହୋଇପାରିଛି। ଚାଷୀମାନଙ୍କ ପାଇଁ କାଳିଆ ଓ ବଳରାମ ଯୋଜନା କାର୍ଯ୍ୟକାରୀ ହୋଇଛି। ଚାଷୀଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିକୁ ଶ୍ରୀ ସାହୁ ପ୍ରଶଂସା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କୃଷି ଉପରେ ଆଧାରିତ ଦୁଇଟି ପୁସ୍ତକକୁ ଉନ୍ମୋଚନ କରିଥିଲେ।
ଉନ୍ନୟନ କମିସନର ପି କେ ଜେନା, ଅଦାନି-ୱିଲମର ଫୁଡ୍ ଲିଃର ବ୍ୟବସାୟ ମୁଖ୍ୟ ସତ୍ୟେନ୍ଦ୍ର ଅଗ୍ରୱାଲ, ଜିଟେକ୍ନିସିଓ, ସାଇନ୍ସରର ସିଇଓ ସୌନ୍ଦରା ରଦଜାନେ, ନାଫେଡର ମୁଖ୍ୟ ସଂଜୀବ ଚଢ଼ା ପ୍ରମୁଖ ବକ୍ତବ୍ୟ ରଖିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିବା ବେଳେ କୃଷି ସଚିବ ସୁରେଶ ବଶିଷ୍ଠ ସ୍ବାଗତ ଭାଷଣ ଦେଇଥିଲେ। କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଓ ଜାତୀୟ କୃଷି ସମବାୟ ବଜାର ସଂଘର ମିଳିତ ଉଦ୍ୟମରେ ଓଡ଼ିଶା ଏଗ୍ରି କନକ୍ଲେଭ୍ ୨୦୨୧ ଅନୁଷ୍ଠିତ ହେଉଛି। ବିଶ୍ବ ବଜାରରେ ଓଡ଼ିଶାର ପାରମ୍ପରିକ, ସ୍ବଦେଶୀ ଓ ପୁଷ୍ଟିକର ଉତ୍ପାଦଗୁଡ଼ିକୁ ପ୍ରତିଷ୍ଠା କରିବା ହେଉଛି ଏହି କନକ୍ଲେଭର ମୁଖ୍ୟ ଉଦ୍ଦେଶ୍ୟ। ଏଥିରେ ଜାତୀୟ ଓ ବିଶ୍ବସ୍ତରର ଅନେକ କୃଷି ଉଦ୍ୟୋଗୀମାନେ ସାମିଲ ହୋଇଛନ୍ତି।